ଖୋଲୁଛି ବଦନାମ ବାବାଙ୍କ ପେଡି ! ଆଶ୍ରମର ତଳ ଘରେ ବାବା ଦେଖୁଥିଲେ ଭବିଷ୍ୟ ଆଉ ଉପର ଘରେ ଚାଲେ କବାଟକିଳା ପୂଜା ।

107

କନକ ବ୍ୟୁରୋ : ଗଞ୍ଜାମ ପୁରୁଷୋତମପୁରର ବାବା ଦିଲ୍ଲୀପ ତ୍ରିପାଠୀଙ୍କ କଳାକାରନାମାର ପେଡି ଖୋଲିବାରେ ଲାଗିଛି । ଗତକାଲି ଜଣେ ଯୁବତୀ କନକ ନ୍ୟୁଜକୁ ଚିଠି ଲେଖି ବାବାଙ୍କ ଅସଦାଚରଣର କାହାଣୀ ବଖାଣିଥିବା ବେଳେ ଆଜି ଆଉ ଦୁଇ ଜଣ ଯୁବକ ବାବାଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସେମାନେ କହିଛନ୍ତି, ବାବା କେବଳ ଝିଅ ଓ ମହିଳାଙ୍କ ସହ କଥା ହୁଅନ୍ତି । ଏପରିକି ଆଶ୍ରମର ଉପର ଘରେ ଜଣେ ମହିଳାଙ୍କୁ ବାବା ଜୋର ଜବରଦସ୍ତ ଅସଦାଚରଣ କରୁଥିବା ସେମାନେ ନିଜ ଆଖିରେ ଦେଖିଥିବା ଦୁଇ ଭାଇ ଅଭିଯୋଗ କରିଛନ୍ତି ।

ବାବା କରୁଥିଲେ କବାଟକିଳା ପୂଜା । ଏକାକୀ ଝିଅଙ୍କୁ ଡାକୁଥିଲେ ଘରକୁ । ଧିରେ ଧିରେ ଖୋଲୁଛି ବାବା ଦିଲ୍ଲୀପଙ୍କ ପାପର ପେଡି । ଆଶ୍ରମର ତଳ ଘରେ ବାବା ହାତ ଦେଖି ଭବିଷ୍ୟ କହୁଥିଲେ ଆଉ ଉପର ଘରେ ଦେଉଥିଲେ ଡେଉଁରିଆ । ହେଲେ ସେଠାକୁ ପୁରୁଷଙ୍କୁ ଯିବାକୁ ଅନୁମତି ନଥିଲା । ଝିଅ ଓ ମହିଳାଙ୍କୁ ସ୍ୱତନ୍ତ୍ର ଭାବେ ଉପର ଘରକୁ ଡାକୁଥିଲେ ଜ୍ୟୋତିଷ ଦିଲ୍ଲୀପ ତ୍ରିପାଠୀ । ଜଣେ ଯୁବତୀ କନକ ନ୍ୟୁଜକୁ ଚିଠି ଲେଖି ତାଙ୍କ ସହ ବାବା ଅସଦାଚରଣ କରିଥିବା ଅଭିଯୋଗ କରିବା ପରେ ସାମ୍ନାକୁ ଆସିଛନ୍ତି ଆଉ ଦୁଇ ଭାଇ । ଯେଉଁମାନେ ନିଜେ ଭୁକ୍ତଭୋଗୀ ଏବଂ ବାବାଙ୍କ କଳା କାରନାମାର ପ୍ରତ୍ୟେକ୍ଷଦର୍ଶୀ ।

ବାବା ଦିଲ୍ଲୀପଙ୍କ ବିରୋଧରେ ଅଭିଯୋଗ ଆଣୁଥିବା ଯୁବକ ହେଲେ ପୁରୁଷୋତମପୁର ଅଂଚଳର ଦୁଇ ଭାଇ । ଭଲ ବ୍ୟବସାୟ ପାଇଁ ଏମାନେ କିଛି ଦିନ ତଳେ ବାବାଙ୍କ ପାଖକୁ ଯାଇଥିଲେ । ବାବା ହାତ ଦେଖି ଖଡି ପାଂଜି ପକାଇଥିଲେ । ଏବଂ ପୂଜା ପାଇଁ ମଶାଣୀରୁ ହାଡ ଓ ଝିଙ୍କ କାତି ଆଣିବାକୁ କହିଥିଲେ । ପରେ ଏମାନଙ୍କୁ ବାବା ତଳ ଘରେ ଅପେକ୍ଷା କରାଇ ଜଣେ ମହିଳାଙ୍କୁ ଉପର ଘରକୁ ନେଇଥିଲେ । ଅଧଘଂଟା ଧରି ତଳକୁ ନଆସିବାରୁ ଏମାନେ ଯେତେବେଳେ ଉପରକୁ ଗଲେ ସେତେବେଳେ ବାବା ସଂପୃକ୍ତ ମହିଳାଙ୍କ ସହ ଜୋରଜବରଦସ୍ତ ଅସଦାଚରଣ କରୁଥିଲେ ।

ବାବାଙ୍କ ବିରୋଧରେ ଦୁଇ ଭାଇ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ଏପରିକି ସେହିଦିନଠାରୁ ବାବା ତାଙ୍କୁ ତନ୍ତ୍ର କରି ହତ୍ୟା ଧମକ ଦେଉଥିବା ଦୁଇ ଭାଇ ଅଭିଯୋଗ କରିଛନ୍ତି । ନିଜକୁ ତ୍ରିକାଳଦର୍ଶୀ ଜ୍ୟୋତିଷ ବୋଲାଉଥିବା ବାବା ଦିଲ୍ଲୀପ ତ୍ରିପାଠୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସାଂଘାତିକ । ଆଉ ଯଦି ଏହା ସତ ହୋଇଥାଏ ତେବେ ବାବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡିଛି ।