ଥାନାରେ ଖତ ଖାଉଛି ଦାମୀ କାର୍ ଓ ବାଇକ୍ : ଗଂଜେଇ ଚୋରା ଚାଲାଣ ବେଳେ ଜବତ ହୋଇଥିଲା ଗାଡ଼ି

40

କନକ ବ୍ୟୁରୋ : ଥାନା ପରିସରରେ ନଷ୍ଟ ହେଉଛି ଦାମୀ କାର୍ ଓ ବାଇକ୍ । ଗଂଜେଇ ଚୋରା ଚାଲାଣ ବେଳେ ଜବତ ହୋଇଥିବା ଗାଡି ଥାନାରେ ଖତ ଖାଉଛି । ୨୦୧୪ରୁ ୨୦୧୮ ଜୁନ ସୁଦ୍ଧା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଲକ୍ଷାଧିକ ଟଙ୍କାର ଗଂଜେଇ ଜବତ ହୋଇଥିବା ବେଳେ ୯୪ଟି ମାମଲାରେ ୧୬୯ ଜଣ ଗିରଫ ହୋଇଛନ୍ତି ।

ଥାନାରେ ଖତ ଖାଉଛି ଗଂଜେଇ ବୁହା ଗାଡି । ଗଂଜେଇ ଚୋରା ଚାଲାଣ ବେଳେ ଜବତ ଗାଡି ଉପରେ ମାଡିଗଲାଣି ଲତା । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଏପରି କିଛି ଦେଖିବା ପାଇଁ ମିଳିଛି । ଗତ ୨୦୧୪ରୁ ଆଜି ପର୍ଯ୍ୟନ୍ତ ୯୪ଟି ଗଂଜେଇ ଚୋରା ଚାଲାଣ ମାମଲାରେ ଜବତ ହୋଇଥିବା ୭୧ ଖଣ୍ଡ ଗାଡି ଥାନା ପରିସରରେ ପଡିରହିଛି । ଆଉ ଗାଡି ଗୁଡିକ ଉପରେ ସୁଖିଲା ପତ୍ର ଗଦା ହୋଇଥିବା ବେଳେ ତଳୁ ଲତା ମଡିଯାଇଛି ।

ଏବେ ଆସନ୍ତୁ ଜାଣିବା ଫିରିଙ୍ଗିଆ ଥାନା ଅଂଚଳରେ ଗତ ୪ ବର୍ଷ ମଧ୍ୟକେ କେତେ ଗଂଜେଇ ଗାଡି ଜବତ ହୋଇଛି । ଏବଂ କେତେ ଜଣଙ୍କ ଏହି ମାମଲାରେ ଗିରଫ ହୋଇଛନ୍ତି ?
୧. ୨୦୧୪ରେ ୧୩ଟି ମାମଲାରେ ୭ଟି ଗାଡି ସହ ୨୬ ଜଣ ବନ୍ଧା ହୋଇଥିଲେ ।
୨. ୨୦୧୫ରେ ୨୩ଟି ମାମଲାରେ ୧୮ଟି ଗାଡି ସହ ୬୦ ଜଣ ଗିରଫ ହୋଇଥିଲେ ।
୩. ୨୦୧୬ରେ ୨୩ଟି ମାମଲାରେ ୨୯ଟି ଗାଡି ସହ ୫୦ ଜଣ ଗିରଫ ହୋଇଥିଲେ ।
୪. ୨୦୧୭ରେ ୨୪ଟି ମାମଲାରେ ୧୦ଟି ଗାଡି ସହ ୧୯ ଜଣଙ୍କୁ ବନ୍ଧା ହୋଇଛନ୍ତି ।
୫. ୨୦୧୮ରେ ଏବେ ସୁଦ୍ଧା ୧୧ଟି ମାମଲାରେ ୭ଟି ଗାଡି ସହ ୧୪ ଜଣ ଗିରଫ ହୋଇଛନ୍ତି ।

କନ୍ଧମାଳ ଜିଲ୍ଲାରେ ଗଂଜେଇ ଚାଷ ବଢୁଥିବା ବେଳେ ଗଂଜେଇ ଚୋଲାଣ ମଧ୍ୟ ସେହି ପରିମାଣରେ ବଢିଛି । କେବଳ ଫିରିଙ୍ଗିଆ ଥାନାରେ ଯଦି ୪ ବର୍ଷ ମଧ୍ୟରେ ଗଂଜଇ କାରବାର ମାମଲାରେ ୧୬୯ ଜଣ ଗିରଫ ହୋଇଛନ୍ତି, ତେବେ ଜିଲ୍ଲାର ବାକି ୧୬ଟି ଥାନା ଓ ୮ଟି ଫାଣ୍ଡିରେ କେତେ ଗାଡି ଓ ଗଂଜେଇ ଜବତ ହୋଇଥିବ ତାହା ସହଜରେ ଅନୁମେୟ ।