ଶୁଖିଲା ମହାନଦୀରୁ ମିଳୁଛି ମୁଲ୍ୟବାନ ହୀରା ! ୨ କୋଟି ଟଙ୍କାର ହୀରା ୨୦ ହଜାରରେ ବିକ୍ରି, ମାଲାମାଲ ହେଉଛନ୍ତି ବିଦେଶୀ ବେପାରୀ

86

କନକ ବ୍ୟୁରୋ : ବୌଦ୍ଧ ମହାନଦୀ ପଠାରୁ ମିଳୁଛି ହୀରା । କେବଳ ହୀରା ନୁହେଁ ଅନ୍ୟାନ୍ୟ ମୁଲ୍ୟବାନ ରତ୍ନ ପଥର ମଧ୍ୟ ଏହିଠାରୁ ମିଳୁଥିବା ନେଇ ଖବର ସାମ୍ନାକୁ ଆସିଛି । ମହାନଦୀ ପଠା ଶୁଖିଯିବା ପରେ ଲୋକ ହୀରା ଖୋଜିବାରେ ଲାଗିପଡନ୍ତି । ମହାନଦୀରେ ପାଣି ଶୁଖିଗଲେ ଦିନରାତି ଏକ କରି ରତ୍ନ ପଥର ଖୋଜନ୍ତି ଲୋକେ । ସାଧାରଣତଃ ଖରାଦିନେ ଏଭଳି ଦୃଶ୍ୟ ଅଧିକ ଦେଖିବାକୁ ମିଳେ । ତେବେ ହୀରା ମିଳିବା ପରେ ଏହାକୁ ନେଇଯାଆନ୍ତି ରାଜ୍ୟ ତଥା ଦେଶ ବାହାରୁ ଆସିଥିବା ବେପାରୀ । ଖୁବ କମ ପଇସା ଦେଇ ମୁଲ୍ୟବାନ ହୀରାକୁ ହାତେଇନିଅନ୍ତି ଏଭଳି ଚୋରା ବେପାରୀ । କିନ୍ତୁ ପ୍ରଶାସନ ପାଖରେ ଏଯାଏଁ ଖବର ନାହିଁ । ଯାହା ବିଦେଶୀ ବେପାରୀଙ୍କୁ ବେଶ ସୁହାଉଛି ।

vlcsnap-2017-12-15-20h06m46s816ବୌଦ୍ଧର ଶୁଖିଲା ମହାନଦୀ ଅବବାହିକାରେ ଆପଣ ଯୁଆଡେ ଚାହିଁବେ ଲୋକେ କିଛି ଖୋଜୁଥିବାର ଦେଖିବେ । ବହୁ ସଂଖ୍ୟାରେ ଲୋକ ଶୁଖିଲା ନଦୀ ପଠାରେ କଣ ଖୋଜି ଚାଲିଥିବେ ତାହା ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠିବ । ଆଉ ଯଦି ଆପଣ ତାଙ୍କ ପାଖକୁ ଯାଇ ପ୍ରଶ୍ନ ପଚାରିବେ ତାହାଲେ ଏହାର ଜବାବ ସହଜରେ ଆପଣଙ୍କୁ ଦେବେନାହିଁ । ମୁହଁ ଲୁଚାଇ ଚାଲିଯିବେ କିମ୍ବା ସେଠାରୁ ଦୌଡି ପଳାଇବେ । ଯାହା ହୀରା ଚୋରାଚାଲଣକୁ ସ୍ପଷ୍ଟ ସୂଚାଉଥିଲା ।

ଶହଶହ ଲୋକ ଏହିଭଳି ନଈପଠାରେ ବର୍ଷବର୍ଷ ଧରି ହୀରା ଖୋଜୁଛନ୍ତି । ଅନେକ ଏହି ହୀରାକୁ ବିକି କୋଟିପତି ବନିଯାଇଛନ୍ତି ଓ ସେହିମାନେ ପୁଣି ଲୋକଙ୍କୁ ଲଗାଇ ହୀରା ଖୋଜୁଛନ୍ତି । ନିଜର ପରିଚୟ ଗୋପନ ରଖି କହୁଛନ୍ତି ଯେ, ତାଙ୍କୁ ଥରେ ହୀରା ମିଳିଲା ଓ ମାତ୍ର ୨୦ ହଜାର ଟଙ୍କାରେ ଜଣେ ବେପାରୀଙ୍କୁ ବିକ୍ରି କରିଦେଲେ । ବେପାରୀ ଜଣକ କୁଆଡେ ବହୁ ମୂଲ୍ୟରେ ସେହି ହୀରାକୁ ବିକ୍ରି କରିଥିଲେ ।

ବୌଦ୍ଧର ଏହି ମହାନଦୀ ପଠାରେ ହୀରାଛଡା ଅନ୍ୟ ୬ଟି ରତ୍ନପଥର ବି ମିଳେ । ନୀଳା, ମାଣିକ, ବୈଦୁର୍ଯ୍ୟ, ପାନ୍ନା, ପୋଖରାଜ ଓ ଟୋପାଜ ଭଳି ରତ୍ନ ପଥର ଏଠାରୁ ଗୋଟାଇବାରେ ଲାଗିଛନ୍ତି ମାଫିଆମାନେ । ଏହା ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ ଓ ପଠାରୁ ମିଳୁଥିବା ରତ୍ନପଥର ଓ ହୀରା ବ୍ୟବସାୟକୁ ନିୟନ୍ତ୍ରଣ କରୁଛନ୍ତି ମାଫିଆମାନେ । କୁହାଯାଏ ୧୯୮୨ ମସିହାରେ ମହାନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବା ପରେ ବୌଦ୍ଧ ମହାନଦୀ ପଠାରେ ଏଭଳି ରତ୍ନ ପଥର ଓ ହୀରାର ସନ୍ଧାନ ମିଳିଲା । ସେବେଠାରୁ ୩୫ ବର୍ଷ ହେଲାଣି ମହାନଦୀରେ ପାଣି ଶୁଖିଗଲେ ମୁଖ୍ୟତଃ ଖରାଦିନେ ଏହିଭଳି ହୀରା ଓ ରତ୍ନ ପଥରର ସନ୍ଧାନ ଆରମ୍ଭ ହୋଇଯାଏ । ଆଉ ବୌଦ୍ଧ ସହରରେ ପହଂଚିଯାଆନ୍ତି ଦେଶ ତଥା ଦେଶ ବାହାରର ହୀରା ଓ ରତ୍ନ ପଥର ବେପାରୀ । ଖୁଲମଖୁଲ୍ଲା, ବେଧଡକ ଚାଲେ ଏହି କାରବାର । କିନ୍ତୁ ଏହି ରତ୍ନ ବୌଦ୍ଧ କିମ୍ବା ଓଡିଶାର ବିଶେଷ କିଛି ସ୍ୱାର୍ଥ ସାଧନ କରେନାହିଁ । କେବଳ ବାହାର ବ୍ୟବସାୟୀ ହିଁ ମାଲାମାଲ ହୁଅନ୍ତି ।