ବାରିମୂଳ ଉପକାରାଗାରରେ ଗ୍ୟାଙ୍ଗୱାର୍ । ଗ୍ୟାଙ୍ଗଷ୍ଟର ଟିଟୋ ଗ୍ୟାଙ୍ଗ୍ ମାଡ଼ରେ ଲିଟୁ ସହଯୋଗୀ ଆହତ

52

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ବାରିମୂଳ ଉପକାରାଗାରରେ ଘଟିଛି ଗ୍ୟାଙ୍ଗୱାର୍। ଟିଟୋ ଗ୍ୟାଙ୍ଗର କେତେକ ସଦସ୍ୟ ଓ ମାର୍ଶାଘାଇ ଅଞ୍ଚଳର ଗ୍ୟାଙ୍ଗଷ୍ଟର ଲିଟୁ ଦାସର ସମର୍ଥକଙ୍କ ମଧ୍ୟରେ ଜେଲ୍ ଭିତରେ ଗ୍ୟାଙ୍ଗୱାର୍ ଘଟଣା ସାମନାକୁ ଆସିଛି। ଗତ ୯ ତାରିଖରେ ଏହି ଗ୍ୟାଙ୍ଗୱାର୍ ହୋଇଥିବା ବେଳେ ସବଜେଲର ସରୋଜ କୁମାର ବିଶ୍ବାଳଙ୍କ ଏତଲା କ୍ରମେ ସଦର ଥାନାରେ ଏକ ମାମଲା ଦାଏର୍ ହୋଇଛି। ଉଭୟ ଗୋଷ୍ଠୀର ସଦସ୍ୟଙ୍କୁ କାବୁ କରାଯିବା ପରେ ଟିଟୋର ୩ ଜଣ ସହଯୋଗୀଙ୍କୁ ହାଇ ସିକ୍ୟୁରିଟି ଵାର୍ଡର ୩ଟି କୋଠରୀରେ ଅଲଗା ଅଲଗା ରଖାଯାଇଛି। ଜେଲ୍ ଭିତରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ପୁଲିସ ଓକିଲ ବିବାଦରୁ ଅଦାଲତ ବନ୍ଦ ଘଟଣାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

 

ସଦର ଥାନାରେ ଦିଆଯାଇଥିବା ଏତଲାରେ ଦର୍ଶା ଯାଇଛି ଯେ, ଜେଲ୍ ଭିତରେ ଲିଟୁ ଦାସ, ଟିଟୋର ସହଯୋଗୀ କମଳେଶ ଚଇନି, ସରୋଜ ପତି, ନିହାର ସ୍ବାଇଁ ପ୍ରମୁଖ ଗୋଟିଏ କୋଠରୀରେ ରହୁଥିଲେ। ସାମାନ୍ୟ ଝାଡ଼ୁ କରିବା ଘଟଣାରୁ ଲିଟୁ ଓ କମଳେଶ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଏଥିରେ ନିହାର ହସ୍ତକ୍ଷେପ କରି କମଳେଶକୁ ଧକ୍କା ଦେଇ ଧମକାଇ ଥିଲା। ଏ ସମ୍ପର୍କରେ ଖବର ପାଇବା ପରେ ଅନ୍ୟ କୋଠରୀରେ ରହୁଥିବା ଟିଟୋର ସହଯୋଗୀ ସେକ୍ ଚାନୋ, ସେକ୍ ଅବଦୁଲ୍ଲା ଓ ସେକ୍ ବାଲାଙ୍ଗୀ ସେଠାରେ ପହଁଚି ନିହାରକୁ ନିସ୍ତୁକ ଛେଚି ଥିଲେ। ମୁଥମାଡ଼ରେ ଗୁରୁତର ହୋଇ ପଡ଼ିଥିବା ନିହାରକୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ପୁଲିସ୍ ହେପାଜତରେ ଚିକିତ୍ସା ପରେ ତାକୁ ପୁଣି ଜେଲ୍ ଭିତରକୁ ନିଆଯାଇଛି।