ବିହାର ଷ୍ଟାଇଲରେ ଆସିକା ଚଳନ୍ତା ବସରେ ଗୁଳି ଫୁଟାଇଥିଲେ ଦୁର୍ବୃତ୍ତ ! ଟଳି ପଡିଲେ ଆସିକା କାଉନସିଲରଙ୍କ ସ୍ୱାମୀ

41

କନକ ବ୍ୟୁରୋ : ଚଳନ୍ତା ବସରେ ଫୁଟିଲା ଗୁଳି, ଟଳି ପଡିଲେ ବ୍ୟବସାୟୀ ତଥା ଆସିକା କାଉନସିଲରଙ୍କ ସ୍ୱାମୀ । ମୁଣ୍ଡ ଓ କାନ୍ଧକୁ ଭେଦିଗଲା ଚାରିଚାରିଟି ଗୁଳି । କ୍ରାଇମ କ୍ୟାପିଟାଲ ଗଞ୍ଜାମରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ, ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । କାରଣ ପୁଣିଜଣେ ବିଜେଡି ନେତାଙ୍କ ମୁଣ୍ଡ ଗଡିଛି । ଯାତ୍ରୀଭର୍ତି ବସରେ ଅତି ନିକଟରୁ ପ୍ରତାପ ପଲେଇଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ । ପୋଲିସ କହୁଛି ପୂର୍ବ ଶତ୍ରୁତାରୁ ବ୍ୟବସାୟୀଙ୍କୁ ଟାର୍ଗେଟ କରାଯାଇଛି । ପରିବାର ଲୋକଙ୍କ ସୂଚନାକୁ ଆଧାର କରି ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବାବେଳେ ଅପରାଧୀଙ୍କୁ ଚିହ୍ନ କରାଯାଇଥିବା କହିଛି ।

ବସ୍ ଭିତରେ ଥାଏ ଖଚାଖଚ ଭିଡ । ଆଉ ପ୍ରତାପ ପଲେଇଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଦେଇଥାନ୍ତି ଦୁର୍ବୃତ୍ତ । ନିଜକୁ ବଂଚାଇବା ପାଇଁ ପ୍ରାଣ ବିକଳରେ ଚେଷ୍ଟା କରୁଥାନ୍ତି ପ୍ରତାପ କିନ୍ତୁ ସାହାଯ୍ୟ କରିବାକୁ କାହାର ସାହସ ଜୁଟୁନଥାଏ । ଆଉ ଗୁଳି ଫୁଟାଇଦେଲେ ଦୁର୍ବୃତ୍ତ । ମୁଣ୍ଡ ଓ କାନ୍ଧକୁ ଭେଦିଗଲା ଚାରି ଚାରିଟି ଗୁଳି । ବନ୍ଧୁକର ଗର୍ଜନରେ ବସ୍ ଭିତରେ ନିରବତା ଛାଇଗଲା । କେହି କିଛି ବୁଝିପାରୁନଥାନ୍ତି କାହିଁକି ଓ କେମିତି ଘଟିଲା ଏହି ହତ୍ୟାକାଣ୍ଡ ।

କିଏ ଓ କାହିଁକି ଟାର୍ଗେଟ କଲା ପ୍ରତାପଙ୍କୁ? ଜୀବନ ପ୍ରତି ବିପଦ ଥିବାରୁ ସବୁବେଳେ ନିଜସ୍ୱ ଗାଡି ପରିବର୍ତେ ବସ୍ରେ ଯିବା ଆସିବା କରୁଥିଲେ ପ୍ରତାପ । ହେଲେ ଗତକାଲି ପ୍ରତାପ ନିଜ ଗାଁରୁ ଏହି ତୁଫାନ ବସରେ ବ୍ରହ୍ମପୁର ଯାଉଥିବାର ଖବର ଥିଲା ଅପରାଧୀଙ୍କ ପାଖରେ । ଯେଉଁଥିପାଇଁ ଯାତ୍ରୀଙ୍କ ସହ ବସରେ ସବାର ହୋଇଥିଲେ ଦୁର୍ବୃତ୍ତ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ତାଙ୍କୁ ଆସିକା ଓ ପରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଥିଲେ ବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ବସ ମାଲିକ ଓ ଜଣେ ମଦ ବ୍ୟବସାୟୀ ଭାବରେ ଆସିକାରେ ବେଶ ପରିଚିତ ପ୍ରତାପ ପଲେଇ । ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ । ଏପରିତି ତାଙ୍କ ପତ୍ନୀ ମଧ୍ୟ ବର୍ତମାନର ଆସିକା କାଉନସିଲର । ସର୍ବସମ୍ମୁଖରେ ଏଭଳି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହତ୍ୟା ଗଞ୍ଜାମ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।