ଓଲିଉଡ ଆଣ୍ଡ ଗ୍ୟାଙ୍ଗଷ୍ଟର ! ପୁଣି ଗ୍ୟାଙ୍ଗଷ୍ଟର ଟିଟୋକୁ ନେଇ ଚାଞ୍ଚଲ୍ୟ, ଓଲିଉଡ ସିନେମାରେ ଲଗାଇଛି ଟଙ୍କା ଜାଣନ୍ତୁ କ’ଣ ଏହାର ରହସ୍ୟ ।

23

କନକ ବ୍ୟୁରୋ:ଗ୍ୟାଙ୍ଗଷ୍ଟର ଟିଟୋ ପୁଲିସ କବଜାରେ ଧରାପଡିବା ପରଠାରୁ ଖୋଲୁଛି ଅନେକ ରହସ୍ୟ ପେଡି । କେତେବେଳେ ଅଡିକାର ତ ଆଉ କେତେବେଳେ କଲିକତାରେ ଟିଟୋର କୋଟି କୋଟି ସମ୍ପତିଥିବା ଖବର ଜାଣିବାକୁ ପାଇଛି କ୍ରାଇବବ୍ରାଞ୍ଚର ଏସଟିଏଫ । ତେବେ ପୁଣି ଏକ ଚାଞ୍ଚଲ୍ୟକର ସୁରାଖ ଏସଟିଏଫ ହାତରେ ଲାଗିଛି । ତାହାହେଲା ଓଲିଉଡରେ ଲାଗିଛି ଗ୍ୟାଙ୍ଗଷ୍ଟର ଟିଟୋର ଟଙ୍କା । ଏଭଳି ଏକ ଚାଂଚଲ୍ୟକର ସୁରାକ ପାଇଛି କ୍ରାଇମବ୍ରାଂଚ ଏସଟିଏଫ । ନିର୍ମାଣଧୀନ ଓଡିଆ ଫିଲ୍ମ ବିଶ୍ୱନାଥରେ ଟିଟୋ ଏହି ଟଙ୍କା ଲଗାଇଛି ବୋଲି ଏସଟିଏଫ ଜାଣିବାକୁ ପାଇଛି ।

ବର୍ତମାନ ଟିଟୋକୁ କ୍ରାଇମବ୍ରାମ ରିମାଣ୍ଡରେ ନେଇ ଜେରା କରୁଛି । ଗ୍ୟାଙ୍ଗଷ୍ଟରର ବ୍ୟବସାୟିକ ସମ୍ପର୍କ ଓ ଟେଣ୍ଡର ଫିକ୍ସିଂ ନେଇ ଖୋଳତାଡ କରୁଥିବାବେଳେ ଏହି ସୁରାକ ଏସଟିଏଫକୁ ମିଳିଛି । ଫିଲ୍ମ ବିଶ୍ୱନାଥରେ ଗ୍ୟାଙ୍ଗଷ୍ଟର ସିଧାସଳଖ ସଂପୃକ୍ତ ନଥିଲେ ବି ନିଜ ସମ୍ପର୍କୀୟ ଭାଇଙ୍କ ଜରିଆରେ ଟଙ୍କା ଲଗାଇଥିବା ଜଣାପଡିଛି । ଏସଟିଏଫକୁ ଏ ନେଇ ସୁରାକ ମିଳିବା ପରେ ଖୋଳତାଡ ଆରମ୍ଭ ହୋଇଛି । ଫିଲ୍ମ ବିଶ୍ୱନାଥର ଶୁଭ ମହୁରତ ସରିଥିବା ବେଳେ ଗଣେଶ ପୂଜାରେ ରିଲିଜ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସୁଚନା ମୁତାବକ କୁହାଯାଉଛି, ଫିଲ୍ମରେ ଟିଟୋର ଜାଗୁଆର ଗାଡି ବ୍ୟବହାର ହୋଇଛି । ଏବଂ ବିଶ୍ୱନାଥର ସୁଟିଂ ୭୦ ଭାଗ ସରିଥିବାବେଳେ ଫିଲ୍ମରେ ଲିଡ ରୋଲରେ ଅଛନ୍ତି ସମ୍ବିତ ଓ ସମ୍ଭାବନା । ଏଥିରେ ରାଇମୋହନ, ମିହିର ଦାଶ ବି ଅଭିନିୟ କରୁଛନ୍ତି । ଏଚଏମଟି ବ୍ୟାନରରେ ଏହି ଫିଲ୍ମ ତିଆରି ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ଯେ ଗ୍ୟାଙ୍ଗଷ୍ଟର ଟିଟୋର କେତେ ଟଙ୍କା ଏହି ଫିଲ୍ମରେ ଲାଗିଛି ଏବଂ କେଉଁ ଆଧାରରେ ଲାଗିଛି ।