ପୋଲିସ ଗୁଳି ଓ ଗ୍ୟାଙ୍ଗଷ୍ଟାର ! ଏନକାଉଣ୍ଟରରେ ଗଲା କୁଖ୍ୟାତ ଡକାୟତ ଚଗଲାର ଜୀବନ

25

କନକ ବ୍ୟୁରୋ : କୁଖ୍ୟାତ ଡକାୟତ ଓ ଟିଟୋ ଗ୍ୟାଙ୍ଗର ସଦସ୍ୟ ଚଗଲାକୁ ଏନକାଉଣ୍ଟର କରିଛି ନୟାଗଡ ପୋଲିସ୍ । ପୋଲିସ୍ ଗୁଳିରେ ପ୍ରାଣ ହରାଇଛି ଦୁର୍ଦାନ୍ତ ଅପରାଧି ଚଗଲା ମଲ୍ଲିକ୍ । ନିଆଳି ଥାନା ରାଣିଓଳା ଗାଁର ଚଗଲାକୁ ବିଳମ୍ବିତ ରାତିରେ ଏନକାଉଁଟର କରିଛି ନୟାଗଡ ଓ ରଣପୁର ପୋଲିସର ମିଳିତ ଟିମ । ତାର ଦୁଇ ଗୋଡରେ ଦୁଇଟି ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ହେଲେ ମେଡିକାଲ ନେବା ବାଟରେ ତାର ମୃତ୍ୟୁ ଘଟିଛି ।

ଜୁଲାଇ ୫, ୨୦୧୮, ଗୁରୁବାର । ରାତି ପ୍ରାୟ ୧୧ଟା ୩୦ । ରଣପୁର ପୁଲିସ୍ ପାଖରେ ପହଂଚିଥିଲା ସେହି ଖବର, ଯେଉଁ ଖବରକୁ ବେଶ କିଛି ଦିନ ହେଲା ଅପେକ୍ଷା କରି ରହିଥିଲା ପୁଲିସ୍ । ଖବର ଆସିଲା, ଅପରାଧ ଜଗତର ଡନ୍ କୁହାଯାଉଥିବା ଟିଟୋର ଖାସ୍ ସହଯୋଗୀ ଚଗଲା ଏବଂ ତାର ଜଣେ ସହଯୋଗୀ ନୟାଗଡ ଅଂଚଳରେ ବୁଲାବୁଲି କରୁଛନ୍ତି । ଏହି ଦୁଇ ଅପରାଧୀ କୌଣସି ଅପରାଧୀ ଷଡଯନ୍ତ୍ରକୁ ଚୁଡାନ୍ତ ରୁପ ଦେବା ପୁର୍ବରୁ ତାଙ୍କ ନିକଟରେ ପହଂଚି ଯାଇଥିଲା ପୁଲିସ୍ । ପୁଲିସକୁ ଦେଖି ଫେରାର୍ ହେବା ପାଇଁ ଉଦ୍ୟମ କରିବା ସହ ଗୁଡ଼ିମାଡ଼ କରିଥିଲେ ଏହି ଦୁଇ ଅପରାଧୀ । ଆରମ୍ଭ ହୋଇଗଲା କାଉଂଟର ଆକ୍ରମଣ । ଆଉ ପୁଲିସ୍ ଏନକାଉଂଟରରେ ଟଳିପଡ଼ିଲା କୁଖ୍ୟାତ ଅପରାଧୀ ଚଗଲା ଓରଫ ବଳରାମ ମଲ୍ଲିକ । କିନ୍ତୁ ତାର ସହଯୋଗୀ ଜଣକ ଫେରାର ହୋଇ ଯାଇଥିଲା ।

ଗୁରୁତର ଥିବା ଚଗଲାକୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରିବା ବେଳେ ମୃତ୍ୟୁ ଘଟିଥିଲା । ଗତ ଏପ୍ରିଲ ମାସରେ ରଣପୁର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ କୋଟି କୋଟି ଟଙ୍କାର ସୁନା ଅଳଙ୍କାର ଲୁଟର ମାଷ୍ଟର ମାଇଣ୍ଡ ଥିଲା ଚଗଲା । ସେ ଦିନଠାରୁ ରଣପୁର ପୋଲିସ ସ୍କାନରରେ ସେ ଆସିଯାଇଥିଲା । ଚଗଲା ବିରୋଧରେ ବିଭିନ୍ନ ଥାନାରେ ୫୦ରୁ ଅଧିକ ମାମଲା ଥିବା ଜଣା ପଡିଛି । ଏପରିକି ୪ଟି ହତ୍ୟାକାଣ୍ଡରେ ମଧ୍ୟ ସଂପୃକ୍ତ ଥିଲା ଏହି ଦୁର୍ଦାନ୍ତ ଅପରାଧୀ । ଏନକାଉଂଟର ସ୍ଥଳରୁ ପୋଲିସ ଗୋଟିଏ ବାଇକ୍, ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ । ଏପଟେ ଚଗଲାର ଅନ୍ୟ ସହଯୋଗୀଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି ।