ଆସିଗଲା ବେଙ୍ଗଲି ବ୍ରାଣ୍ଡର ରସଗୋଲା ! ଓଡିଶା ବ୍ରାଣ୍ଡର ରସଗୋଲା କେବେ ?

59

କନକ ବ୍ୟୁରୋ : ପଶ୍ଚିମବଙ୍ଗ ‘ବାଙ୍ଗଲା ରସୋଗୁଲ୍ଲା’ ଜିଆଇ ଟ୍ୟାଗ ହାସଲ କରିବା ପରେ ଓଡ଼ିଶା ସରକାରଙ୍କ ଚିନ୍ତା ପଶିଛି । ରସଗୋଲା ବିବାଦର ଦେଢ ବର୍ଷ ପରେ ଓଡ଼ିଶା ରସଗୋଲାର ଜିଆଇ ରେଜିଷ୍ଟ୍ରେସନ ପାଇଁ ଦାବି ଜଣାଇବେ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଆଠ ଶହ ବର୍ଷ ତଳୁ ଓଡ଼ିଶାରେ ପ୍ରସ୍ତୁତ ହୋଇ ଆସୁଥିବା ଓଡ଼ିଶାର ରସଗୋଲା ପାଇଁ ଜିଆଇ ରେଜିଷ୍ଟ୍ରେସନ ମାନ୍ୟତା ହାସଲ କରିବାକୁ ଓଡ଼ିଶା ସରକାର ତଥ୍ୟ ସମ୍ବଳିତ ଦାବି ଦାଖଲ କରିବେ ।

RASAGOLA TAGଆଜି ସବୁ ଜାତୀୟ ଗଣମାଧ୍ୟମ ରସଗୋଲାର ଉତ୍ପତିସ୍ଥଳ ବିବାଦରେ ପଶ୍ଚିମବଙ୍ଗର ବିଜୟ ହୋଇଛି ବୋଲି ରିପୋର୍ଟ ଫାଇଲ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ମଧ୍ୟ ଟୁଇଟ୍ କରି କହିଛନ୍ତି, ରସଗୋଲାକୁ ପଶ୍ଚିମବଙ୍ଗର ଜିଆଇ ଟ୍ୟାଗ୍ ମିଳିଛି । ମମତାଙ୍କ ଟ୍ୱିଟର ଅର୍ଥ ହେଉଛି, ରସଗୋଲା ପଶ୍ଚିମବଙ୍ଗର ବୋଲି ପ୍ରମାଣିତ ହୋଇଗଲା । କିନ୍ତୁ ଏ ସଂକ୍ରାନ୍ତରେ ଚେନ୍ନାଇ ସ୍ଥିତ ଜିଆଇ ଟ୍ୟାଗ କାର୍ୟ୍ୟାଳୟର ସହକାରୀ ନିବନ୍ଧକ ଚିନ୍ନାରାଜା ଜି ନାଇଡୁ ଅଲଗା କଥା କହିଛନ୍ତି । ସେ କହିଥିଲେ, ରସଗୋଲାର ଉତ୍ପତି ସ୍ଥଳ ନେଇ କୌଣସି ବିଚାର କରାଯାଇନାହିଁ । ବାଲାଂର ରସଗୋଲା କେବଳ ପଶ୍ଚିମବଙ୍ଗରେ ସୀମିତ ବୋଲି ସେ କହିଛନ୍ତି ।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଗତ ୨ ବର୍ଷ ଧରି ଓଡ଼ିଶା ସରକାର କରୁଥିଲେ କଣ ? ଦୁଃଖର କଥା ହେଉଛି, ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଏପର୍ୟ୍ୟନ୍ତ ଆବେଦନ କରିନାହିଁ ଓଡ଼ିଶା । କିନ୍ତୁ ସେପଟେ ରସଗୋଲାକୁ ବଙ୍ଗଳାର ରସଗୋଲା କହି ଜିଆଇ ଟ୍ୟାଗ ପାଇଗଲା ପଶ୍ଚିମବଙ୍ଗ ।

ଜିଆଇ ଟ୍ୟାଗ୍ କ’ଣ ?
– କୌଣସି ଉତ୍ପାଦ ଏକ ନିର୍ଦ୍ଦିଷ୍ଟ ଅଂଚଳ ବା ସମାଜରୁ ଉତ୍ପତିର ପ୍ରମାଣ
– ଜିଆଇ ଟ୍ୟାଗ୍ ଟ୍ରେଡ୍ ମାର୍କ ଭଳି ବ୍ୟବହାର ହୋଇଥାଏ
– ଜିଆଇ ଟ୍ୟାଗ୍ ମିଳିଲେ ଏହାକୁ ଅନ୍ୟ କେହି ନିଜସ୍ୱ ବୋଲି ଦାବି କରିପାରିନି
– ବହୁ ଦେଶରେ ଜିଆଇ ଟ୍ୟାଗ୍କୁ ଟ୍ରେଡ ମାର୍କ ଭଳି ଆଇନଗତ ସୁରକ୍ଷା ମିଳେ
– ବ୍ୟବସାୟ ଦୃଷ୍ଟିରୁ ଏହା ଉତ୍ପାଦକ ଏବଂ ବେପାରୀଙ୍କ ପାଇଁ ଲାଭଦାୟକ

ରସଗୋଲାର ଇତିହାସ :
ପ୍ରାୟ ୮ଶହ ବର୍ଷ ତଳେ ଓଡ଼ିଶାରେ ରସଗୋଲା ତିଆରି ହେଉଥିଲା । ଜଗନ୍ନାଥଙ୍କ ରଥଯାତ୍ରାରେ, ରସଗୋଲା ଭୋଗ ହୋଇ ଆସୁଥିଲା । କିନ୍ତୁ ଆଜିଠାରୁ ବାଙ୍ଗଲାର୍ ରସୋଗୁଲ୍ଲା, ରସଗୋଲାର ଏକ ବଡ ବ୍ରାଣ୍ଡ ହିସାବରେ ସାରା ଦେଶରେ ପରିଚିତ ହେବ । କୋଲକାତାର ତୃଣମୂଳ ସରକାର ପ୍ରାୟ ୨ବର୍ଷରୁ ଅଧିକ ସମୟ ଧରି, ରସଗୋଲାର ଜିଗ୍ରୋଫିକାଲ ଇଣ୍ଡିକେଟର ବା ଭୌଗଳିକ ଅବସ୍ଥିତି ନେଇ, ଗବେଷଣା ଲବ୍ଧ ତଥ୍ୟକୁ ସଂପୃକ୍ତ ସଂସ୍ଥା ସମ୍ମୁଖରେ ରଖିଥିଲେ । ଏବଂ ଚାପ ଦେଇ ଆସୁଥିଲେ ବାଙ୍ଗଲାର୍ ରସୋଗୁଲ୍ଲା ମାନ୍ୟତା ପ୍ରଦାନ ପାଇଁ ।

rasagullaଆପଣ ଯଦି ଜିଆଇ ରେଜିଷ୍ଟ୍ରେସନ ପାଇଁ ଉଦିଷ୍ଟ ସଂସ୍ଥାର ୱେବସାଇଟକୁ ଯିବେ ତାହେଲେ ପଶ୍ଚିମ ସରକାର ଯେଉଁସବୁ ତଥ୍ୟ ଦେଇଛନ୍ତି ସେସବୁ ଦେଖି ଆପଣ ତାଜୁବ୍ ହୋଇଯିବେ । ବାଙ୍ଗଲାର୍ ରସୋଗୁଲ୍ଲାକୁ ଚ୍ୟାଲେଂଜ୍ ଦେଇ ଓଡ଼ିଶାର ରସଗୋଲା ବେଶିବାଟ ଯାଇପାରି ନାହିଁ । ଯେତେବେଳେ ଏହି ବିବାଦ ଆରମ୍ଭ ହୋଇଥିଲା ଓଡ଼ିଶା ସରକାର ଏକ କମିଟି ଗଠନ କରିଥିଲେ । ଶ୍ରୀଯୁକ୍ତ ଅସିତ ମହାନ୍ତିଙ୍କ ଭଳି ଗବେଷକ ମଧ୍ୟ ରସଗୋଲାର ଉତ୍ପତି ନେଇ କମିଟିକୁ ରିପୋର୍ଟ ଦେଇଥିଲେ । କିନ୍ତୁ ରିପୋର୍ଟ ଚାଲିଗଲା ଶୀତଳଭଣ୍ଡାରକୁ । ତେବେ ଏହାର ଫାଇଦା ଉଠାଇଥିଲା ପଶ୍ଚିମବଙ୍ଗ । ବାଙ୍ଗଲା ରସଗୋଲ୍ଲାର ଜିଆଇ ଟ୍ୟାଗ ହାସଲ କରିବା ପରେ ରସଗୋଲା ବେଙ୍ଗଲି ବ୍ରାଣ୍ଡ ବନିଗଲା । ସାରାଦେଶରେ ବାଙ୍ଗଲାର୍ ରସୋଗୁଲ୍ଲାର ପ୍ରଶଂସା ଚାଲିଛି । ଏବଂ ଏକ ବଡ ବେଙ୍ଗଲି ଲବି, ଜାତୀୟଗଣମାଧ୍ୟରେ ପ୍ରକାଶ ପାଉଛି । ଆଜି ମଧ୍ୟାହ୍ନରେ ଏ ସଂପର୍କୀୟ ଖବର ଆସିଲା ପରେ ଆପଣ ଯଦି ଜାତୀୟ ଗଣମାଧ୍ୟମରେ ଓଡ଼ିଶାର ଯୁକ୍ତିକୁ ଭୁଲ ଏବଂ ରସଗୋଲାର ଉତ୍ପତି ସ୍ଥଳ ବେଙ୍ଗଲ ବୋଲି ପ୍ରକାଶ ପାଇଛି ।

ଏହି ଘଟଣା ପରେ ଚେନ୍ନାଇର ଜିଆଇ ରେଜିଷ୍ଟ୍ରେନ୍ କରୁଥିବା ସଂସ୍ଥାର ମତାମତ ନିଆଯାଇଥିଲା । ଏହି ସଂସ୍ଥାର ସହକାରୀ ନିବନ୍ଧକ ଚିନ୍ନାରାଜା ଜୀ ନାଇଡୁ ସୂଚନା ଦେଇଥିଲେ, ଯେ ରସଗୋଲାର ଉତ୍ପତି ନେଇ ଆମେ କୌଣସି ମତ ରଖି ନାହୁଁ । ଏହାର ଉତ୍ପତି ଓଡ଼ିଶା ନା’ ବେଙ୍ଗଲରେ ।ଏ ସପଂର୍କରେ କୌଣସି ସୂଚନା ଦିଆଯାଇନାହିଁ । କେବଳ ବାଙ୍ଗଲାର୍ ରସୋଗୁଲ୍ଲାକୁ ଜିଆଇ ଟ୍ୟାଗ୍ ଦିଆଯାଇଛି ।

 ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବାର ଅର୍ଥ, ରସଗୋଲାର ଗୋଟିଏ ବ୍ରାଣ୍ଡ ତିଆରି ହେଲା । ରସଗୋଲାର ଏହି ବେଙ୍ଗଲି ବ୍ରାଣ୍ଡକୁ ମୁକବିଲା କରିବା ପାଇଁ ଓଡ଼ିଶାର ରସଗୋଲା ବି ଜିଆଇ ଟ୍ୟାଗ୍ ପାଇପାରେ । କିନ୍ତୁ ଆଜିର ଦିନରେ ବେଙ୍ଗଲି ରସୋଗୁଲ୍ଲା ଏବେ ଏକ ବ୍ରାଣ୍ଡ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହାକୁ ଏକ ମିଠା ଖବର ବୋଲି ଟ୍ୱିଟ୍ କରିଛନ୍ତି । ଆମର ପ୍ରଶ୍ନ ହେଉଛି ଏତେ ସବୁ ବୈଠକ ପରେ, ଏତେ ସବୁ ଚାପ ପରେ ଆଜିର ଦିନ ଯାଏଁ ଓଡ଼ି଼ଶା ସରକାର, ଓଡ଼ିଶା ରସଗୋଲାର ଜିଆଇ ଟ୍ୟାଗ୍ ପାଇଁ କାହିଁକି ଚେଷ୍ଟା କଲେ ନାହିଁ । ଏ ସଂପର୍କରେ କାହାକୁ ଉତରଦାୟୀ କରାଯିବ । ବେଙ୍ଗଲ ରସୋଗୁଲ୍ଲା ଆଗରେ ରହିଲା, ଓଡ଼ିଶା ରସଗୋଲା ସେମିତି ଓଡ଼ିଶା ଭିତରେହିଁ ରହିଗଲା ।