ରସଗୋଲା ବିବାଦରେ ନୂଆ ଟୁଇଷ୍ଟ । ବଙ୍ଗାଳୀ ରସଗୋଲାର ବ୍ରାଣ୍ଡିଂ ପରେ ରାଜ୍ୟ ସରକାର କହିଲେ, ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ ପାଇଁ ଖୁବ୍ ଶୀଘ୍ର ରଖିବେ ଦାବି

71

କନକ ବ୍ୟୁରୋ: ରସଗୋଲା ବିବାଦରେ ନୂଆ ଟୁଇଷ୍ଟ । ପଶ୍ଚିମବଙ୍ଗ, ବେଙ୍ଗଲୀ ରସଗୋଲା ଜିଆଇ ଟ୍ୟାଗ ହାସଲ କରିବା ପରେ ଓଡିଶା ସରକାରଙ୍କ ଚିନ୍ତା ପଶିଛି । ପଶ୍ଚିମବଙ୍ଗ ସହ ରସଗୋଲା ବିବାଦର ଦେଢ଼ ବର୍ଷ ପରେ ଓଡିଶା ରସଗୋଲାର ଜିଆଇ ରେଜିଷ୍ଟ୍ରେସନ ହାସଲ ପାଇଁ ଦାବି ଜଣାଇବେ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ୮ ଶହ ବର୍ଷ ତଳୁ ଓଡିଶାରେ ପ୍ରସ୍ତୁତ ହୋଇ ଆସୁଥିବା ଓଡିଶାର ରସଗୋଲା ପାଇଁ ଜିଆଇ ରେଜିଷ୍ଟ୍ରେସନ ମାନ୍ୟତା ହାସଲ କରିବାକୁ ଓଡିଶା ସରକାର ତଥ୍ୟ ସମ୍ବଳିତ ଦାବି ଦାଖଲ କରିବେ ।

ସୂଚନା ମୁତାବକ, ପଶ୍ଚିମବଙ୍ଗକୁ ମିଳିଛି ବେଙ୍ଗଲ ରସଗୋଲାର ଜିଆଇ ଟ୍ୟାଗ୍ । ଏବେ ରସଗୋଲା ବେଙ୍ଗଲର ବ୍ରାଣ୍ଡ ହୋଇଛି । ମଙ୍ଗଳବାର ପ୍ରାୟ ସବୁ ଜାତୀୟ ଗଣମାଧ୍ୟମ, ରସଗୋଲାର ଉତ୍ପତିସ୍ଥଳ ବିବାଦରେ ପଶ୍ଚିମବଙ୍ଗର ବିଜୟ ହୋଇଛି ବୋଲି ରିପୋର୍ଟ ଫାଇଲ କରିଛନ୍ତି । ଏପରିକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଟୁଇଟ୍ କରି କହିଛନ୍ତି, ରସଗୋଲାକୁ ପଶ୍ଚିମବଙ୍ଗର ଜିଆଇ ଟ୍ୟାଗ୍ ମିଳିଛି । ତେବେ ଚେନ୍ନାଇ ସ୍ଥିତ ଜିଆଇ ଟ୍ୟାଗ କାର୍ଯ୍ୟାଳୟର ସହକାରୀ ନିବନ୍ଧକ କହିଛନ୍ତି, ରସଗୋଲାର ଉତ୍ପତି ସ୍ଥଳ ନେଇ କୌଣସି ବିଚାର କରାଯାଇନାହିଁ ।ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଗତ ୨ ବର୍ଷ ଧରି ଓଡ଼ିଶା ସରକାର କରୁଥିଲେ କଣ ? ଦୁଃଖର କଥା ହେଉଛି, ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଏପଯ୍ୟନ୍ତ ଆବେଦନ କରିନାହିଁ ଓଡ଼ିଶା । କିନ୍ତୁ ସେପଟେ ରସଗୋଲାକୁ ବଙ୍ଗଳାର ରସଗୋଲା କହି ଜିଆଇ ଟ୍ୟାଗ ପାଇଗଲା ପଶ୍ଚିମବଙ୍ଗ ।

ଜିଆଇ ଟ୍ୟାଗ୍ କଣ ?

– କୌଣସି ଉତ୍ପାଦ ଏକ ନିର୍ଦ୍ଦିଷ୍ଟ ଅଂଚଳ ବା ସମାଜରୁ ଉତ୍ପତିର ପ୍ରମାଣ

– ଜିଆଇ ଟ୍ୟାଗ୍ ଟ୍ରେଡ୍ ମାର୍କ ଭଳି ବ୍ୟବହାର ହୋଇଥାଏ

– ଜିଆଇ ଟ୍ୟାଗ୍ ମିଳିଲେ ଏହାକୁ ଅନ୍ୟ କେହି ନିଜସ୍ୱ ବୋଲି ଦାବି କରିପାରିନି

– ବହୁ ଦେଶରେ ଜିଆଇ ଟ୍ୟାଗକୁ ଟ୍ରେଡ ମାର୍କ ଭଳି ଆଇନଗତ ସୁରକ୍ଷା ମିଳେ

– ବ୍ୟବସାୟ ଦୃଷ୍ଟିରୁ ଏହା ଉତ୍ପାଦକ ଏବଂ ବେପାରୀଙ୍କ ପାଇଁ ଲାଭଦାୟକ