ଜୋମାଟୋରୁ ଖାଦ୍ୟ ଅର୍ଡର ବାତିଲ କରି ଫସିଲେ ଛାତ୍ର । ଆକାଉଣ୍ଟରୁ କଟିଗଲା ୯୧,୦୦୦ ଟଙ୍କା ।

320

କନକ ବ୍ୟୁରୋ : ଘରେ ଖାଦ୍ୟ ପହଞ୍ଚାଉଥିବା ସଂସ୍ଥା ଜୋମାଟୋରୁ କାଠି ରୋଲ ଓ ରୁମାଲି ରୁଟି ଅର୍ଡର କରିବା ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି । ଅର୍ଡର ବାତିଲ କରିବା ପରେ ପରେ ତାଙ୍କ ଆକାଉଣ୍ଟରୁ ୯୧,୦୦୦ଟଙ୍କା କଟିଯିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ପରେ ଛାତ୍ର ଗାଜିଆବାଦ୍ ଲିଙ୍କ୍ ରୋଡରେ ଥିବା ପୁଲିସ ଷ୍ଟେସନରେ ଅଭିଯୋଗ କରିିଛନ୍ତି । ଅଭିଯୋଗ ରଖି ତଦନ୍ତ ଆରମ୍ଭ କରିଛି ପୁଲିସ ।

ଗାଜିଆବାଦର ରାମପ୍ରସ୍ଥ କଲୋନିରେ ରୁହନ୍ତି ଇଞ୍ଜିନିୟରିଂ ଛାତ୍ର ସିଦ୍ଧାର୍ଥ ବଂସଲ । ରବିବାର ଅପରାହ୍ନ ୩ଟାରେ ସିଦ୍ଧାର୍ଥ ଜୋମାଟୋରୁ ଖାଇବା ଅର୍ଡର କରିବା ସହ ପେଟିଏମ୍ ଜରିଆରେ ୧୪୨ଟଙ୍କା ଦେଇଥିଲେ । କିଛି ଘଣ୍ଟା ବିତିବା ପରେ ଖାଦ୍ୟ ଡେଲିଭର ନ ହେବାରୁ ସେ ଆପ ଚେକ୍ କରିଥିଲେ । ମାତ୍ର ତାଙ୍କ ଅର୍ଡରକୁ ବାତିଲ କରି ଦିଆଯାଇଥିବା ଜାଣି ସିଦ୍ଧାର୍ଥ ଟଙ୍କା ଫେରସ୍ତ ପାଇଁ କଷ୍ଟମର କେୟାରକୁ ଫୋନ କରିଥିଲେ । କିନ୍ତୁ କଥା ହୋଇ ପାରି ନ ଥିଲା ।

ଏହା ପରେ ଏକ ନମ୍ବରରୁ ଫୋନ ଆସିବା ସହ ଯୁବକ ଜଣଙ୍କ ନିଜକୁ ଜୋମାଟୋର ପ୍ରତିନିଧି ବୋଲି କହି ଆକାଉଣ୍ଟର ବିବରଣୀ ମାଗିଥିଲେ । ସିଦ୍ଧାର୍ଥ ବିବରଣୀ ଦେଉଥିବା ସମୟରେ ତାଙ୍କ ଆକାଉଣ୍ଟରୁ ତୁରନ୍ତ ୪୦ହଜାର ଟଙ୍କା କଟି ଯାଇଥିଲା । ଫୋନକୁ ଆସିଥିବା ମେସେଜ ଦେଖି ସିଦ୍ଧାର୍ଥ ଫୋନ ରଖି ଦେବା ପରେ ମଧ୍ୟ ତାଙ୍କ ଆକାଉଣ୍ଟରୁ ସର୍ବମୋଟ ୯୧,୩୦୦ଟଙ୍କା କଟି ଯାଇଥିଲା ।