କନ୍ଧମାଳରେ ଗଞ୍ଜେଇ ଗଛ କଟା ଅଭିଯାନ: ଗଞ୍ଜେଇ ଚାଷର ମୂଳୋତ୍ପାଟନ ଲକ୍ଷ୍ୟ

ଜିଲ୍ଲାରେ ବଢୁଛି ଗଂଜେଇ ମାଫିଆଙ୍କ ଦୌରାତ୍ମ୍ୟ

119

କନକ ବ୍ୟୁରୋ: ମୂଳରୁ ମାରିଲେ ଯିବ ସରି । ଏହି ନୀତିରେ ଗଂଜେଇ ଚାଷର ମୂଳୋତ୍ପାଟନ ଅଭିଯାନ ଆରମ୍ଭ କରିଛି କନ୍ଧମାଳ ପ୍ରଶାସନର । ଗଂଜେଇ ଚାଷକୁ ରୋକିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଗଂଜେଇ ଗଛ କାଟିଲେ ଉଭୟ ଜିଲ୍ଲାପାଳ ଓ ଏସପି । କହିଲେ, ଜିଲ୍ଲାରେ ବଢୁଛି ଗଂଜେଇ ମାଫିଆଙ୍କ ଦୌରାତ୍ମ୍ୟ । ମାଓବାଦୀଙ୍କ ସହ ଗଂଜେଇ ମାଫିଆଙ୍କ ସଂପୃକ୍ତି ଥିବା ସନ୍ଦେହ କରୁଛି ପ୍ରଶାସନ ।

ଜିଲ୍ଲାରୁ ଗଂଜେଇ ଚାଷ ନିର୍ମୁଳ କରିବା ଲକ୍ଷ୍ୟରେ ଏଭଳି ଅଭିଯାନ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଖୋଦ୍ ଏସପ୍ି ପ୍ରତୀକ ସିଂ ଓ ଜିଲ୍ଲାପାଳ ଡକ୍ଟର ବୃନ୍ଦା ଡି ବିଭିନ୍ନ ସ୍ଥାନରେ ଚଢାଉ କରି ଗଂଜେଇ ଗଛ କଟା ଅଭିଯାନରେ ସାମିଲ ହୋଇଛନ୍ତି । ଫିରିଙ୍ଗିଆ, ଗୋଚ୍ଛାପଡା ଓ ସଦର ଥାନା ଅନ୍ତର୍ଗତ ବିଭିନ୍ନ ଅଂଚଳରେ କନ୍ଧମାଳ ପୁଲିସ, ଅବକାରୀ ବିଭାଗ ଓ ବନ ବିଭାଗର ମଳିତ ଉଦ୍ୟମକେ ଗଂଜେଇ ଚାଷ ମୂଳତ୍ପାଟନ ଅଭିଯାନ ଜାରି ରହିଛି । ଗଂଜେଇ ଗଛକୁ କାଟି ଜାଳି ଦେଇଛନ୍ତି । ତେବେ ଏହି ଅଭିଯାନରେ ସାମିଲ ହୋଇଥିବା କର୍ମଚାରୀ ମନବଳ ବୃଦ୍ଧି କରିବା ପାଇଁ ଏଥିରେ ସାମିଲ ହୋଇଥିଲେ ଜିଲ୍ଲାପାଳ ଓ ଏସପି ।

ଗଂଜେଇ ଚାଷକୁ ସରକାରୀ ମଂଜୁରୀ ଦେବା ସହ ଚାଷୀଙ୍କୁ ଲାଇସେନ୍ସ ଦେବା ପାଇଁ ଦାବି କରିଛି କୁଇ ସମାଜ । ସେପଟେ ଜିଲ୍ଲାରେ ଗଂଜେଇ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି, ଗଂଜେଇ ମାଫିଆମାନେ ଲାଲ ସଂଗଠନ ସହ ସଂପର୍କ ରଖିଥିବା ସନ୍ଦେହ କରୁଛି କନ୍ଧମାଳ ପୁଲିସ । ତେଣୁ ଗଂଜେଇ ଗଛ ନକାଟିବା ପାଇଁ ମାଓବାଦୀଙ୍କ ଧମକ ପରେ ଏହି ଅଭିଯାନରେ ସୁରକ୍ଷା ଦୃଷ୍ଟିରୁ ସିଆରପିଏଫ ଓ ଡିଭିଏଫ ଯବାନଙ୍କୁ ନିୟୋଜିତ କରାଯିବ ବୋଲି କହିଛନ୍ତି ଏସପି ପ୍ରତୀକ ସିଂ ।