ସାଧାରଣ ବଜେଟ ଉପସ୍ଥାପନକୁ ଆଉ ଅଳ୍ପ ସମୟ ବାକି । କେମିତି ବଢାଇବେ ରାଜସ୍ୱ । ଜାଣନ୍ତୁ କି ରଣନୀତି କରିବେ ସରକାର ।

68

କନକ ବ୍ୟୁରୋ : ବଜେଟରେ କେବଳ ଲୋକଙ୍କ ଆଶା ରହିନଥାଏ, ବରଂ ସରକାର ମଧ୍ୟ ଚାହିଁଥାନ୍ତି କିଭଳି ରାଜସ୍ୱ ବଢିବ । ଏଥିପାଇଁ ଖାସ ରଣନୀତି ମଧ୍ୟ କରାଯାଇଥାଏ । ବଜେଟ ସମୟରେ ଲୋକଙ୍କୁ ଫାଇଦା ଦେବା ସହ ନିଜର ଆୟ କଥା ବି ଚିନ୍ତା କରିଥାନ୍ତି ସରକାର । ଗତ ବର୍ଷ ଜୁଲାଇରେ ସରକାର ଜିଏସଟି ଲାଗୁ କରିଥିଲେ । ଏହା ପରେ ସରକାରଙ୍କ ଆୟ ଏକପ୍ରକାର କମିଛି । ଏହି ଦୃଷ୍ଟିରୁ ମୋଦି ସରକାରଙ୍କ ଏହି ବଜେଟକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।

ତେଣୁ ସରକାର ଏଥର ୪ଟି ଟ୍ୟାକ୍ସକୁ ବଢାଇପାରନ୍ତି ସରକାର । ସରକାର ଲଙ୍ଗ ଟର୍ମ କ୍ୟାପିଟାଲ ଗେନ ଉପରେ ଟ୍ୟାକ୍ସ ବଢାଇପାରନ୍ତି । ବର୍ତମାନ ସମୟରେ ଭାରତରେ ଲିଷ୍ଟେଡ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ ଉପରେ କୌଣସି କର ଲାଗୁ ହୋଇନାହିଁ । କୌଣସି ସେୟାରକୁ ୧୨ ମାସ ପରେ ବିକ୍ରିକଲେ ସେଥିରୁ ହେଉଥିବା ଲାଭକୁ କୁହାଯାଏ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ । ଏହା ହେଲେ ଆପଣଙ୍କ ଉପରେ ଟ୍ୟାକ୍ସ ବୋଝ ବଢିବ । ବିଦେଶ ନିବେଶ ବି ପ୍ରଭାବିତ ହୋଇପାରେ । ଆଉ ଏହାକୁ କମ କରିବା ପାଇଁ ସରକାର ସିକ୍ୟୁରିଟି ଟ୍ରାଞ୍ଜାକସନ ଟ୍ୟାକ୍ସକୁ ବଢାଇପାରନ୍ତି । ବର୍ତମାନ ଏହି ଟ୍ୟାକ୍ସ ୦.୧ ପ୍ରତିଶତ ରହିଛି । ଏହି ଟ୍ୟାକ୍ସକୁ ସରକାର ଲଙ୍ଗ ଟର୍ମ କ୍ୟାପିଟାଲ ଗେନ ଉପରେ ଲଗାଇବାକୁ ଥିବା ଟ୍ୟାକ୍ସର ବିକଳ୍ପ ଭାବେ ଲାଗୁ କରିପାରନ୍ତି ।

ଏହାହେଲେ ଅଳ୍ପ ସମୟ ପାଇଁ ସେୟାର ବଜାରରେ ପୁଞ୍ଜି ଲଗାଇଥିବା ଲୋକ ପ୍ରଭାବିତ ହେବେ । ସେହିଭଳି ଅପ୍ରତ୍ୟକ୍ଷ କର କୁହାଯାଉଥିବା କଷ୍ଟମସ ଡ୍ୟୁଟିକୁ ସରକାର ବଢାଇପାରନ୍ତି । ଏହାହେଲେ ସିଧାସଳଖ ଆପଣଙ୍କ ଉପରେ କୌଣସି ପ୍ରଭାବ ନପଡିଲେ ମଧ୍ୟ ବିଭିନ୍ନ ପ୍ରଡକ୍ଟର ଦାମ ବଢିପାରେ । ସେହିଭଳି ରାଜସ୍ୱ ବଢାଇବାକୁ ସରକାର ଇନହେରିଟ୍ୟାନ୍ସ ଟ୍ୟାକ୍ସକୁ ବଢାଇପାରନ୍ତି । ଏହା ହେଲେ ମଧ୍ୟବିତ ଶ୍ରେଣୀର ଲୋକେ ଦେଉଥିବା ଟ୍ୟାକ୍ସ ଉପରେ କୌଣସି ପ୍ରଭାବ ପଡିବ ନାହିଁ । କିନ୍ତୁ ବଡ ରକମର ଟ୍ୟାକ୍ସ ଦେଉଥିବା ଲୋକଙ୍କ ଉପରେ ପ୍ରଭାବ ପଡିବ ।