କାନ୍ଦିଲା ଗ୍ୟାଙ୍ଗଷ୍ଟାର ଟିଟୋ । ପଶ୍ଚାତାପ ନୁହେଁ ବରଂ ଭେଳିକି ଲୁହରେ ଭିଜିଲା ଆଖି ।

30

କନକ ବ୍ୟୁରୋ : ଡନ୍ ଆଖିରେ ଲୁହ । ଅପରାଧ ଜଗତର ସବୁଠୁ ଚର୍ଚ୍ଚିତ ଚେହେରା ଗ୍ୟାଙ୍ଗଷ୍ଟାର ଟିଟୋ ଆଖିରେ ଝରି ଆସିଥିବା ଲୁହ ପଶ୍ଚାତାପର ନୁହେଁ ବରଂ ଏସଟିଏଫ୍ ଆଖିରେ ଧୁଳି ଦେଇ ଅନୁସନ୍ଧାନକୁ ବାଟବଣା କରିବା । ହେଲେ ଟିଟୋର ଏହି ଅଭିନୟ ତଦନ୍ତ ଅଧିକାରୀଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା । ଆଉ ତା ପାପ ସାମ୍ରାଜ୍ୟର ପେଡି ଖୋଲିବାକୁ ପୁଣି ୪ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ୍ ଏସଟିଏଫ୍ ।

ଗ୍ୟାଙ୍ଗଷ୍ଟର ଟିଟୋ ଆଖିରେ ଲୁହ ହେଲେ ଏ ଲୁହ ପଶ୍ଚାତାପର ନୁହେଁ । ବରଂ ପୋଲିସ ଅନୁସନ୍ଧାନକୁ ବିଭ୍ରାନ୍ତ କରିବା ଲାଗି ଏଭଳି କୁମ୍ଭୀର କାନ୍ଦଣା କାନ୍ଦିଥିଲା ଗ୍ୟାଙ୍ଗଷ୍ଟର । ଏସଟିଏଫର ପଚରାଉଚରା ବେଳେ ଟିଟୋ ସବୁ ପ୍ରଶ୍ନକୁ ଏଡାଇ ଯାଉଥିବାବେଳେ ରଣନୀତି ବଦଳାଇଥିଲା କ୍ରାଇମବ୍ରାଂଚ । ପୂର୍ବରୁ ଏକାଧିକ ଅଫିସର ଏକାଠି ଗୁଡାଇ ତୁଡାଇ ପ୍ରଶ୍ନ କରୁଥିବାବେଳେ ଏବେ କିଛି ଏହିଭଳି ୱାନ ଟୁ ୱାନ ଜେରା କରାଯାଇଥିଲା । ହେଲେ ଗ୍ୟାଙ୍ଗଷ୍ଟରର ଗଡ ଭେଦିବାକୁ ଚାହୁଁଥିବା ଏସଟିଏଫ ଅଧିକାରୀଙ୍କ ପ୍ରଶ୍ନରେ ଏହିଭଳି ଅଭିନୟ କରିଥିଲା ଟିଟୋ । ଆଖିରୁ ଲୁହ ଗଡାଇ କହିଥିଲା ଯେ, ଅପରାଧିକ କାର୍ଯ୍ୟକଳାପରୁ ସେ ଅନେକଦିନ ହେଲା ଦୂରେଇ ରହିଛି ଏବଂ ସବୁ କଳା କାରବାର ବନ୍ଦ କରି ଜଣେ ଭଲ ଲୋକ ହେବାକୁ ପ୍ରୟାସ କରୁଛି । ଲୋକଙ୍କ ସେବା କରୁଛି । କିନ୍ତୁ ବେଳା ଖରାପ ଥିବାରୁ ଏକ ବୃହତ ଷଡଯନ୍ତ୍ରର ଶିକାର ହୋଇଛି ।

ଗ୍ୟାଙ୍ଗଷ୍ଟରର ଏପରି ଭେଳିକି ତଦନ୍ତ ଅଧିକାରୀଙ୍କ ମନରେ କୌଣସି ପ୍ରଭାବ ପକାଇ ପାରିନାହିଁ । କାରଣ ଟିଟୋକୁ ଏନକାଉଂଟର ଓ ଗିରଫ ପରଠାରୁ ତା ବିରାଟ ସାମ୍ରାଜ୍ୟର ଆକଳନ କରୁଛି କ୍ରାଇମବ୍ରାଂଚ । କିଭଳି ସେ କାରବାର କରୁଥିଲା ଓ ଏଥିରେ କେଉଁମାନେ ତାକୁ ସହଯୋଗ କରୁଥିଲେ ତାହା ଜାଣିବାକୁ ଏକାଧିକ ରେଡ କରାଯାଇଛି । ଓଡିଶା ବାହାରେ ମଧ୍ୟ ତାର ସଂପତି ଠାବ କରିଛି କ୍ରାଇମବ୍ରାଂଚ ପୋଲିସ । ଜୁନ୍ ୩୦ରେ ଟିଟୋକୁ ଗିରଫ କରିବା ପରେ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଂଚ । ରିମାଣ୍ଡ ଶେଷ ହେବା ପରେ କେନ୍ଦ୍ରାପଡା ଏସଡିଜେଏମ କୋର୍ଟରେ ହାଜର କରିଛି ଏସଟିଏଫ । ଟିଟୋର ଅପରାଧ ଓ ବ୍ୟବସାୟିକ ସାମ୍ରାଜ୍ୟ କେଉଁ ପର୍ଯ୍ୟନ୍ତ ଲମ୍ବିଛି, ସେ ନେଇ ଛାନଭିନ କରୁଛି ଏସଟିଏଫ । ଏହି ଗ୍ୟାଙ୍ଗଷ୍ଟରର ରହିଛି କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତି । ନିଜ ନାଁରେ ଓ ନିଜ ପରିବାର ନାଁରେ ରହିଛି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ।

ଟିଟୋର ଘର, ଭାଇ ଓ ସହଯୋଗୀମାନଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ପୋଲିସ ଚଢାଉ କରିବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଦୁଇ ଦୁଇଟି ପେଟ୍ରୋଲ ପମ୍ପ, ଠିକାଦାରି ଠାରୁ ଆରମ୍ଭ କରି ବାଲିଖାଦାନ ନିଲାମ, ପଟ୍ଟାମୁଣ୍ଡାଇରେ ବାଇକ ସୋ’ରୁମ, ପାରାଦୀପରେ ଷ୍ଟିଭେର୍ଡସ କଂପାନି, ଗାରମେଂଟ ସୋ’ରୁମ ତା’ ମାଲିକାନାରେ ଥିବା ସମବୁଲ୍ ଟେଡର୍ସରୁ ବହୁ କାଗଜପତ୍ର, କମ୍ପ୍ୟୁଟର, ହାର୍ଡଡିସ୍କ, ସିସିଟିଭି ଓ ମୋବାଇଲ୍ ଫୋନ ସିଜ୍ କରି ତଦନ୍ତ ଚଳାଇଛି କ୍ରାଇମବ୍ରାଂଚ ପୋଲିସ । ପ୍ରାଥମିକ ପର୍ଯ୍ୟାୟରେ ଟିଟୋ ନାଁରେ ଥିବା ବ୍ୟାଙ୍କ ଆକାଉଁଟ ଗୁଡିକ ଅଚଳ କରିବାକୁ ସମସ୍ତ ବ୍ୟାଙ୍କକୁ ଚିଠି ଲେଖିଛି ଏସଟିଏଫ୍ ।