ରାଜନୀତିକୁ ଆସିବେନି ଗୌତମ ଗମ୍ଭୀର ! ଚର୍ଚ୍ଚା ହେଉଥିବା ଖବରକୁ କହିଲେ ଗୁଜବ ।

126

ପୂର୍ବତନ କ୍ରିକେଟର୍ ଗୌତମ ଗମ୍ଭୀର ରାଜନୀତିରେ ଯୋଗ ଦେବା ନେଇ କିଛି ଦିନ ହେବ ଜୋରଦାର ଚର୍ଚ୍ଚା ହେଉଛି । କିନ୍ତୁ ଏହାକୁ ଅସ୍ୱୀକାର କରିଛନ୍ତି ଏହି ଭାରତୀୟ ଖେଳାଳୀ । ସେ କହିଛନ୍ତି, ଏହା କେବଳ ଗୁଜବ ଅଟେ । ନିକଟରେ କ୍ରିକେଟ୍ ଜଗତରୁ ସନ୍ୟାସ ନେଇଥିବା ଏହି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରାଜନୀତିକୁ ଆସିବା ନେଇ ଅନିଚ୍ଛା ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, କ୍ରିକେଟରୁ ଅବସର ନେବା ପରେ ଗମ୍ଭୀର ରାଜନୀତିକୁ ଆସିବେ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା । 

ଏପରିକି ରାଜନୀତିରେ ସେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ବୋଲି ସମସ୍ତେ କହୁଥିଲେ । ଦିଲ୍ଲୀ ଲୋକସଭା ଆସନରୁ ଗମ୍ଭୀର ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଗମ୍ଭୀର କହିଛନ୍ତି, ଏହା କେବଳ ଏକ ଗୁଜବ ଅଟେ । ଆଉ ସେ ଜାଣିନାହାନ୍ତି ଯେ, ଏପରି ଗୁଜବ କିଏ ସୃଷ୍ଟି କରୁଛି । ଆଉ ଏବେ ରାଜନୀତିରେ ଆସିବାର ତାଙ୍କର କୌଣସି ଇଚ୍ଛା ନଥିବା ସେ କହିଛନ୍ତି । କିନ୍ତୁ ପୂର୍ବରୁ ଗମ୍ଭୀର ତାଙ୍କ ବୟାନରେ କହିଥିଲେ ଯେ, ସୁଯୋଗ ମିଳିଲେ, ନିଶ୍ଚିତ ଦେଶ ସେବା କରିବେ । ତେବେ ଭାରତୀୟ କ୍ରିକେଟ ଦଳର ଏହି ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ ଆଗକୁ କେଉଁ ପଦକ୍ଷେପ ନେଉଁଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।