ବ୍ରହ୍ମପୁର ସସପେନ୍ସ ! ବଢୁଛି ସିଦ୍ଧାନ୍ତଙ୍କ ସଙ୍କଟ, ଚମକିବେ କି ଚନ୍ଦ୍ରଶେଖର । ଯୋଗ୍ୟ ପ୍ରାର୍ଥୀ ଖୋଜୁଛି ଗେରୁଆ କ୍ୟାମ୍ପ, ଶକ୍ତି ଗୋଟାଉଛି ‘ହାତ’ ।

464

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ପାଇଁ ଉଷ୍ମ ହେଉଛି ରାଜ୍ୟ ରାଜନୀତି ପାରଦ । ଏହି ବ୍ରହ୍ମପୁର ଲୋକସଭା ଆସନ ଦିନେ କଂଗ୍ରେସର ଗଡ଼ ଥିଲା । କିନ୍ତୁ ଗତ ୧୦ବର୍ଷ ହେଲା ବିଜୁ ଜନତା ଦଳ ଦଖଲରେ ରହିଛି ଏହି ଆସନ। ଗୁରୁତ୍ବପୂର୍ଣ୍ଣ କଥା ହେଲା ଗତ ସାଧାରଣ ନିର୍ବାଚନରେ ଏହି ଆସନରୁ ପ୍ରାର୍ଥୀ ହୋଇଥିବା କ˚ଗ୍ରେସ ଓ ବିଜେପି ନେତା ଇତିମଧ୍ୟରେ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଯାହାଫଳରେ ବିଜେପି ଓ କଂଗ୍ରେସ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ବର୍ତ୍ତମାନ ଏହି ଦୁଇ ବିରୋଧୀ ଦଳ ଯୋଗ୍ୟ ପ୍ରାର୍ଥୀ ସନ୍ଧାନରେ ଥିବା ଚର୍ଚ୍ଚା ହେଉଛି ।

ବ୍ରହ୍ମପୁର ଲୋକସଭା ଆସନ ୧୯୭୭ ମସିହାରେ ସୃଷ୍ଟି ହୋଇଥିଲା। ସେତେବେଳେ ଏହି ଆସନ କ˚ଗ୍ରେସ ହାତକୁ ଯାଇଥିଲା। ଏହାପର ଠାରୁ କ˚ଗ୍ରେସ ଢେର୍ ବର୍ଷ ପର୍ଯ୍ୟନ୍ତ କଂଗ୍ରେସର ଗଡ଼ ରହି ଆସିଥିଲା। କିନ୍ତୁ ୧୯୯୯ ଲୋକସଭା ନିର୍ବାଚନରେ କ˚ଗ୍ରେସ ଏହି ଆସନ ପ୍ରଥମ ଥର ପାଇଁ ହାତ ଛଡା କରିଥିଲା। ସେତେବେଳେ ବିଜେଡି-ବିଜେପି ମେଣ୍ଟ ହୋଇଥିବାରୁ ଏହି ଆସନ ବିଜେପି କ୍ଷମତାକୁ ଯାଇଥିଲା । କିନ୍ତୁ ୨୦୦୪ ଲୋକସଭାରେ ପୁଣି କ˚ଗ୍ରେସ ଏହି ଆସନକୁ କବଜ୍ଜା କରି ନେଇଥିଲା । ବିଜେପି ପ୍ରାର୍ଥୀ ଅନାଦି ସାହୁଙ୍କୁ ହରାଇ କ˚ଗ୍ରେସ ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ ବିଜୟୀ ହୋଇ ଉପା ନେତୃତ୍ବାଧୀନ ସରକାରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ହେଲେ ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ କ˚ଗ୍ରେସ ନିଜ ଗଡକୁ ଆଉ ସୁରକ୍ଷିତ ରଖିବାରେ ସକ୍ଷମ ହୋଇ ନ ଥିଲା।

ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ତି, ଚିକିଟି ନିର୍ବାଚନ ମଣ୍ତଳୀ ଏବ˚ ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ତି ନିର୍ବାଚନମଣ୍ତଳୀକୁ ବ୍ରହ୍ମପୁର ଲୋକସଭା ଆସନ ଗଠିତ। ୨୦୦୯ରେ ଏହି ଆସନରୁ କ˚ଗ୍ରେସରୁ ଚନ୍ଦ୍ର ଶେଖର ସାହୁ, ବିଜୁ ଜନତା ଦଳ ସିନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବ˚ ବିଜେପିରୁ ଭରତ ପାଇକ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ସିଦ୍ଧାନ୍ତ ବିଜୟୀ ହୋଇଥିଲେ। ସେହିପରି ଗତଥର କିନ୍ତୁ ବିଜେପି ତାର ସାଂସଦ ପ୍ରାର୍ଥୀ ପରିବର୍ତନ କରି ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ତାଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ୨୦୧୪ ଅନୁରୂପ ସ୍ଥିତି ଦେଖାଯାଇଥିଲା ଓ ବିଜେଡିରୁ ସିଦ୍ଧାନ୍ତ ପୁର୍ନବାର ବିଜୟୀ ହୋଇଥିଲେ ।

ବର୍ତ୍ତମାନ ବ୍ରହ୍ମପୁର ଲୋକସଭା ଆସନରେ ରାଜନୈତିକ ପାଣିପାଗ ଭିନ୍ନ ରହିଛି। ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ରହିଥିବା ଦୁଇ ପ୍ରତିଦ୍ବନ୍ଦୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଏବ˚ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ତା ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଯାହା ବିଜେଡି ଶକ୍ତି ବୃଦ୍ଧି କରିଛି ସତ କିନ୍ତୁ ଲୋକସଭା ଆସନ ଲାଗି ଆଶାୟୀ ସ˚ଖ୍ୟା ବଢିବା ସାଙ୍ଗକୁ ଦଳୀୟ କନ୍ଦଳ ମୁଣ୍ତ ଟେକିଛି। ଏହି ଆସନରୁ ଲଢିବା ପାଇଁ ବର୍ତ୍ତମାନର ସା˚ସଦ ସିଦ୍ଧାନ୍ତ ମହାପାତ୍ର ଆଶାୟୀ ରହିଥିବା ବେଳେ ବିଜେଡିରେ ଯୋଗଦେଇଥିବା ଚନ୍ଦ୍ରଶେଖର ଓ ରାମଚନ୍ଦ୍ର ମଧ୍ୟ ଦୌଡରେ ପଛରେ ନାହାନ୍ତି ।  ୧୯୭୭ ଠାରୁ ଇତିମଧ୍ୟରେ ହୋଇଥିବା ନିର୍ବାଚନ ମଧ୍ୟରେ ୩ଟି ନିର୍ବାଚନ କ˚ଗ୍ରେସ ଏହି ଆସନକୁ ହାତଛଡା କରିଥିବା ବେଳେ ଏଥର ଏହି ଆସନ କିଭଳି ପୁଣି ଭଲ ପ୍ରଦର୍ଶନ କରିବ ତାହାକୁ ନେଇ ରଣନୀତି ପ୍ରସ୍ତୁତ କରୁଛି। କିନ୍ତୁ ଦଳ ପାଇଁ ଉପଯୁକ୍ତ ପ୍ରାର୍ଥୀ ସଙ୍କଟ ଲାଗି ରହିଛି। ଏହି ଲୋକସଭା ଆସନ ଲାଗି ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସମାନ୍ତରାୟ, କ˚ଗ୍ରେସ ଜିଲ୍ଲା ସଭାପତି ଡାକ୍ତର ତ୍ରିନାଥ ବେହେରା, ଶିବ ପାତ୍ର ଏବ˚ ବରିଷ୍ଠ ଓକିଲ ରଶ୍ମୀରଞ୍ଜନ ପଟ୍ଟନାୟକ ଆଶାୟୀ ରହିଛନ୍ତି।

ଅପରପକ୍ଷେ ବିଜେପି ପାଇଁ ବ୍ରହ୍ମପୁର ଲୋକସଭା ଆସନ ବଡ଼ ସମସ୍ୟା ସୃଷ୍ଟି କରୁଛି । କାରଣ ଏହି ଆସନରୁ କାହାକୁ ବିଜେପି ପ୍ରାର୍ଥୀ କରିବ ତାହାକୁ ନେଇ ଏବେ ବି ଦ୍ୱନ୍ଦରେ ରହିଛି ଗେରୁଆ କ୍ୟାମ୍ପ । ବିଜେପି ଜିଲ୍ଲା ସଭାପତି କାହ୍ନୁଚରଣ ପତି ଏହି ଲୋକସଭା ଆସନ ଲାଗି ଆଶାୟୀ ଥିବାବେଳେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ରଙ୍କ ନାମ ମଧ୍ୟ ଚର୍ଚ୍ଚା ପରିସରରେ ଅଛି। ଅର୍ଥାତ୍ ଆଗାମୀ ନିର୍ବାଚନ ରୋଚକ ମୋଡ଼ରେ ପହଁଚିଥିବା ଦେଖିବାକୁ ମିଳିଛି ।