ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଭୁବନେଶ୍ୱର ଏମ୍ସ । ସ୍ୱାସ୍ଥ୍ୟମନ୍ତ୍ରୀ ଓ ଏମ୍ସ ନିର୍ଦ୍ଦେଶିକାଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

433

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସରେ ମିଳିବ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ । ରାଜ୍ୟର ସମସ୍ତ ସରକାରୀ ଓ ଅନୁବନ୍ଧିତ ହସ୍ପିଟାଲ ଭଳି ଏମ୍ସରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଫାଇଦା ପାଇବେ ଲୋକେ । ଆଜି ଠାରୁ ବିଧିବଦ୍ଧ ଭାବେ ଭୁବନେଶ୍ୱର ଏମ୍ସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ଏମ୍ସ ନିର୍ଦ୍ଦେଶିକା ଉପସ୍ଥିତିରେ ଏନେଇ ଏମଓୟୁ ସ୍ୱାକ୍ଷରିତ ହୋଇଛି ।

ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ଓ ରାଜ୍ୟ ବାହାରର ୨୦୮ଟି ହସ୍ପିଟାଲକୁ ସାମିଲ କରାଯାଇଥିଲା । ତେବେ ପରେ ଏହାର ପରଧିକୁ ବଢାଯାଇଥିଲା । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ଏହି ଯୋଜନାକୁ ଲାଗୁ କରାଯାଇଥିଲା । କିନ୍ତୁ ସେତେବେଳେ ଭୁବନେଶ୍ୱର ଏମ୍ସରେ ଏହାକୁ ଲାଗୁ କରାଯାଇନଥିଲା । କିନ୍ତୁ ଏବେ ଏହି ଯୋଜନାର ଫାଇଦା ଭୁବନେଶ୍ୱର ଏମ୍ସରେ ମଧ୍ୟ ପାଇପାରିବେ ରୋଗୀ ।

ସାଧାରଣ ଲୋକଙ୍କୁ ଉତ୍ତର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଗତବର୍ଷ ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା । ପ୍ରାୟ ୭୦ ଲକ୍ଷ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ ନ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଲାଗୁ କରିଥିଲେ ରାଜ୍ୟ ସରକାର । ଆଉ ଏହି ଯୋଜନାରେ ଚିକିତ୍ସା ବାବଦକୁ ପ୍ରତି ପରିବାରକୁ ୫ ଲକ୍ଷ ଓ ମହିଳା ମାନଙ୍କୁ ଅତିରିକ୍ତ ୨ ଲକ୍ଷ ଟଙ୍କାର ସହାୟତା ରାଶି ମିଳୁଛି ।