ରାଜଧାନୀ ଛାତିରେ ବନ୍ଧୁକର ଗର୍ଜନ! ଟେର୍ ପାଉନି କମିଶନରେଟ୍ ପୁଲିସ୍

26

କନକ ବ୍ୟୁରୋ : ରାଜଧାନୀରେ କଥା କଥାକେ ଫୁଟୁଛି ଗୁଳି । କମିଶନରେଟ୍ ପୁଲିସକୁ ଚ୍ୟାଲେଂଜ ଦେଇ ବନ୍ଧୁକ ଧରି ଖୋଲାଖୋଲି ବୁଲୁଛନ୍ତି ଅପରାଧୀ । କେତେବେଳେ ଘରେ ପଶି ଗୁଳିମାଡ କରି ଲୁଟେରା ଚେନ୍ ଲୁଟୁଛନ୍ତି ତ ଆଉ କେତେବେଳେ ହେଉଛି ଖୁଲମଖୁଲା ଗ୍ୟାଙ୍ଗୱାର । ଗତ ତିନିଦିନର ଘଟଣା ପୁଲିସ ଆଖିରୁ ନିଦ ହଜାଇ ଦେଇଛି । ତେବେ ଏସବୁ ଚୋରା ବନ୍ଧୁକ କିଏ ଆଣୁଛି, କେଉଁଠୁ ଏବଂ କେଉଁ ରାସ୍ତା ଦେଇ ଭୁବନେଶ୍ୱରକୁ ଆସୁଛି ସେ ତଥ୍ୟ ପୁଲିସ ପାଖରେ ନାହିଁ ।

ସମୟ ପ୍ରାୟ ରାତି ୯ଟା , ସ୍ଥାନ – ସିଆରପି ଛକ : 

ଫ୍ଲାଏ ଓଭରରେ ୨ ଗ୍ୟାଙ୍ଗ ଭିତରେ ଚାଲିଥିଲା ଗୁଳି ବିନିମୟ । ୫ରୁ ଅଧିକ ମୋଟରସାଇକେଲରେ ଅପରାଧୀମାନେ ଜନଗହଳିପୁର୍ଣ୍ଣ ସ୍ଥାନରେ କିଛି ସମୟ ଧରି ବେଶ ହଙ୍ଗାମା କଲେ । ଆଉ ପୁଲିସ ଆସିବା ଦେଖି ବାଇକ ଛାଡି ପଳାଇଲେ । ୨୪ ଘଂଟା ବିତିଛି, ହେଲେ ନା ବନ୍ଧୁକ ଜବତ ହେଲା ନା ଧରାପଡିଲେ ଗ୍ୟାଙ୍ଗ ଲିଡର । ଏନେଇ ପୁଲିସ ପାଖରେ କିଛି ବି ସୁରାକ ହାତରେ ଲାଗିନି । ।

ଗୋଟିଏ ପଟେ କମିଶନରେଟ ପୁଲିସର ସ୍ପେସାଲ ସ୍କ୍ୱାର୍ଡ ହାତରେ ଲାଗିଥିଲା ୨ କୁଖ୍ୟାତ ଡକାୟତ । ରାଜଧାନୀରେ ଘଟାଇଥିବା ୯ଟି ବଡବଡ ଅପରାଧରେ ଥିଲା ସେମାନଙ୍କ ହାତ । ସିଜୁଆରେ ଗୁଳିମାଡ କରି ଚେନ୍ ଝାଂପି ନେଇଥିବା ଏହି ଗ୍ୟାଙ୍ଗକୁ ମାତ୍ର ୧୦ ଘଂଟା ଭିତରେ ପୁଲିସ, କାବୁ କରିଥିଲା । ଅନ୍ୟପଟେ ଠିକ୍ ସେହି ସମୟରେ ସିଆରପି ଛକରେ ବେଆଇନ ବନ୍ଧୁକ ଧରି ବେଧଡକ ଭାବେ ଦୀପାବଳି ବନାଉଥିଲେ ଅପରାଧୀ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ରାଜଧାନୀରେ ଗଣ୍ଡା ଗଣ୍ଡା ବନ୍ଧୁକ ଧରି ବୁଲୁଛନ୍ତି ମାଳ ମାଳ ଅପରାଧୀ । ଆଉ ଯାହାର ହିସାବ ପୁଲିସ ପାଖରେ ନାହିଁ ।

୨୦୧୪ରେ ୮୬ଟି ମାମଲାରୁ ୯୩ଟି ବନ୍ଧୁକ ପୁଲିସ ଜବତ କରିଥିଲା । ୨୦୧୫ରେ ୧୧୩ଟି ମାମଲାରୁ ୬୩ଟି, ୨୦୧୬ରେ ୧୫୭ ମାମଲାରୁ ୮୯ଟି ଓ ଚଳିତ ବର୍ଷ ଜୁନ ଶୁଦ୍ଧା ୨୨ଟି ମାମଲାରେ ୧୧ଟି ବନ୍ଧୁକ ଜବତ କରିଛି ପୁଲିସ । ହେଲେ ଏସବୁ ଚୋରା ବନ୍ଧୁକ କିଏ ଆଣୁଛି, କେଉଁଠୁ ଏବଂ କେଉଁ ରାସ୍ତା ଦେଇ ଭୁବନେଶ୍ୱରକୁ ଆସୁଛି ସେ ତଥ୍ୟ ପୁଲିସ ପାଖରେ ନାହିଁ ।