ବିସ୍ଥାପନକୁ ବିତିଗଲାଣି ଦୀର୍ଘ ବର୍ଷ, ଏଯାଏଁ ମିଳିନି କ୍ଷତିପୂରଣ : ଗଂଜାମର ନୂଆଗୋଳାବନ୍ଧ ଗାଁରେ ଅସ୍ତ୍ରଶସ୍ତ୍ର ଗୋଦାମ ଗୃହ ନିର୍ମାଣ ପାଇଁ କରାଯାଇଥିଲା ବିସ୍ଥାପନ

38

କନକ ବ୍ୟୁରୋ : ଆର୍ମି ଏଡି କଲେଜ୍ ଯୋଗୁଁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଏଯାଏ ମିଳିନି କ୍ଷତିପୂରଣ । ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ନୂଆଗୋଳାବନ୍ଧ ଗ୍ରାମବାସୀ । ଉପଯୁକ୍ତ କ୍ଷତିପୂରଣ ସହ ରୋଜଗାର ବ୍ୟବସ୍ଥା କରା ନଗଲେ ଭିଟାମାଟି ନଛାଡିବାକୁ ଜିଦ୍ ଧରିଛନ୍ତି ଗାଁ ଲୋକେ । ସେପଟେ ପ୍ରଶାସନ ପକ୍ଷରୁ ଗାଁକୁ ଜୋର ଜବରଦସ୍ତ ଖାଲି କରାଯିବ ବୋଲି କୁହାଯାଇଛି । ତେଣୁ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ଏବେ ସୃଷ୍ଟି ହୋଇଛି ମୁହାଁମୁହିଁ ପରିସ୍ଥିତି ।

ସେନା ଅସ୍ତ୍ରଶସ୍ତ୍ର ଗୋଦାମ ଗୃହ ନିର୍ମାଣ ପାଇଁ ଦୀର୍ଘ ବର୍ଷ ତଳେ ନୂଆଗୋଳାବନ୍ଧ ଗ୍ରାମବାସୀଙ୍କୁ କରାଯାଇଥିଲା ବିସ୍ଥାପନ । ଏହି ପ୍ରସଙ୍ଗକୁ ନେଇ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଅନେକ ପରିବାର ଗାଁ ଛାଡି ଚାଲିଯାଇଥିଲେ । ସେମାନଙ୍କୁ ସରକାରଙ୍କ ପକ୍ଷରୁ ଜାଗା, ଇନ୍ଦିରା ଆବାସ ସହ ଆର୍ଥିକ ସହାୟତା ମଧ୍ୟ ଦିଆଯାଇଥିଲା । ହେଲେ ଦୀର୍ଘ ବର୍ଷ ବିତିଯିବା ପରେ ବି ଗାଁରେ ଥିବା ଅବଶିଷ୍ଟ ପରିବାରଙ୍କୁ ଥଇଥାନ କରାଯାଇ ନଥିଲା । ତେବେ ଫାଇଲିନ୍ ମହାବାତ୍ୟା ପରେ ସେମାନଙ୍କ ପାଇଁ ଗୃହ ନିର୍ମାଣ ସରିଛି । ହେଲେ ସେଠାରେ ଉପଯୁକ୍ତ ବ୍ୟବସ୍ଥା ନଥିବା ଦର୍ଶାଇ ରହିବାକୁ ରାଜି ହେଉନାହାନ୍ତି ଗ୍ରାମବାସୀ । ଏହା ସହ କ୍ଷତିପୂରଣ ନଦେଲେ ଗାଁରୁ ହଟିବେ ନାହିଁ ବୋଲି ମଧ୍ୟ ଦେଇଛନ୍ତି ଚେତାବନୀ ।

ଏବେ ଆସନ୍ତୁ ଜାଣିବା ଏହି ସମସ୍ୟାର ମୂଳ କେଉଁଠି ?

୧୯୮୧ ମସିହାରେ ଗୋପାଳପୁର ଠାରୁ ୭ କିଲୋମିଟର ଦୂର ଗୋଳାବନ୍ଧରେ ଆରମ୍ଭ ହୋଇଥିଲା ମିଲିଟାରି ଷ୍ଟେସନ୍ । ଗାଁର ୩,୬୦୦ ଏକର ଜମି ଅଧିଗ୍ରହଣ କରାଯାଇ ସାମରିକ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ନୂଆଗୋଳାବନ୍ଧ ଗାଁର ୭୪୪ ପରିବାରଙ୍କୁ ବିସ୍ଥାପନ ପାଇଁ ଦିଆଯାଇଥିଲା ନିର୍ଦ୍ଦେଶ । ପ୍ରତି ପରିବାରଙ୍କୁ ଜାଗା ଓ ଗୃହ ନିର୍ମାଣ ପାଇଁ ୪୦ ହଜାର ଟଙ୍କା କ୍ଷତିପୂରଣ ପାଇଁ ଦିଆଯାଇଥିଲା ପ୍ରତିଶ୍ରୁତି ।

ସାମରିକ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖରେ ଟଙ୍କା ମଧ୍ୟ ଜମା କରାଯାଇଥିଲା । ପରେ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଗାଁ ଛାଡି ଚାଲିଯାଇଥିଲେ ୨୭୦ ପରିବାର । ଗାଁ ଛାଡି ଯାଇଥିବା ପ୍ରତି ପରିବାରକୁ ଜାଗା, ଇନ୍ଦିରା ଆବାସ ଘର ସହ ୫୦ ହଜାର ଟଙ୍କା ଦିଆଯାଇଥିଲା । ଗାଁରେ ରହିଥିବା ଅବଶିଷ୍ଟ ପରିବାରଙ୍କୁ କୀର୍ତିପୁରଠାରେ ଥଇଥାନ ପାଇଁ ନିଷ୍ପତି ନେଇଥିଲା ପ୍ରଶାସନ । ହେଲେ ଦୀର୍ଘ ବର୍ଷ ପରେ ଗାଁରେ ଥିବା ଏହି ପରିବାରଙ୍କୁ ଥଇଥାନ କରାଯାଇ ନଥିଲା ।ଫାଇଲିନ୍ ମହାବାତ୍ୟା ପରେ ଓଡିଆରପି ଯୋଜନାରେ ୧୦୦୮ ଟି ଘର ନିର୍ମାଣ କରାଗଲା । ଗୃହ ନିର୍ମାଣକୁ ୩ ବର୍ଷ ବିତିଥିଲେ ବି ନୂଆ ଘରେ ଉପଯୁକ୍ତ ବ୍ୟବସ୍ଥା ନଥିବା ଦର୍ଶାଇ ସ୍ଥାନାନ୍ତର ହୋଇନାହାନ୍ତି ଗ୍ରାମବାସୀ ।

ସେପଟେ ପ୍ରଶାସନ ପକ୍ଷରୁ ଜୋର ଜବରଦସ୍ତ ଖାଲି କରାଯିବ ବୋଲି କୁହାଯାଉଥିବା ଚର୍ଚ୍ଚା ହେଉଛି । ତେବେ ବିସ୍ଥାପିତ ଗ୍ରାମବାସୀଙ୍କ ପାଇଁ ଆବଶ୍ୟକ ଭିତିଭୂମି ନିର୍ମାଣ କରାଯିବ ଓ ତୁରନ୍ତ ସେମାନଙ୍କୁ ଥଇଥାନ କରାଯିବ ବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ।ଗ୍ରାମବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତୁରନ୍ତ ଥଇଥାନ ବ୍ୟବସ୍ଥା କରିବା ଜରୁରୀ ହୋଇପଡିଛି ।