ଗୋପାଳପୁରରେ ନିର୍ମାଣ ହେବ ପୋଷାକ କାରଖାନା ! ନିବେଶ ହେବ ୧୭୭ କୋଟି ଟଙ୍କା ।

45

ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ଏକ ପୋଷାକ କାରଖାନା ପ୍ରତିଷ୍ଠା କରାଯିବ। କେରଳର କଂପାନି କାଇଟେକ୍ସ ଗାର୍ମେଣ୍ଟସ୍ ଲିମିଟେଡ୍ ପକ୍ଷରୁ ଏହି କାରଖାନା ପ୍ରତିଷ୍ଠା କରିବା ପାଇଁ ୧୭୭ କୋଟି ଟଙ୍କା ନିବେଶ କରାଯିବ । ଏହି ପ୍ରକଳ୍ପ କାର୍ୟ୍ୟକ୍ଷମ ହେଲେ ୫୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଗୋ-ସ୍ୱିଫ୍ଟରେ ଏହା ହେଉଛି ୩୦୦ତମ ନିବେଶ ପ୍ରସ୍ତାବ । ନିବେଶକମାନଙ୍କୁ ଏକ ସିଙ୍ଗଲ୍ ଓ୍ଵିଣ୍ଡୋ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ୨୦୧୭ ନଭେମ୍ବରରେ ଗୋ-ସ୍ୱିଫ୍ଟ ଆରମ୍ଭ କରାଯାଇଥିଲା । ଏହା ପରଠାରୁ ଆଠ ମାସ ଭିତରେ ଏହା ଜରିଆରେ ମୋଟ ୧୮,୨୦୮ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି । ସବୁ ପ୍ରସ୍ତାବ କାର୍ୟ୍ୟକାରୀ ହେଲେ ୨୯ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଗୋ-ସ୍ୱିଫ୍ଟରେ ସରକାର ଖାଦ୍ୟ ପ୍ରକ୍ରିୟାକରଣ, ସିଫୁଡ୍, ଆଲୁମିନିୟମ୍, ପୋଷାକ, ସିମେଣ୍ଟ୍ ଓ ପର୍ୟ୍ୟଟନ କ୍ଷେତ୍ର ଆଦି ପାଇଁ ନିବେଶ ପ୍ରସ୍ତାବ ହାସଲ କରିଛନ୍ତି । ଏହା କାର୍ୟ୍ୟକାରୀ ହେବା ପରେ ନିବେଶ ପ୍ରସ୍ତାବ ଆଗମନରେ ୨୦% ବୃଦ୍ଧି ହୋଇଥିବା ସରକାର ଦାବି କରିଛନ୍ତି ।

ଏ ସମ୍ପର୍କରେ ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ, ଖୁବ୍ କମ୍ ସମୟ ଭିତରେ ଆମେ ୩୦୦ତମ ପ୍ରସ୍ତାବ ହାସଲ କରିଥିବାରୁ ବହୁତ ଖୁସି । ଆବେଦନ ଓ ମଞ୍ଜୁରି ପ୍ରକ୍ରିୟାକୁ ସହଜ କରାଯିବା ପରେ ଅନେକ ନିବେଶକ ରାଜ୍ୟରେ ପୁଞ୍ଜିନିବେଶ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ଏହି ସବୁ ପ୍ରସ୍ତାବକୁ ଶୀଘ୍ର କାର୍ୟ୍ୟକାରୀ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଅତୀତରେ ଗୋ-ସ୍ୱିଫ୍ଟ ପ୍ଲାଟଫର୍ମ ଜରିଆରେ ମନପସନ୍ଦ ବେଭରେଜେସ୍, ଆଇଟିସି ଫୁଡସ୍, ଅପାର୍ ଇଣ୍ଡଷ୍ଟ୍ରିଜ୍, ମାଲାନି ଫୋମ୍ସ, ବେଦାନ୍ତ, ଲାଲଚାନ୍ଦ ରିସୋର୍ଟସ୍, ଜେଏସଡବଲ୍ୟୁ ସିମେଣ୍ଟ୍, ଗୋକୁଲ୍ ଆଗ୍ରୋ ଓ ଜିନ୍ଦଲ ଆଲୁମିନିୟମ୍ ଭଳି କଂପାନିର ନିବେଶ ପ୍ରସ୍ତାବ ଆସିଛି । ଉଲ୍ଲେଖଯୋଗ୍ୟ, ୨୦୨୫ ସୁଦ୍ଧା ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିବା ଓ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।