ଚିଙ୍ଗୁଡି ମାଫିଆଙ୍କ କବଜାରେ ଘେରି ! କେନ୍ଦ୍ରାପଡା ମହାକାଳପଡାରେ ମାଲାମାଲ ହେଉଛନ୍ତି ମାଫିଆ, ସରକାର ହରାଉଛନ୍ତି ରାଜସ୍ୱ

57

କନକ ବ୍ୟୁରୋ: ସରକାରୀ ଏବଂ ଜଙ୍ଗଲ ଜମିରେ ବେଆଇନ ଭାବେ ନିର୍ମାଣ ଚାଲିଛି ଚିଙ୍ଗୁଡି ଘେରି । ଲୁଣା ଜଙ୍ଗଲ ଘେରା କେନ୍ଦ୍ରାପଡା ମହାକାଳପଡା ବ୍ଲକର ଉପକୂଳବର୍ତୀ ଅଂଚଳରେ ଚିଙ୍ଗୁଡି ମାଫିଆମାନେ ପ୍ରଶାସନର ନଜର ଆଢୁଆଳରେ ବେଆଇନ ଘେରି ନିର୍ମାଣ କରି କୋଟି କୋଟି ଟଙ୍କା ମୁନାଫା କରୁଛନ୍ତି । ଫଳରେ ରାଜସ୍ୱ ହରାଉଛନ୍ତି ସରକାର । ସେପଟେ ବାରମ୍ବାର ଅଭିଯୋଗ ପରେ ଜବରଦଖଲ ଉଚ୍ଛେଦ ପାଇଁ ଏକ ଟିମ୍ ଗଠନ କରାଯାଇଛି ।

ସିଆରଜେଡ ନିୟମ ଅନୁସାରେ, ଉପକୂଳବର୍ତ୍ତୀ ଅଂଚଳରେ ନଦୀନାଳଠାରୁ ପ୍ରାୟ ୨ଶହ ମିଟର ମଧ୍ୟରେ କୌଣଓି ଚିଙ୍ଗୁଡି ଘେରି ନିର୍ମାଣ କରାଯାଇ ପାରିବନାହିଁ । ତେବେ ଏଠାରେ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହେଉଛି ।

ତେବେ ସବୁଆଡେ ଚିଙ୍ଗୁଡି ଚାଷ ହେଉଥିବା ଯୋଗୁଁ ସ୍ଥାନୀୟ ଲୋକେ ମଧ୍ୟ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି । କେମିକାଲ ମିଶା ବିଷାକ୍ତ ପାଣି ନଦୀରେ ମିଶୁଛି ଏବଂ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି । ତେବେ ଏନେଇ ବାରମ୍ବାର ଅଭିଯୋଗ ପରେ ଘେରି ଉଚ୍ଛେଦ ପାଇଁ ରାଜସ୍ୱ, ଜଙ୍ଗଲ, ମତ୍ସ୍ୟ ଓ ପୁଲିସ ବିଭାଗ କର୍ମଚାରୀଙ୍କୁ ନେଇ ଟିମ୍ ଗଠନ କରାଯାଇଛି ।