ଜୀବନ ବଂଚାଇବା ପାଇଁ ଦିଆଯାଉଥିଲା ତାଲିମ, କିନ୍ତୁ ଚାଲିଗଲା ଜୀବନ : କୋଏମ୍ବାଟୁରରେ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ ବେଳେ ଦ୍ୱିତୀୟ ମହଲାରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ

37

କନକ ବ୍ୟୁରୋ : ଜୀବନ ବଂଚାଇବାର ତାଲିମ ଦିଆଯାଉଥିଲା, କିନ୍ତୁ ଜୀବନ ଚାଲିଗଲା । ତାମିଲନାଡୁ କୋଏମ୍ବାଟୋରରେ ଏକ କଲେଜରେ ଗୁରୁବାର ଡିଜାଷ୍ଟର ଡ୍ରିଲ ବେଳେ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ସେ କଲାଇ ମଗଲ କଳା ଓ ବିଜ୍ଞାନ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ । ବିପଦକାଳୀନ ପରିସ୍ଥିତିରେ ଛାତ୍ରଛାତ୍ରୀ କିପରି କଲେଜ କୋଠାରୁ ସୁରକ୍ଷିତ ଭାବେ ବାହାରି ପାରିବେ ,ସେ ନେଇ କଲେଜ ପରିସରରେ ଏକ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ ଦିଆଯାଉଥିଲା । ଅନ୍ୟ ଛାତ୍ରଛାତ୍ରୀଙ୍କ ଭଳି ଲୋକେଶ୍ୱରୀ ବି ଏଥିରେ ସାମିଲ ହୋଇଥିଲେ ।

ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଶିକ୍ଷଣ ବେଳେ ସେ କଲେଜ କୋଠାର ଦୁଇ ମହଲାରେ ଥିବା ବାଲକୋନୀରେ ବସିଛନ୍ତି । ପ୍ରଶିକ୍ଷକ ତାଙ୍କୁ ସେଠାରୁ ଡେଇଁବାକୁ ନିର୍ଦ୍ଦେଶ ଦେଉଛନ୍ତି । କିନ୍ତୁ ସେ ରାଜି ହେଉନାହାନ୍ତି । କିଛି ସମୟ ପରେ ପ୍ରଶିକ୍ଷକ ତାଙ୍କୁ ଧକ୍କା ଦେଇଥିଲେ । ତାଙ୍କୁ ଧରିବା ପାଇଁ ତଳେ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ଏଥିପାଇଁ ନିୟୋଜିତ ଲୋକେ ତାଙ୍କୁ ଧରିପାରିନଥିଲୋ ଫଳରେ ଲୋକେଶ୍ୱରୀ ତଳେ ପଡିଯାଇଥିଲେ । ତା ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ସମୟର ଏହି ଭିଡିଓ କ୍ୟାମେରାରେ କଏଦ ହୋଇଛି ।