ନବୀନ ନିବାସରେ ଗଞ୍ଜାମର ହେଭିୱେଟ୍ ନେତା ! ପ୍ରଥମ ପର୍ଯ୍ୟାୟ ଟିକେଟ୍ ପାଇଁ ଚାଲିଛି କସରତ ।

286

କନକ ବ୍ୟୁରୋ : ଦକ୍ଷିଣ ଓଡିଶାରୁ ଆରମ୍ଭ ହେବ ଗଣତନ୍ତ୍ରର ମହାପର୍ବ । ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଏଥିରେ ୪ଟି ଲୋକସଭା କ୍ଷେତ୍ର ଏବଂ ୨୮ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ଆଉ ଏଥିପାଇଁ କାହାକୁ ଟିକେଟ୍ ମିଳିବ ସେନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆରମ୍ଭ ହୋଇଯାଇଛି ଟିକେଟ୍ କସରତ । ନବୀନ ନିବାସରେ ପହଞ୍ଚିଛନ୍ତି ଗଞ୍ଜାମର ହେଭିୱେଟ୍ ବିଜେଡି ନେତା । ବିଜେଡି ସୁପ୍ରିମୋଙ୍କୁ ଭେଟିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଓ ବିକ୍ରମ ପଣ୍ଡା । ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ଚନ୍ଦ୍ରଶେଖର ସାହୁ ମଧ୍ୟ ବର୍ତ୍ତମାନ ନବୀନ ନିବାସରେ ଉପସ୍ଥିତ ଅଛନ୍ତି । ନବୀନ ପଟ୍ଟନାୟକଙ୍କ ସହ ପ୍ରଥମ ପର୍ଯ୍ୟାୟ ଟିକେଟ୍ ପାଇଁ ଆଲୋଚନା ଚାଲିଥିବା ଜଣାପଡିଛି । ତେବେ କିଏ ପାଇବ ଟିକେଟ୍, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଟିକେଟ୍ ପାଇଁ ତିନି ଦିନ ହେଲା ନବୀନ ନିବାସରେ ଜମୁଛି ନେତାଙ୍କ ଭିଡ । ବାୟୋଡାଟା ଦେଖାଇ, ସୁପ୍ରିମୋଙ୍କ ପାଖରେ ନେତା କରୁଛନ୍ତି ଟିକେଟ୍ ଲବି । ବରିଷ୍ଠ ନେତା ବି ପୁଣି ଟିକେଟ୍ ପାଇଁ ଆଶାୟୀ ଥିବା କହୁଛନ୍ତି । ସେପଟେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବା ନେଇ ସୁପ୍ରିମୋ ଘୋଷଣା କରିବା ପରେ ନବୀନ ନିବାସରେ ବଢି ଚାଲିଛି ମହିଳା ଆଶାୟୀଙ୍କ ଭିଡ । ଆଜି ସକାଳୁ ସକାଳୁ ପୁଣି ବିଜେଡି ସୁପ୍ରିମୋଙ୍କ ନିବାସରେ ନେତାଙ୍କ ଭିଡ ଲାଗିଥିବା ଦେଖାଯାଇଛି ।

ନିର୍ବାଚନ ଯେତିକି ପାଖଉଛି, ଉତ୍କଣ୍ଠା ସେତେ ବଢି ବଢି ଚାଲିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୮ ତାରିଖରୁ ଆରମ୍ଭ ହୋଇଯିବ ପ୍ରାର୍ଥିପତ୍ର ଦାଖଲ । ଏହାପୂର୍ବରୁ ଟିକେଟ୍ ପାଇଁ ନବୀନ ନିବାସକୁ ଛୁଟୁଛନ୍ତି ନେତା । ତେବେ ଖୁବ ଶିଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଏଥର ସଂସଦକୁ ୩୩ ପ୍ରତିଶତ ମହିଳାଙ୍କୁ ପଠାଇବା ନେଇ ନବୀନ ଘୋଷଣା କରିବା ପରେ ମହିଳା ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଶହ ଶହ ମହିଳା ପ୍ରାର୍ଥୀ ପହଁଚୁଛନ୍ତି ଟିକେଟ୍ ଆଶା ନେଇ । କିଏ ହେବେ ବିଜେଡିର ୭ଜଣ ମହିଳା ପ୍ରାର୍ଥୀ, ଏନେଇ ବିଜେଡି ଶିବିରରେ ଅଙ୍କ କଷା ଚାଲିଥିବା ବେଳେ , ବଢି ଚାଲିଛି ଆଶାୟୀଙ୍କ ତାଲିକା ।