୩୦ ବର୍ଷରୁ ବିନା ଦରମାରେ କରୁଛନ୍ତି ଟ୍ରାଫିକ୍ ନିୟନ୍ତ୍ରଣ : ପୁଅର ମୃତ୍ୟୁ ବଦଳାଇଦେଲା ଗଙ୍ଗାରାମଙ୍କ ଜୀବନ

29

୭୪ ବର୍ଷୀୟ ଗଙ୍ଗାରାମଙ୍କ ଜୀବନ ଅନ୍ୟମାନଙ୍କ ଜୀବନ ପାଇଁ ସମର୍ପିତ । ଗତ ୩୦ ବର୍ଷ ହେବ ଦିଲ୍ଲୀ ସଲିମପୁରର ବ୍ୟସ୍ତବହୁଳ ଛକରେ ଢ଼ିଲା ପୋଷାକ ପିନ୍ଧି ହାତରେ ବାଡି ଧରି ପୁରା ଅନୁଶାସନରେ ଟ୍ରାଫିକ ନିୟନ୍ତ୍ରଣ କରୁ୍ଥିବା ନଜର ଆସନ୍ତି । ପ୍ରତିଦିନ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଟ୍ରାଫିକ ପୁଲିସ ପୋଷାକ ପିନ୍ଧି ପ୍ରସ୍ତୁତ ଥାଆନ୍ତି । ବୟସ ସହିତ ତାଙ୍କର ଅବସର ହେବା କଥା, ହେଲେ ସେ କେବେ ଅବସର ନେଉ ନାହାଁନ୍ତି । କାହିଁକିନା ଅସଲରେ ସେ ପୁଲିସ୍ ନୁହଁନ୍ତି । ଏଥିପାଇଁ ନା ତାଙ୍କୁ ଅବସର ମିଳିବ ନା ଦରମା । ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ, ବୃଦ୍ଧକାଳରେ ବିନା ଦରମାରେ କାହିଁକି ଚାକିରୀ କରୁଛନ୍ତି । ଏହା ପଛରେ ଏକ ମର୍ମସ୍ପର୍ଶୀ କାହାଣୀ ଅଛି, ଯାହା ପାଇଁ ସେ ଏମିତି କାମ କରନ୍ତି ।

୩୦ ବର୍ଷ ପୂର୍ବେ ତାଙ୍କର ଏକ ଟିଭି ମରାମତି ଦୋକାନ ଥିଲା, ଯେଉଁଠି ତାଙ୍କ ପୁଅ ବି କାମ କରୁଥିଲେ । ତା’ପରେ ସେ ଟ୍ରାଫିକ୍ ୱାର୍ଡେନ ବନିଗଲେ ଓ ସକାଳେ ଏବଂ ସନ୍ଧ୍ୟାରେ ସେହି ଛକରେ ଟ୍ରାଫିକ୍ ସେବା କରୁଥିଲେ । ପୁଣି ୧୦ଟାରେ ଦୋକାନ ଖୋଲୁଥିଲେ । ୮ ବର୍ଷ ପୂର୍ବେ ତାଙ୍କ ଜୀବନର ସବୁଠାରୁ ବଡ଼ ଝଟକା ଲାଗିଲା । ତାଙ୍କ ପୁଅ ଟ୍ରକ୍ ତଳେ ଚାପି ହୋଇଗଲେ । ଗଙ୍ଗାରାମ ୬ ମାସ ପର୍ଯ୍ୟନ୍ତ ହସପିଟାଲର ଚକ୍କର କାଟିବା ପରେ ମଧ୍ୟ ପୁଅ ବଂଚିପାରିନଥିଲା । ପୁଅର ମୃତ୍ୟୁରେ ମର୍ମାହତ ହୋଇ ତାଙ୍କ ସ୍ତ୍ରୀଙ୍କ ଜୀବନ ବି ଚାଲିଗଲା । ପୁରା ପରିବାରରେ ସେ ଏକୁଟିଆ ହୋଇଗଲେ । ପରିବାରରେ କେବଳ ବୋହୁ, ଗୋଟିଏ ନାତି ଓ ଗୋଟିଏ ନାତୁଣୀ ଅଛନ୍ତି । ବୋହୁ ନର୍ସ କାମ କରି ପରିବାର ଖର୍ଚ୍ଚ ବହନ କରନ୍ତି । ହେଲେ ଗଙ୍ଗାରାମଙ୍କ ଜୀବନ କେବଳ ଏହି ପୋଷାକ । ନିଜେ ଧୁଅନ୍ତି, ପ୍ରେସ କରନ୍ତି ଓ କାମ କରିଚାଲନ୍ତି ।