ପୋଲିସ ସହ ଟିଟୋର ସମ୍ପର୍କ ନେଇ ନୂଆ ଖୁଲାସା ! ସୁଧ ଲଗାଇ କଳା ଟଙ୍କାକୁ ଧଳା କରୁଥିଲା ଟିଟୋର ଡାହାଣ ହାତ ଦୀପ୍ତି, ପୋଲିସ ଅଫିସରଙ୍କ ସହ ମିଶି ଗୋଆରେ କରୁଥିଲେ ମଉଜ ମଜଲିସ୍ ।

50

କନକ ବ୍ୟୁରୋ : ପୋଲିସ ଓ ଗ୍ୟାଙ୍ଗଷ୍ଟର ଟିଟୋ ମଧ୍ୟରେ ଥିଲା ସମ୍ପର୍କ । ଜଣେ ପୋଲିସ ଅଫିସରଙ୍କ ସହ ମିଶି କିପରି ଗୋଆରେ ମଉଜ କରୁଥିଲେ ଏବେ ତାର ପର୍ଦ୍ଦାଫାଶ ହୋଇଛି । ଏହା ମଧ୍ୟ ସ୍ପଷ୍ଟ ହେଉଛି, କିପରି ପୋଲିସ ଅଫିସରଙ୍କ ସହ ମିଶି କେନ୍ଦ୍ରାପଡାରେ ତାର କଳାସାମ୍ରାଜ୍ୟ ବିସ୍ତାର କରିଥିଲା ଟିଟୋ । ଖାଲି ସେତିକି ନୁହେଁ ଟିଟୋର ଡାହାଣ ହାତ କୁହାଯାଉଥିବା ଦିପ୍ତୀ ରଂଜନ ବି ସାମିଲ ଥିଲା ଏହି କଳା କାରବାରରେ । ଏସଟିଏଫ ଏବେ ଏନେଇ ଖୋଳତାଡ କରୁଛି ।

ପଦାକୁ ଆସିବ ପୋଲିସ-ଗ୍ୟାଙ୍ଗଷ୍ଟର ସମ୍ପର୍କ । ଗ୍ୟାଙ୍ଗଷ୍ଟର ଟିଟୋ ସହ ପୋଲିସ ଅଫିସରଙ୍କର କିଭଳି ଥିଲା କ୍ଷୀର ନିରର ସମ୍ପର୍କ, ସେନେଇ ଖୋଳତାଡ ଆରମ୍ଭ କରିଛି ଏସଟିଏଫ । ଏସଟିଏଫ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଲାଂଚ ଖାଇ ଗିରଫ ହୋଇଥିବା ପୂର୍ବତନ ଜଟଣୀ ଥାନା ଇ୍ନ୍ସପେକ୍ଟର ସଂଜୀବ ମହାନ୍ତିଙ୍କୁ ଏନେଇ ଜେରା କରାଯିବ ।  ସଂଜୀବ କେନ୍ଦ୍ରାପଡାରେ ଥିବା ସମୟରେ ତାଙ୍କରି ଛତ୍ରଛାୟା ତଳେ ନିଜ ଗ୍ୟାଙ୍ଗକୁ ଅପରେଟ କରୁଥିଲା ଗ୍ୟାଙ୍ଗଷ୍ଟର ଟିଟୋ । ଦାଦାବଟି, ଟେଣ୍ଡର ଫିକ୍ସିଂ, ହତ୍ୟା ଭଳି ସଙ୍ଗୀନ ଓ ସାଂଘାତିକ ମାମଲା ଟିଟୋ ନାଁରେ ଥିଲେ ବି ତା ଦେହରେ କେହି ହାତ ମାରିପାରୁନଥିଲେ । କାହିଁକି ନା  ଟିଟୋ ସହ ଥିଲା ଏହି ପୋଲିସ ବାବୁଙ୍କ ଘନିଷ୍ଠ ସମ୍ପର୍କ । ଏପରିକି କେତେବେଳେ କାହାକୁ କେଉଁ ମାମଲାରେ ଗିରଫ କରାଯିବ ତାର ନିଷ୍ପତି ନେଉଥିଲା ଟିଟୋ । ଏସବୁ ତଥ୍ୟ ସେତେବେଳେ ପଦାକୁ ଆସିଲା ଯେତେବେଳେ ୫ଲକ୍ଷ ଟଙ୍କା ଲାଂଚ ନଦେବାରୁ ଟିଟୋର ଭାଇ ସପୋକୁ ପୋଲିସ ହାତକଡି ପିନ୍ଧାଇଥିଲା । ଏହା ପରେ ସତର ପର୍ଦ୍ଦାଫାସ କରିଥିଲା ସପୋ ।

ସପୋ ଓରଫ ସୟଦ ଇମ୍ରାନ ଅଲ୍ଲୀ । ଏସଟିଏଫ ପାଇଁ ମୋଷ୍ଟ ୱାଂଟେଡ । ସପୋର ବୟାନକୁ ନେଇ ଏବେ ଛାନଭିନ୍ନ କରୁଛି ଏସଟିଏଫ । ତଦନ୍ତର ପ୍ରାଥମିକ ପର୍ଯ୍ୟାୟରେ ଟିଟୋର ଡାହାଣହାତ କୁହାଯାଉଥିବା ଦିପ୍ତୀ ରଂଜନ ଦାସକୁ ଗିରଫ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ଦିପ୍ତୀ ଥିଲା ଟିଟୋର ସୁଧ ବେପାରୀ । ଟିଟୋ ସାମ୍ରାଜ୍ୟ ଯେଉଁ ସବୁ କଳାଧନ ଉପାର୍ଜନ କରୁଥିଲା ସେସବୁକୁ ବଜାରରେ ଲଗାଇ ୫ ପ୍ରତିଶତ ସୁଧ ଆଦାୟ କରୁଥିଲା ଦିପ୍ତୀ । ଯାହାର ସିଂହଭାଗ ସେ ନିଜେ ରଖୁଥିଲା । ଆଉ କିଛି ଦେଉଥିଲା ଟିଟୋକୁ । ଟିଟୋର ସୁଧ ବେପାରୀ ଭାବେ ଜଣାଶୁଣା ଦୀପ୍ତୀ କେବେ କାହା ପାଖରେ କେତେ କଳା ଟଙ୍କା ଲଗାଇଥିଲା ସେନେଇ ଏବେ ଚାଲିଛି ଛାନଭିନ୍ନ । ଏହାସହ ଟିଟୋ, ପୋଲିସ ଅଫିସର ସଂଜୀବ ମହାନ୍ତି ଏବଂ ଦିପ୍ତୀ ମିଳିମିଶି କେମିତି ଗୋଆରେ ମଉଜ କରୁଥିଲେ ତାର ଗୁମର ଖୋଲିଛି ସପୋ । ପୋଲିସ ଗ୍ୟାଙ୍ଗଷ୍ଟର ଓ ସୁଧ ବେପାରୀର ଲିଙ୍କ ଉପରୁ ପରଦା ହଟାଇବ ଏସଟିଏଫ । ତେବେ ଏସଟିଏଫ ଗିରଫ ହୋଇଥିବା ଦିପ୍ତୀ ରଂଜନ ଦାସ ଏବଂ ଚିତରଂଜନ ସାହୁକୁ ୫ଦିନ ପାଇଁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି । ଏଥିସହ ଇନ୍ସପେକ୍ଟର ସଂଜୀବ ମହାନ୍ତିଙ୍କୁ ବି ଏସଟିଏଫ ଜେରା କରିବ ।