ଓଡିଆ ଫିଲ୍ମରେ ଟଙ୍କା ଲଗାଉଥିଲା ଗ୍ୟାଙ୍ଗଷ୍ଟର ଟିଟୋ ! ଏସଟିଏଫକୁ ମିଳିଲା ବଡ ସୁରାକ, ଫିଲ୍ମ ବିଶ୍ୱନାଥ ଉପରେ ଲାଗିପାରେ କଟକଣା ।

38

କନକ ବ୍ୟୁରୋ : ବହୁ ଓଡ଼ିଆ ଫିଲ୍ମରେ ଲାଗିଛି ଗ୍ୟାଙ୍ଗଷ୍ଟର ଟିଟୋର ଟଙ୍କା । ଜେରା ବେଳେ ଏଭଳି କିଛି ତଥ୍ୟ ଲାଗିଛି ଏସଟିଏଫ୍ ହାତରେ । କୁହାଯାଉଛି, ବିଶ୍ୱନାଥ ନାମରେ ନିର୍ମାଣ ହେଉଥିବା ଫିଲ୍ମରେ ଟିଟୋର ଟଙ୍କା ଲାଗିଛି । ଅବଶ୍ୟ ନିଜେ ପ୍ରଚ୍ଛଦ ପଟରେ ରହି ଜଣେ ସଂପର୍କୀୟ ଭାଇ ଜରିଆରେ ଟଙ୍କା ଲଗାଇଛି ଗ୍ୟାଙ୍ଗଷ୍ଟର । ଗଣେଶ ପୂଜାରେ ଏହି ଫିଲ୍ମ ରିଲିଜ୍ ହେବାର ଲକ୍ଷ୍ୟ ରଖାଯାଇଛି । ଦ୍ୱିତୀୟ ରିମାଣ୍ଡରେ ଆଣି ଟିଟୋକୁ ଗୁଡାଇ ତୁଡାଇ ଜେରା କରୁଛି ସ୍ୱତନ୍ତ୍ର ଟାକ୍ସ ଫୋର୍ସ । ତଦନ୍ତ ବେଳେ ସାମନାକୁ ଆସୁଛି ଗ୍ୟାଙ୍ଗଷ୍ଟରର କଳା ସାମ୍ରାଜ୍ୟର ଅନେକ ଗୁମର ।

ଟିଟୋର ଓଲିଉଡ୍ କନେକସନ୍, ଫିଲ୍ମରେ ଲାଗିଛି ଗ୍ୟାଙ୍ଗଷ୍ଟରର ଟଙ୍କା । ଟିଟୋର କଳା ସାମ୍ରାଜ୍ୟ ନେଇ ତଦନ୍ତ ଯେତିକି ଆଗଉଛି, ସେତିକି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଠିକାଦାରି, ରିୟଲ ଇଷ୍ଟେଟ୍ ଭଳି ଓଡ଼ିଆ ଫିଲ୍ମରେ ମଧ୍ୟ ଟିଟୋ ଟଙ୍କା ଲଗାଇଥିବା ନେଇ ଏସଟିଏଫକୁ ମିଳିଛି ସୂଚନା । ‘ବିଶ୍ୱନାଥ‘ ନାଁରେ ନିର୍ମାଣଧୀନ ଫିଲ୍ମରେ ଟଙ୍କା ଲଗାଇଛି ଟିଟୋ । ଫିଲ୍ମ ବିଶ୍ୱନାଥରେ ଗ୍ୟାଙ୍ଗଷ୍ଟର ସିଧାସଳଖ ସଂପୃକ୍ତ ନଥିଲେ ବି  ନିଜ ସମ୍ପର୍କୀୟ ଭାଇଙ୍କ ଜରିଆରେ  ଟଙ୍କା ଲଗାଇଥିବା ଜଣାପଡିଛି । ଫିଲ୍ମରେ ଲିଡ ରୋଲରେ ଅଛନ୍ତି ସମ୍ବିତ ଓ ସମ୍ଭାବନା । ଏଥିରେ ରାଇମୋହନ, ମିହିର ଦାଶ ମଧ୍ୟ ଅଭିନୟ କରୁଥିବା ଜଣାପଡିଛି । ଏସଟିଏଫକୁ ଏ ନେଇ ସୁରାକ ମିଳିବା ପରେ ଆରମ୍ଭ ହୋଇଛି ଖୋଳତାଡ ।

ଫିଲ୍ମ ବିଶ୍ୱନାଥର ମହୁରତ ପରେ ସୁଟିଂ କାର୍ଯ୍ୟ ମଧ୍ୟ ଖୁବ ଜୋରରେ ଆଗେଇ ଚାଲିଛି । ଗଣେଶ ପୂଜାରେ ଏହି ଫିଲ୍ମ ରିଲିଜ କରିବାକୁ ଲକ୍ଷ୍ୟ ରଖାଯାଇଛି । କୁହାଯାଉଛି, ଫିଲ୍ମରେ ଟିଟୋର ଜାଗୁଆର ଗାଡି ବି ବ୍ୟବହାର ହୋଇଛି । ଟିଟୋର ସଂପତି ଓ ଟିଟୋର ନେଟୱର୍କର ଗଭୀରତା ତାଜୁବ କରୁଛି ତଦନ୍ତକାରୀ ଅଧିକାରୀଙ୍କୁ । ଦ୍ୱିତୀୟ ଥର ରିମାଣ୍ଡରେ ଆଣି ଘନ ଘନ ଜେରା କରୁଛି ଏସଟିଏଫ୍ । ଗିରଫ ବେଳେ ଟିଟୋ ଓ ତା’ର ଅପରାଧିକ ଓ ବ୍ୟବସାୟିକ ସାମ୍ରାଜ୍ୟ ବିଷୟରେ ଏସଟିଏଫ୍ ଯାହା ଭାବୁଥିଲା, ତା’ଠାରୁ କାହିଁ କେତେ ଅଧିକ ଲମ୍ବିଛି ଗ୍ୟାଙ୍ଗଷ୍ଟରର କାରବାର । ଟିଟୋର ସହଯୋଗୀମାନଙ୍କୁ ଚିହ୍ନଟ କରୁଛି ଏସଟିଏଫ୍ । ଏହାଛଡ଼ା ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଟିଟୋର ପଲିଟିକାଲ୍ ଲିଙ୍କ୍ ମଧ୍ୟ ରହିଛି ଏସଟିଏଫର ସ୍କାନରରେ ।