ନୀଳଗିରିରେ ଧାନ ଜଗିବାକୁ ଯାଇଥିବା ମହିଳାଙ୍କୁ ଗଣଦୁଷ୍କର୍ମ ! ଅଭିଯୁକ୍ତ ଫରେଷ୍ଟଗାର୍ଡ଼ ଓ ୩ ସବୁଜବାହିନୀ କର୍ମଚାରୀକୁ ଗିରଫ କଲା ପୋଲିସ୍

48

କନକ ବ୍ୟୁରୋ : ନୀଳଗିରିରେ ମହିଳାଙ୍କୁ ଗଣଦୁଷ୍କର୍ମ । ଧାନ ଜଗିବାକୁ ଯାଇଥିବା ବେଳେ ଜଣେ ଫରେଷ୍ଟଗାର୍ଡ଼ ଓ ୩ ସବୁଜବାହିନୀ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏମାନେ କୁଲଡିହା ଅଭୟାରଣ୍ୟ ତେଣ୍ଡା ବିଟ୍ ହାଉସର କର୍ମଚାରୀ ବୋଲି ଜଣାପଡ଼ିଛି । ଅଭିଯୁକ୍ତମାନଙ୍କୁ ଗ୍ରାମବାସୀମାନେ ନିସ୍ତୁକ ମାଡ଼ ମାରିଥିଲେ । ଘଟଣାସ୍ଥଳରେ ପହଂଚି ଉଦ୍ଧାର କରିବା ପରେ ୩ ଜଣଂକୁ ଗିରଫ କରିଛି ପୁଲିସ୍ । ଜଣେ ଅଭିଯୁକ୍ତ ଫେରାର ଅଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ତେଣ୍ଡା ଗ୍ରାମର ଜଣେ ମହିଳା ତାଙ୍କ ଟାଇଚୁଙ୍ଗ ଧାନ ଜଗିବା ପାଇଁ କୁଲଡିୟା ଅଭୟାରଣ୍ୟର ତେଣ୍ଡା ବିଟ୍ ହାଉସ ନିକଟରେ ଥିବା ସାତଘାଟି ବନ୍ଧ ତଳେ ତିଆରି କରିଥିବା ମଞ୍ଚାରେ ରାତିର ଶୋଇଥିଲେ । ତେବେ ରାତି ପ୍ରାୟ ୧୨ଟା ବେଳେ ବିଟ୍ ହାଉସର ଫରେଷ୍ଟର ଅଞ୍ଜନ ଦାସ, ଗଣେଶ୍ୱର ବିଶ୍ୱାଳ,ଖୁଦିରାମ ସିଂହ ଓ ମୁସକାନ ସିଂହ ସେଠାରେ ପହଞ୍ଚି ଏହି ୪୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ତେବେ ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗାଁ ଲୋକେ ମହିଳାଙ୍କ ଠାରୁ ସମସ୍ତ କଥା ଶୁଣିବା ପରେ ବିଟ୍ ହାଉସରେ ପହଞ୍ଚି ଘେରାଉ କରିଥିଲେ । ସେଠାରୁ କୌଶଳକ୍ରମେ ମୁସକାନ ସିଂହ ଖସିଯାଇଥିିବା ବେଳେ ଗାଁ ଲୋକେ ଅନ୍ୟ ୩ ଜଣ ଅଭିଯୁକ୍ତ ବନକର୍ମଚାରୀଙ୍କୁ ଧରି ଗାଁକୁ ଆଣି ଗଛରେ ବାନ୍ଧିି ଦେଇଥିଲେ । ଏ ନେଇ ନୀଳଗିରି ଥାନା ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ବନକର୍ମଚାରୀଙ୍କୁ ଗିରଫ କରିଛି । ସେହିପରି ଅଭିୁକ୍ତମାନଙ୍କ ସହିତ ସମ୍ପୃକ୍ତ ପୀଡ଼ିତାଙ୍କର ମଧ୍ୟ ଆଜି ଡାକ୍ତରୀ ମାଇନା କରାଯିବ ।