ସାମ୍ବାଦିକ ଗୌରି ଲଙ୍କେଶ ହତ୍ୟାକାଣ୍ଡରେ ନୂଆମୋଡ଼ ! ହତ୍ୟା ପଛରେ ନକ୍ସଲଙ୍କ ହାତ ଥିବା ନେଇ ସନ୍ଦେହ

35

କନକ ବ୍ୟୁରୋ: ବିଶିଷ୍ଟ ମହିଳା ସାମ୍ବାଦିକ ଗୌରି ଲଙ୍କେଶଙ୍କ ହତ୍ୟା ପଛରେ ନକ୍ସଲବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ନକ୍ସଲଙ୍କୁ ଆତ୍ମସମର୍ପଣ କରିବାକୁ ସେ ପ୍ରବର୍ତ୍ତ।।ଉଥିବାରୁ ନକ୍ସଲବାଦୀମାନେ ତାଙ୍କୁ ପରେ କ୍ଷୁବ୍ଧ ଥିବା କୁହାଯାଉଛି । ଗୌରି ଲଙ୍କେଶ ବହୁ ଥର ଛତିଶଗଡ଼ର ନକ୍ସଲର ଗଡ଼ କୁହାଯାଉଥିବା ବସ୍ତର ଜଙ୍ଗଲକୁ ଯାଇଥିଲେ । ମୁଖ୍ୟ ସ୍ରୋତକୁ ମାଓବାଦୀଙ୍କୁ ଫେରାଇ ଆଣିବା ପାଇଁ ସେ ଉଦ୍ୟମ ଜାରି ରଖିଥିଲେ ।

ତେଣୁ ତାଙ୍କୁ ଅନେକ ସମୟରେ ନକ୍ସଲମାନଙ୍କ ଠାରୁ ଧମକପୂର୍ଣ୍ଣ ଚିଠି ଓ ଇ-ମେଲ ମିଳୁଥିବା ସଂପର୍କୀୟ କହିଛନ୍ତି । ପୋଲିସ ଏବେ ଗୌରି ଲଙ୍କେଶ ଓ ନକ୍ସଲ ଲିଙ୍କ ଖୋଜିବାକୁ ଉଦ୍ୟମ କରୁଛି । କୁହାଯାଉଛି, ୨୦୧୫ ଓ ୨୦୧୬ ମଧ୍ୟରେ ଚାରିଥର ସେ ବସ୍ତର ଜଙ୍ଗଲ ଭିତରକୁ ଯାଇଥିଲେ । ତେବେ ସେ କାହାକୁ ଭେଟିଥିଲେ ସେନେଇ କୌଣସି ତଥ୍ୟ ମିଳି ନଥିବା ପୋଲିସ କହିଛି ।

ଅନ୍ୟପଟେ, ଗୌରୀଙ୍କ ଆତତାୟୀମାନଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ରାଶି ମିଳିବ ବୋଲି ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ହତ୍ୟା କରାଯିବାର ତିନି ଦିନ ଅତିବାହିତ ହୋଇଥିଲେ ମଧ୍ୟ ଆତତାୟୀଙ୍କ ଟେର୍ ପାଇବାରେ ସ୍ପେଶାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ କୌଣସି ଅଗ୍ରଗତି ହାସଲ କରିବାରେ ସମର୍ଥ ହୋଇନାହିଁ । ସେଥିପାଇଁ କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ଘୋଷଣା କରିଛନ୍ତି କି ଆତତାୟୀମାନଙ୍କ ସଂକ୍ରାନ୍ତରେ ଯେ କେହି ସୂଚନା ଦେଇପାରିବେ ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ।

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ବରିଷ୍ଠ ଏସଆଇଟି ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ଗୃହମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ ପୁରସ୍କାର ଘୋଷଣା କରିଛନ୍ତି । ଏଥିସହିତ ତଦନ୍ତକୁ ଆହୁରୀ ଜୋର୍ ଦାର୍ କରିବାକୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏସଆଇଟି ଟିମକୁ ନିର୍ଦ୍ଦେଶ ଦେବା ସହ ଅପରାଧୀମାନଙ୍କୁ ଯଥା ଶୀଘ୍ର ଧରିବାକୁ ସେମାନଙ୍କୁ ଅଧିକ ପୁଲିସ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।