ଜଟିଳ ସ୍ଥିତିରେ ଜଗାର ଜଗମୋହନ : ବୈଷୟିକ କମିଟିର ପୂର୍ବତନ କାର୍ଯ୍ୟକାରୀ ଅଧକ୍ଷଙ୍କ ସାଂଘାତିକ ତଥ୍ୟ

17

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଜଗତର ନାଥ ଜଗନ୍ନାଥ ଅସୁରକ୍ଷିତ । ଶ୍ରୀମନ୍ଦିର ଜଗମୋହନର ସ୍ଥିତି ସଂଗୀନ । ଭଙ୍ଗା ଘରେ ରହୁଛନ୍ତି ଶ୍ରୀଜିଉ । ଆଉ ଏହାର ଅତିଶୀଘ୍ର ମରାମତି ନହେଲେ ଅବସ୍ଥା ଭୟାବହ ହେବ । କୋଣାର୍କଠୁ ବଳିଯିବ ଅବସ୍ଥା । ଯେକୋ÷÷ଣସି ସମୟରେ ଭୁଷୁଡି ବି ଯାଇପାରେ । ଏକଥା କହୁଛନ୍ତି, ଖୋଦ୍ ଏଏସ୍ଆଇ କୋର କମିଟିର ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ ଜିସି ମିତ୍ର । ଯେଉଁ ବ୍ୟକ୍ତିଙ୍କ ନେତୃତ୍ୱରେ ପ୍ରାୟ ବର୍ଷେ ହେଲା ପୁରୀ ମନ୍ଦିରର ଜଗମୋହନର ସ୍ଥିତି ଯାଂଚ କରୁଛି ଏଏସଆଇ । ଏହା ସହ ସେ ଏକଥା ମଧ୍ୟ କହିଛନ୍ତି ଯେ ଅତିଶୀଘ୍ର ଏହାର ମରାମତି ଆବଶ୍ୟକ । ନହେଲେ କୋଣାର୍କ ଭଳି ଅବସ୍ଥା ହେବ ।

Jagmohanଏହେଉଛି ଶ୍ରୀମନ୍ଦିରର ଜଗମୋହନର ଫଟୋ । ଏହି ଫଟୋ ଦର୍ଶାଉଛି କିଭଳି ରହିଛି ଗର୍ଭଗୃହକୁ ଲାଗି ରହିଥିବା ଜଗମୋହନର ସ୍ଥିତି । ଯେଉଁଠି ବିରାଜମାନ ଅଛନ୍ତି ଚତୁର୍ଧା ମୁରତି । ଅନେକ ସମୟରେ ଜଗମୋହନର ସ୍ଥିତିକୁ ନେଇ ଉଦବେଗ ପ୍ରକାଶ ପାଇଛି । କିନ୍ତୁ ଏହାର ଯାଂଚ କରୁଥିବା ବୈଷୟିକ କମିଟିର ଅଧ୍ୟକ୍ଷ ଏହି କଥା ସାମ୍ନାକୁ ଆଣିବା ପରେ ପଦାକୁ ଆସିଛି ଜଗମୋହନ ସ୍ଥିତିର ଗମ୍ଭୀରତା ।

ଅଘଟଣ ପୂର୍ବରୁ ଜଗମୋହନର ମରାମତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଗତ ଶୁକ୍ରବାର ଚିଠି ଲେଖିଛନ୍ତି ନବୀନ । ଏଥିରେ କହିଛନ୍ତି, କୌଣସି ଅଘଟଣ ଘଟିବା ପୂର୍ବରୁ ହସ୍ତକ୍ଷେପ କରନ୍ତୁ ମୋଦି । ସେପଟେ ଏଏସଆଇ କୋର କମିଟିର ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ ଜିସି ମିତ୍ରଙ୍କ କହିବା ଅନୁସାରେ ଜଗମୋହନର ୪ ଟି କଲମ ଏବଂ ୮ ଟି ବିମରେ କ୍ରାକ୍ ହୋଇଛି । ୧୦୭୮ରୁ ୧୧୪୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ତିଆରି ହୋଇଥିବା ଏହି ଜଗମୋହନକୁ ବେଳ ଥାଉ ଥାଉ ମରାମତି କରିବା ନିତାନ୍ତ ଜରୁରୀ ହୋଇପଡିଛି ।