ବିଚ୍ଛିନ୍ନାଞ୍ଚଳରେ ଗଞ୍ଜେଇ ଚୋରାଚାଲାଣର ନୂଆ ତରିକା ! ନଡିଆ ବୋଝେଇ ଗାଡିରୁ ଜବତ ହେଲା ୫ କ୍ୱିଣ୍ଟାଲ ଗଞ୍ଜେଇ

51

କନକ ବ୍ୟୁରୋ : ଗଂଜେଇର ଚୋରାଚାଲାଣ ପାଇଁ ନୂଆ ତରିକା । ବିଚ୍ଛିନ୍ନାଞ୍ଚଳରୁ ଅନୁଗୁଳ ଯାଇଥାନ୍ତା ଗଞ୍ଜେଇ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ସରିଥିଲା । ନଡ଼ିଆ ବୋଝେଇ ଗାଡିରେ ହେଉଥିଲା ଗଂଜେଇ ଚୋରାଚାଲାଣ । କେହି ଯେପରି ସନ୍ଦେହ ନ କରିବେ ସେଥିପାଇଁ ନଡିଆ ଗାଡିର ସାହାରା ନେଇଥିଲେ ଚୋରା ଗଞ୍ଜେଇ ବେପାରୀ । କିନ୍ତୁ ଅଧା ବାଟରେ ଫସର ଫାଟି ଯାଇଥିଲା ଚୋରା ବେପାରୀଙ୍କ ଚାଲାଖି । ଅଭିନବ ଉପାୟରେ ଗଂଜେଇ ଚୋରାଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡିଥିଲା ।

ମାଲକାନଗିରିରେ ନଡିଆ ବୋଝେଇ ଏକ ଗାଡି ଭିତରେ ଗଂଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଗାଡିଟିକୁ ଜବତ କରିଛି । ଚିତ୍ରକୋଣ୍ଡାରୁ ଅନୁଗୁଳକୁ ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଖବର ପାଇ ଏହି ଚଢାଉ କରିଥିଲା । ଜବତ ୫କ୍ୱିଂଟାଲ ଗଂଜେଇର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ମାମଲାରେ ଅବକାରୀ ବିଭାଗ ୨ଜଣଙ୍କୁ ଅଟକ ରଖିଛି ।

କିଛିଦିନ ପୂର୍ବରୁ ମଧ୍ୟ ମାଲକାନଗିରରେ ଏଭଳି ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ସାମ୍ନାକୁ ଆସିଥିଲା । ସେତେବେଳେ ଗଞ୍ଜେଇର ଚୋରାଚାଲାଣ ପାଇଁ ତେଲ ଟ୍ୟାଙ୍କରର ସାହାଯ୍ୟ ନେଇଥିଲେ ଚୋରା ବେପାରୀ । ତେବେ ବେପାରୀଙ୍କ ଏଭଳି କାରସାଦି ପୋଲିସ ନଜରରୁ ଖସି ପାରିନଥିଲା । ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚୋରାଚାଲାଣ ବେଳେ ମାଲକାନଗିରି ପୋଲିସ ହାତରେ ଧରା ପଡିଥିଲା । ସେତେବେଳେ ଟ୍ୟାଙ୍କରରୁ ୨ ଟନ ଗଞ୍ଜେଇ ଜବତ କରିଥିଲା ପୋଲିସ । ତେଲ ଟ୍ୟାଙ୍କର ମାଧ୍ୟମରେ ୨ କୋଟି ଟଙ୍କାର ଗଞ୍ଜେଇ ଗୁଜରାଟକୁ ଚାଲାଣ ହେଉଥିବା ଖବର ଜଣା ପଡିଥିଲା । ଏହି ଘଟଣାରେ ପୋଲିସ ୨ ଜଣକୁ ଗିରଫ କରିଥିଲା ।