ପୋଲିସ କବଜାରେ ଗ୍ୟାଙ୍ଗଷ୍ଟାର ଟିଟୋ ! ଏନକାଉଣ୍ଟର କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍, ଜାଣନ୍ତୁ ଟିଟୋ ଅପରାଧର ପୁରା କାହାଣୀ ।

33

କନକ ବ୍ୟୁରୋ : ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ଟିଟୋକୁ ନିଜ କବଜାକୁ ନେଇଛି ପୋଲିସ । ଗ୍ୟାଙ୍ଗଷ୍ଟାର ଟିଟୋକୁ ଏନକାଉଣ୍ଟର କରିଛି କ୍ରାଇମବ୍ରାଂଚ ଏସଟିଏଫ ଟିମ । ଟିଟୋ ସମେତ ଅନ୍ୟ ତିନି ଜଣ ସହଯୋଗୀଙ୍କୁ ପୋଲିସ କାବୁ କରିଛି । ତେବେ ଏନକାଉଣ୍ଟରରେ ଟିଟୋ ଆହତ ହୋଇଛି । ବଡଚଣା ହସ୍ପିଟାଲରେ ଆହତ ଟିଟୋକୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଶେଖ୍ ଉସମାନ ଅଲ୍ଲୀ ଓରଫ୍ ଟିଟୋ । କିଛି ବର୍ଷ ହେଲା କେନ୍ଦ୍ରାପଡା ଓ କଟକକୁ ଥରହର କରିଆସୁଥିଲା ଏହି ଅଣ୍ଡରୱାର୍ଲ୍ଡ ଡନ୍ । କୁହାଯାଏ, ତା’ର ଗୋଟିଏ ଇସାରାରେ ହୋଇଥାଏ ବଡ଼ ବଡ଼ କ୍ରାଇମ୍ । ତାର ନାଲିଆଖିରେ ପାଟି ଫିଟେନି କାହାର । ଏହି ଦୁର୍ଦ୍ଦାନ୍ତ ଅପରାଧୀ ନାଁରେ ରହିଛି ହତ୍ୟା, ଦାଦାବଟି, ଅପହରଣ ତଥା ଟେଣ୍ଡର ଫିକ୍ସିଂ ପରି ସଙ୍ଗୀନ୍ ଅପରାଧ । କେନ୍ଦ୍ରାପଡ଼ାରୁ କୋଲକାତା ଯାଏଁ ଲମ୍ବିଥିଲା ଏହି ଗ୍ୟାଙ୍ଗଷ୍ଟରର ନେଟୱର୍କ । ଟିଟୋ ପଛରେ ପଡିଥିଲା ସାରା ରାଜ୍ୟର ପୋଲିସ । କିନ୍ତୁ ପ୍ରାୟ ୬ ବର୍ଷ ହେଲା ପୁଲିସ୍ ରେକର୍ଡରେ ଫେରାର ଥିଲା ଟିଟୋ । କେନ୍ଦ୍ରାପଡ଼ାରେ ଛୋଟ ବଡ଼ ଚୋରି, ରାହାଜାନି, ଗଣ୍ଡଗୋଳ, ମାରପିଟରୁ ଅପରାଧ ଜଗତରେ ପ୍ରବେଶ କରିଥିଲା ଟିଟୋ । ଏହା ପରେ କେନ୍ଦ୍ରାପଡ଼ାର ଦୁଇ ଗ୍ୟାଙ୍ଗଷ୍ଟର ହାଇଦର ଓ ସୁଲେମାନଙ୍କ ସହ କାମ ଆରମ୍ଭ କରିଥିଲା । ଧୀରେ ଧୀରେ ନିଜର ଗ୍ୟାଙ୍ଗ ତିଆରି କରିଥିଲା ଏହି ଅପରାଧୀ ।

ଅପରାଧ ଜଗତରେ କେନ୍ଦ୍ରାପଡାର ଏହି ଗ୍ୟାଙ୍ଗଷ୍ଟାରର କାହାଣୀ ବେଶ୍ ଲମ୍ବା । ୧୯୮୯ ମସିହାରୁ ଆରମ୍ଭ ହୁଏ ଟିଟୋର କ୍ରାଇମ୍ କ୍ୟାରିଅର୍ । ଫୁଟବଲ୍ ପଡିଆରେ ମାରପିଟ୍ ଓ ଧମକଚମକ । ଏହାପରେ କେନ୍ଦ୍ରାପଡ଼ାର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ଓ ସୁଲେମାନ୍ ଗ୍ୟାଙ୍ଗ ସହ ସଂପର୍କ ବଢ଼ାଏ ଏହି ଅପରାଧୀ । ଦୁଇ ଗ୍ୟାଙ୍ଗଷ୍ଟରଙ୍କ ସହ ମିଶି ବଡ଼ ବଡ଼ ଅପରାଧ କରେ ଟିଟୋ । ଲମ୍ବି ଚାଲେ ତା’ର ଅପରାଧର ତାଲିକା । ଏହାରି ଭିତରେ ନିଜର ଗ୍ୟାଙ୍ଗ୍ ତିଆରି କରେ ଟିଟୋ । ଛୋଟ ବଡ଼ ଅପରାଧୀଙ୍କୁ ନିଜ ଆଡକୁ ଆକୃଷ୍ଟ କରେ । ବିଶେଷ କରି କେନ୍ଦ୍ରାପଡ଼ା ଓ କଟକର ଛୋଟ ବଡ଼ ଅପରାଧରେ ସଂପୃକ୍ତ ଯୁବକମାନଙ୍କୁ ନିଜ ଜାଲରେ ପକାଏ ଟିଟୋ ।

ସ୍ଥିତି ସୁଦୃଢ ହେବା ପରେ ହାଇଦର ଓ ସୁଲେମାନ୍ ଗ୍ୟାଙ୍ଗ୍ ଠାରୁ ଅଲଗା ହୋଇ ଟିଟୋ ଗଢେ ନିଜର ସାମ୍ରାଜ୍ୟ । ଆଉ ନିଜ ଢଙ୍ଗରେ ଚଳାଏ ଅପରେସନ୍ । ଏପ୍ରିଲ୍ ୨୦୦୬ରେ ଜଣେ କଂଟ୍ରାକ୍ଟରଙ୍କ ହତ୍ୟା ଘଟଣାରେ ଟିଟୋ ଗିରଫ ହୁଏ କୋଲକାତାରୁ । ବେଶ୍ କିଛି ଦିନ ପର୍ଯ୍ୟନ୍ତ ଜେଲରେ ରହେ ଡନ୍ । ତେବେ ଜେଲ୍ ଚାରିକାଂଥରୁ ଚାଲେ ନେଟୱର୍କ । ପୋଲିସ ରେକର୍ଡ କୁହେ, ଜେଲରେ ରହିଥାଏ ଟିଟୋ, ବାହାରେ ଥିବା ୬ ଭାଇ ଚଳାନ୍ତି ପୂରା କାରବାର । ଆଉ ଜେଲରୁ ବାହାରିବା ପରେ ପୁଣି ଥରେ ଅପରାଧ ଦୁନିଆରେ ସକ୍ରିୟ ହୋଇଉଠେ ଟିଟୋ ।
୨୦୦୯ରେ ଟିଟୋ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଗ୍ୟାଙ୍ଗୱାରରେ ସୁଲେମାନର ମୃତ୍ୟୁ ହୁଏ । ହାଇଦର ଜେଲକୁ ଯାଏ, ଆଉ ଏହାର ସୁଯୋଗ ନିଏ ଟିଟୋ । ତା’ରି ଇସାରାରେ ହୁଏ ଟେଣ୍ଡର ଫିକ୍ସିଂ, ତାରି ଇସାରାରେ ହୁଏ ହତ୍ୟା, ଦାଦାବଟି ଭଳି ସଂଗୀନ ଅପରାଧ ।

୨୦୦୯ରେ ହୁଏ ଗ୍ୟାଙ୍ଗଷ୍ଟାର ସୁଲେମାନର ହତ୍ୟା । ଏହା ପଛରେ ବି ଟିଟୋ ଗ୍ୟାଙ୍ଗର ହାତ ଥିବା ଅଭିଯୋଗ ହୁଏ । ଜେଲରେ ହାଇଦର ଆଉ ସୁଲେମାନ ମୃତ । ଟିଟୋ ପାଇଁ କେନ୍ଦ୍ରାପଡାରେ ସୃଷ୍ଟି ହୁଏ ଅପରାଧର ନୂଆ ସମୀକରଣ । ପୁଲିସ୍-ପଲିଟିକାଲ୍ ଲିଂକ୍, ବନ୍ଧୁକ ମୁନ, ନାଲିଆଖି ଓ ଜବରଦସ୍ତ ନେଟୱର୍କ ଜରିଆରେ ଚାଲେ ଡନର ଅନ୍ଧାରି ଶାସନ । ୨୦୧୦ ମସିହାରେ ପୁଲିସ୍ ହାତରେ ଲାଗେ ଡନ୍ ଟିଟୋ । ହେଲେ କିଛି ଦିନ ଜେଲରେ ରହି ପୁଣି ବାହାରିଆସେ ବେଲରେ । କାରଣ ଡନର ଡର ଯୋଗୁଁ ପାଟି ଖୋଲନ୍ତି ନାହିଁ ସାକ୍ଷୀ । ତେବେ ଅପରାଧୀକୁ ଜେଲ ଭିତରକୁ ପୂରାଇବା ଲାଗି ୨୦୧୨ରୁ ଟିଟୋ ନାଁରେ ପୋଲିସ ବାହାର କରିଛି ଏନଏସଏ ୱାରେଂଟ୍, ହେଲେ ପୁଲିସ୍ ରେକର୍ଡରେ ସେ ଫେରାର ଥିଲା । ଟିଟୋ ନାଁରେ ଡଜନ ଡଜନ ମାମଲା ଥିଲେ ବି ତା ବିରୋଧରେ ମିଳିନଥିଲା କୌଣସି ପ୍ରମାଣ । ଆଉ ବେଧଡକ ଭାବେ ନିଜର କାୟା ମେଲାଇ ଚାଲିଥିଲା ଏହି ଗ୍ୟାଙ୍ଗଷ୍ଟର । ସେପଟେ ଟ୍ୱିନ୍ ସିଟିର ତିନି ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ, ଅନୀଲ ଛୋଟରାୟ ଓ ଡି ବ୍ରଦର୍ସ ଜେଲକୁ ଯିବା ପରେ କେନ୍ଦ୍ରାପଡ଼ାରୁ କଟକ ଯାଏ ଲମ୍ବିଚାଲିଥଇଲା ଟିଟୋର ନେଟୱର୍କ । ବାଲି ଚୋରାଚାଲଣଠାରୁ ଟେଣ୍ଡର ଫିକ୍ସିଂ ପର୍ଯ୍ୟନ୍ତ ସବୁକିଛି ଚାଲିଥିଲା ଟିଟୋର ଇସାରାରେ । ଶେଷରେ ପୋଲିସ ଟିଟୋକୁ ନିଜ କବଜାରେ ନେବାରେ ସଫଳ ହୋଇଛି ।