ଡିଜେଲ ପାଇଁ ଯିବାକୁ ପଡିବନି ତେଲ ଟାଙ୍କି ! ଘରେ ବସି କରିପାରିବେ ଅର୍ଡର, ଇଣ୍ଡିଆନ ଅଏଲ୍ର ହୋମ ଡେଲିଭରି ସେବା

75

ଏଣିକି ଆପଣ ଆପଣଙ୍କ ଘରେ ଥାଇ ପାଇ ପାରିବେ ଡିଜେଲ୍ । ଏନେଇ, ଭାରତର ସବୁଠାରୁ ବଡ ପେଟ୍ରୋଲିୟମ୍ କମ୍ପାନୀ, ଇଣ୍ଡିଆନ ଅଏଲ୍ କର୍ପୋରେସନ୍ ପକ୍ଷରୁ ଘୋଷଣା କରାଯାଇଛି । ପ୍ରଥମ ଥର ପାଇଁ ଇଣ୍ଡିଆନ ଅଏଲ୍ ପକ୍ଷରୁ ଏହି ହୋମ୍ ଡେଲିଭରି ସେବା ଯୋଗାଇ ଦିଆଯିବା ନେଇ ଘୋଷଣା କରାଯାଇଛି । ଏହି ସେବା ପ୍ରଥମେ ପୁନେ ଏବଂ ମହାରାଷ୍ଟରୁ ଆରମ୍ଭ ହେବ । ପରେ ପରେ ଅନ୍ୟ ସହର ଗୁଡିକରେ ମଧ୍ୟ ଏହି ସେବା ଖୁବ୍ ଶୀଘ୍ର ଯୋଗାଇ ଦିଆଯିବ । ଡିଜେଲର ଏହି ହୋମ୍ ଡେଲିଭରି ସେବା ନେଇ ଆଇଓସିଏଲ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ଏହି ସେବା ଯୋଗାଇ ଦେବା ଦ୍ୱାରା ଆଇଓସିଏଲ୍ ଆଉ ଏକ ମାଇଲଖୁଣ୍ଟହାସଲ କରିଛି । ପ୍ରଥମ ଥର ପାଇଁ ଏହି ହୋମ୍ ଡେଲିଭରି ସେବା ମୋବାଇଲ୍ ଡିସପେନସର୍ ଜରିଆରେ ଗ୍ରାହକଙ୍କ ନିକଟରେ ଉପଲବ୍ଧ କରାଯିବ । ଗ୍ରାହକମାନେ ନିଜ ଘର ଆଗରେ ଡିଜେଲ ପାଇପାରିବେ ।ଏହି ବ୍ୟବସ୍ଥା ଦ୍ୱାରା ବ୍ୟବସାୟିକ ଯାନ ଗୁଡିକର ମାଲିକ ମାନେ ଲାଭବାନ ହେବେ । ଇଣ୍ଡିଆନ ଅଏଲର ଏହି ହୋମ୍ ଡେଲିଭରି ସେବା ଦ୍ୱାରା ଗାଡି ମାଲିକ ମାନଙ୍କର ଉଭୟ ସମୟ ଓ ଟଙ୍କା ବଞ୍ଚିବ ।

ଏହି ସେବା ଦ୍ୱାରା ଦୂରଦୂରାନ୍ତରରେ ଥିବା ଉପାନ୍ତ ଅଞ୍ଚଳର ଲୋକମାନେ ଉପକୃତ ହୋଇପାରିବେ । ବିପଦକାଳୀନ ପରିସ୍ଥିତିରେ ମଧ୍ୟ ଏହି ସେବା ବ୍ୟବହାର କରାଯାଇପାରିବ । ତେବେ ଏହି ହୋମ୍ ଡେଲିଭରି ସେବାର କାର୍ଯ୍ୟଶୈଳୀ ସମ୍ପର୍କରେ ଆଇଓସିଏଲ୍ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ଆଇଓସିଏଲ୍ ର ଏହି ଘୋଷଣା ପରେ ଜନସାଧାରଣରେ ଉଠିଛି ଅନେକ ପ୍ରଶ୍ନ । ଡିଜେଲ ର ମୂଲ୍ୟ ଅପରିବର୍ତ୍ତିତ ରହିବ, ନା ଏହି ସେବା ପାଇଁ ଆଇଓସିଏଲ୍ ଅଧିକ ମୂଲ୍ୟ ନେବ ? ଗୋଟିଏ ଗାଡି ପାଇଁ କେତେ ପରିମାଣର ଡିଜେଲ ଯୋଗାଇ ଦିଆଯିବ ? ଏସମ୍ପର୍କରେ ଆଇଓସିଏଲ୍ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।ତେବେ ଏପର୍ଯ୍ୟନ୍ତ ପେଟ୍ରୋଲର ହୋମ ଡେଲିଭରି କରାଯିବା ନେଇ ଆଇଓସିଏଲ୍ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଡିଜେଲ୍ ଅପେକ୍ଷା ପେଟ୍ରୋଲ୍ ଅଧିକ ଅସୁରକ୍ଷିତ । ବର୍ତ୍ତମାନ ପାଇଁ କେବଳ ଜିଜେଲର ହୋମ୍ ଡେଲିଭରି ପାଇଁ ଆଇଓସିଏଲ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।