କନକ ବ୍ୟୁରୋ : ରାଜଧାନୀରେ ସଟ୍ଡାଉନ ପରେ ୧୩ଟି ଜୋନ୍ରେ ୩୯ଟି ମେଡିସିନ ଷ୍ଟୋରକୁ ଔଷଧ ବିକିବା ପାଇଁ ଅନୁମତି ମିଳିଛି। ହେଲେ ଏହା ମଧ୍ୟରେ ଗୋଟିଏ ମଧ୍ୟ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ କେନ୍ଦ୍ର (ପିଏମବିଜେକେ) ଖୋଲିବା ପାଇଁ ଅନୁମତି ମିଳିନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଜନଔଷଧୀ କେନ୍ଦ୍ରମାନଙ୍କରେ ଯେକୌଣସି ଔଷଧ ପ୍ରାୟ ୬୦ ପ୍ରତିଶତ କମ୍ ଦରରେ ଉପଲବ୍ଧ ହୁଏ। ଫଳରେ ବହୁ ଗରିବ ଲୋକେ ଏହି କେନ୍ଦ୍ରରୁ ହିଁ ଔଷଧ କିଣନ୍ତି। ମାତ୍ର ଭୁବନେଶ୍ବରରେ ୧୦ଟି ଏହିଭଳି ଜନଔଷଧୀ କେନ୍ଦ୍ର ରହିଥିଲେ ହେଁ ସେମାନଙ୍କୁ ଏହି ସଟ୍ଡାଉନ ସମୟରେ ଔଷଧ ବିକ୍ରି ପାଇଁ ଅନୁମତି ଦିଆଯାଇନାହିଁ ବୋଲି ଅଲ୍ ଓଡ଼ିଶା ଜନଔଷଧୀ ପ୍ରୋପ୍ରାଇଟର୍ସ ଆସୋସିଏସନର କୋଷାଧ୍ୟକ୍ଷ ସଞ୍ଜୟ ମହାନ୍ତି କହିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ମହାନ୍ତିଙ୍କ ସୂଚନା ମୁତାବକ ନୂଆପଲ୍ଲୀ, କଳିଙ୍ଗନଗର, ପୁରୁଣା ଭୁବନେଶ୍ବର, ପଳାଶୁଣି, ବରମୁଣ୍ଡା ଆଦିରେ ଜନଔଷଧୀ କେନ୍ଦ୍ରଗୁଡ଼ିକ ରହିଥିଲେ ହେଁ ସେଗୁଡ଼ିକୁ ଅନୁମତି ଦିଆନଯାଇ ଅନ୍ୟ ମେଡିସିନ ଷ୍ଟୋର୍ଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିଛି। ବିଡ଼ମ୍ବନା ଏହି ଯେ, ଏମ୍ସ ସମ୍ମୁଖରେ ଏକ ଜନଔଷଧୀ କେନ୍ଦ୍ର ରହିଛି। ଏମ୍ସରେ ଚିକିତ୍ସିତ ହେଉଥିବା ଓ ଡାକ୍ତର ପରାମର୍ଶ କରୁଥିବା ବହୁ ନିୟମିତ ଲୋକେ ଏଠାରୁ ଔଷଧ କିଣିଥାଆନ୍ତି। ମାତ୍ର ଦୁର୍ଭାଗ୍ୟ ଏଠାରେ ଜନଔଷଧୀ କେନ୍ଦ୍ର ଖୋଲିବାକୁ ଅନୁମତି ଦିଆନଯାଇ ଏହାଠୁ ଦୂରରେ ଥିବା ଏକ ମେଡିସିନ ଷ୍ଟୋର୍କୁ ଔଷଧ ବିକ୍ରି ପାଇଁ ଅନୁମତି ମିଳିଛି। ଅଲ୍ଓଡ଼ିଶା ଜନଔଷଧୀ ପ୍ରୋପ୍ରାଇଟର୍ସ ଆସୋସିଏସନର ସଭାପତି ପି.କେ ସିହ୍ନାଙ୍କ କହିବା ମୁତାବକ, ଯେବେ ଭୁବନେଶ୍ବର, କଟକ, ଭଦ୍ରକକୁ କରୋନା ମୁକାବିଲା ଉଦ୍ଦେଶ୍ୟରେ ସଟ୍ଡାଉନ ଘୋଷଣା କରାଗଲା ଏବଂ କିଛି ଔଷଧ ଦୋକାନର ତାଲିକା ପ୍ରକାଶ ପାଇଲା ସେତେବେଳେ ସେଥିରେ ଜନଔଷଧୀ କେନ୍ଦ୍ରଗୁଡ଼ିକୁ ଅନୁମତି ମିଳିନଥିଲା। ତେବେ ଆଜି ମିଳିଥିବା ସୂଚନା ମୁତାବକ କଟକରେ ୫ଟି ସ୍ଥାନରେ ଥିବା ଜନଔଷଧୀ କେନ୍ଦ୍ରକୁ ଔଷଧ ବିକ୍ରିର ଅନୁମତି ମିଳିଛି। ଏ ସଂକ୍ରାନ୍ତରେ ସଭାପତି ଶ୍ରୀ ସିହ୍ନା, କଟକ ଜିଲ୍ଲା ପ୍ରଶାସନ, ଖୋର୍ଧା ଜିଲ୍ଲାପାଳ କାର୍ୟ୍ୟାଳୟ, ଷ୍ଟେଟ୍ ଡ୍ରଗ କଣ୍ଟ୍ରୋଲର କାର୍ଯ୍ୟାଳୟ, କଟକ ମହାନଗର ନିଗମ, ଭୁବନେଶ୍ବର ମହାନଗର ନିଗମ, ପିଏମଓ ଇଣ୍ଡିଆ, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନାକୁ ଅବଗତ କରାଇଛନ୍ତି।
ସରକାର ମାତ୍ର ୪୮ ଘଣ୍ଟା ସଟ୍ଡାଉନ ଘୋଷଣା କରି କିଛି ସୀମିତ ମେଡିସିନ ଷ୍ଟୋର ଖୋଲିବାକୁ ଅନୁମତି ଦେଇଛନ୍ତି। ମାତ୍ର ଆସନ୍ତା ଦିନମାନଙ୍କରେ ଯଦି ସଟ୍ଡାଉନ ଅବଧି ବୃଦ୍ଧି ପାଏ ତେବେ ଗରିବ ଲୋକଙ୍କ ହିତ ଦୃଷ୍ଟିରୁ ଏହି ଜନଔଷଧୀ କେନ୍ଦ୍ରଗୁଡ଼ିକୁ ଗୁରୁତ୍ବ ଦେବା ପାଇଁ ସଂଘର କୋଷାଧ୍ୟକ୍ଷ ସଂଜୟ ମହାନ୍ତି ଅନୁରୋଧ କରିଛନ୍ତି।