ମୋଦି ସରକାର ପାଇଁ ଆଶ୍ୱସ୍ତିର ଖବର ! ଟ୍ରାକକୁ ଫେରିଲା ଭାରତୀୟ ଅର୍ଥନୀତି, ଦ୍ୱିତୀୟ କ୍ୱାର୍ଟରରେ ୬ ଦଶମିକ ୩ ହାରରେ ବଢିଲା ଜିଡିପି

18

କନକ ବ୍ୟୁରୋ : ବିମୁଦ୍ରାକରଣ ଓ ଜିଏସଟି ଲାଗୁ ପରେ ଖସି ପଡିଥିବା ଦେଶର ଅର୍ଥନୀତି ନେଇ ଆସିଲା ଖୁସି ଖବର । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ରିପୋର୍ଟରେ ବୃଦ୍ଧି ପାଇଛି ଆର୍ଥିକ ଅଭିବୃଦ୍ଧି । ପ୍ରଥମ ତ୍ରୟମାସିକରେ ୨ ପ୍ରତିଶତ ଜିଡିପି ହ୍ରାସ ଘଟିବା ପରେ ଏବେ ଆସିଛି ମୋଦି ସରକାରଙ୍କ ପାଇଁ ଆଶ୍ୱସ୍ତିର ଖବର । କେନ୍ଦ୍ର ସରକାର ଆଜି ପ୍ରକାଶ କରିଥିବା ତଥ୍ୟ ଅନୁସାରେ ଜୁଲାଇରୁ ସେପ୍ଟେମ୍ବରରେ ଜିଡିପି ବା ଘରୋଇ ଉତ୍ପାଦ ବୃଦ୍ଧି ପାଇ ୬ ଦଶମିକ୍ ୩ ପ୍ରତିଶତ ହୋଇଛି ।

ପ୍ରଥମ ତ୍ରୟମାସିକ ଅର୍ଥାତ୍ ଏପ୍ରିଲରୁ ଜୁନ୍ ମଧ୍ୟରେ ଜିଡିପି ହାର ଥିଲା ୫ ଦଶମିକ୍ ୭ ପ୍ରତିଶତ । ତେବେ ପରବର୍ତୀ ତିନି ମାସରେ ଘରୋଇ ଉତ୍ପାଦନରେ ଦଶମିକ୍ ୬ ପ୍ରତିଶତ ବୃଦ୍ଧି ପାଇଛି । ଗତ ତିନି ମାସରେ ଅର୍ଥନୀତି ପୁଣି ଥରେ ଟ୍ରାକକୁ ଫେରିଥିବାରୁ ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥାରେ ସୁଧାର ଆସୁଥିବା ସଂକେତ ମିଳିଛି । ଗତ ମାସରେ ରିଜର୍ଭ ବ୍ୟାଙ୍କର ଗଭର୍ନର ଉର୍ଜିତ ପଟେଲ୍ ମଧ୍ୟ କହିଥିଲେ ଆର୍ଥିକ ଅଭିବୃଦ୍ଧି ନେଇ ସକାରାତ୍ମକ ପରିବର୍ତନ ଦେଖାଯାଉଛି ।

ତେବେ ୨୦୧୬ ସେପ୍ଟେମ୍ବର ମାସରେ ଜିଡିପି ଥିଲା ୭.୫ ପ୍ରତିଶତ, ବିମୁଦ୍ରାକରଣ ପରେ ଅର୍ଥାତ ଡିସେମ୍ବର ୨୦୧୬ରେ ୭ ପ୍ରତିଶତକୁ ଖସି ଆସିଥିଲା ଜିଡିପି । ୨୦୧୭ ମାର୍ଚ୍ଚରେ ୬ ଦଶମିକ୍ ୧ ଏବଂ ଜିଏସଟି ଲାଗୁ ପରେ ଅର୍ଥାତ ଜୁନ ମାସରେ ଏହା ଆହୁରି ଖସି ଯାଇ ପହଁଚିଥିଲା ୫ ଦଶମିକ୍ ୭ ପ୍ରତିଶତରେ । ଏବେ ଏଥିରେ ସୁଧାର ଆସିବା ଭାରତୀୟ ଅର୍ଥନୀତି ପାଇଁ ଏକ ଶୁଭ ସଂକେତ ବୋଲି କୁହାଯାଉଛି ।