ମୃତ୍ୟୁ ପୂର୍ବର ମଧୁର ମୂହୁର୍ତ ! ରିସେପସନରେ ସୋମ୍ୟଙ୍କ ହାତଧରି ନାଚିଥିଲେ ରିମା, ପାର୍ସଲ ଉଜାଡିଲା ପାଞ୍ଚ ଦିନର ସଂସାର

47

କନକ ବ୍ୟୁରୋ : ଉପହାର ଆଣିଲା ମୃତ୍ୟୁ । କିନ୍ତୁ ମୃତ୍ୟୁ ପୂର୍ବରୁ ଏମିତି କିଛି ଭିଡ଼ିଓ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ ନବଦମ୍ପତିଙ୍କ ସହ ଏମିତି କାହିଁକି ହେଲା । ମୃତ୍ୟୁ ପୂର୍ବରୁ ବାହାଭୋଜି ଦିନ ପରସ୍ପରର ହାତ ଧରି ଉଭୟ ସୌମ୍ୟଶେଖର ଓ ରିମା ଗୀତର ତାଳେ ତାଳେ ନାଚିଥିଲେ । ଉଭୟଙ୍କ ଭାବଭଙ୍ଗିରେ ଖୁସିର ଝଲକ ବି ନାଚୁଥିଲା । କିନ୍ତୁ ସୁଖର ସଂସାର ଗଢିବା ପୂର୍ବରୁ ସବୁକିଛି ତାସ୍’ର ଘର ପରି ଭୁସୁଡିଗଲା ।

ମୃତ୍ୟୁ ପୂର୍ବର ମଧୁର ମୁହୁର୍ତ୍ତ । ସାତ ଜନ୍ମ ପାଇଁ ସାଥୀ କରିବାକୁ ପ୍ରତିଶ୍ରୁତି ଦେଇ ବିବାହ ବେଦୀରେ ଯାହାର ହାତଧରିଥିଲେ ପୁଣିଥରେ ଡାନ୍ସ ଫ୍ଲୋରରେ ତା ହାତ ଧରିଦେଇଥିଲେ ସୌମ୍ୟଶେଖର । ରିସେସ୍ପନ ପାର୍ଟିରେ କିଛି ଅତିଥି ଆଉ ସଂପର୍କୀୟ ଉଭୟଙ୍କୁ ଡାନ୍ସ କରିବାକୁ ଅନୁରୋଧ କରିଥିଲେ । ପ୍ରଥମେ ଲାଜେଇ ଯାଇଥିଲେ ଉଭୟ ସୌମ୍ୟଶେଖର ଓ ରିମା । କିନ୍ତୁ ପରେ ପରେ ଉଭୟ ଉଭୟଙ୍କୁ ପାଇ କେତେ ଖୁସି ତାକୁ ଜାହିର କରିଥିଲେ । ସୁନ୍ଦରୀ ଜୀବନସାଥୀଟିଏ ପାଇ କେତେ ଖୁସି ତାହା ହିଁ ବ୍ୟକ୍ତ କରିବାକୁ ଚାହୁଁଥିଲେ ଏହି ନବ ବିବାହିତ ଯୁବକ । ଖୁସିରେ ବିଭୋର ରିମା, ସ୍ୱାମୀଙ୍କ ହାତ ଧରିବା ପରେ ସବୁ ସଂକୋଚକୁ ପଛରେ ପକାଇ ହିନ୍ଦି ଗୀତର ତାଳେତାଳେ ନାଚିଥିଲେ । ମନେମନେ ଭାବୁଥିବେ ଗୋଟିଏ ସଂପର୍କର ଆରମ୍ଭ ଯେଉଁଠି ଏତେ ମିଠା, ସେଠି ବାକିତକ ଜୀବନ କାଟିବା କେତେ ସୁଖମୟ ହେବ ।

ଋୀମାଙ୍କର ଏହି ସୁଖମୟ ଜୀବନରେ ବୋଧେ କାହାର ନଜର ଲାଗି ଯାଇଥିଲା । ବିବାହର ୫ ଦିନ ପରେ ସବୁକିଛି ଛାରଖାର ହୋଇଗଲା । ସ୍ୱାମୀ ଓ ଜେଜେମାଙ୍କ ସହ ମିଶି ନବବଧୂ ଉପହାର ପ୍ୟାକେଟ ଖୋଲୁଥିବା ବେଳେ ହଠାତ ସାଂଘାତିକ ବିସ୍ପୋରଣରେ ଥରି ଉଠିଲା ପୂରା ଘର । ତା ପରେ ରୀମାଙ୍କ ଜୀବନରେ ସବୁକିଛି ଶେଷ । କିଛି ଘଣ୍ଟାର ସଂର୍ଘଷ ପରେ ପରପାରିକୁ ଚାଲିଗଲେ ହୃଦୟର ରାଜା । ଆଉ ଏବେ କଟକ ବଡ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ରିମା । ତାଙ୍କର ମୁହଁ, ହାତ ଓ ଶରୀରର ଅଧିକାଂଶ ଭାଗ ପୋଡିଯାଇଛି ।