ଶିଶୁଭବନରେ ଗଙ୍ଗା ଯମୁନାଙ୍କ ଚିକିତ୍ସା ଜାରି ! ପାଳନ ହେଲାନି ମନ୍ତ୍ରୀଙ୍କ ନିର୍ଦ୍ଦେଶ, ‘ରକ୍ତ ପରୀକ୍ଷା ପାଇଁ ନେଲେ ୮୫୦ ଟଙ୍କା’

28

କନକ ବ୍ୟୁରୋ : ଶିଶୁଭବନରେ ଜୀବନ ସହିତ ସଂଗ୍ରାମ କରୁଥିବା ଗଙ୍ଗା ଓ ଯମୁନାଙ୍କ ଚିକିତ୍ସା ଖର୍ଚ ମାଗଣାରେ କରାଯିବ ବୋଲି ଖୋଦ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୃତି ଦେଇଥିଲେ । କିନ୍ତୁ କଟକ ଶିଶୁଭବନରେ ଗଙ୍ଗା-ଯମୁନାଙ୍କ ରକ୍ତ ପରୀକ୍ଷା ବାବଦରେ ୮୫୦ ଟଙ୍କା ଦେୟ ତାଙ୍କ ବାପା କିଶୋର ଦତଙ୍କଠାରୁ ଆଦାୟ କରାଯାଇଛି । ଶିଶୁଭବନ କର୍ତ୍ତୃପକ୍ଷ ମାଗଣାରେ ପରୀକ୍ଷା କରିବାକୁ ଚିଠାରେ ଦର୍ଶାଇଥିବାବେଳେ ମେଡିକାଲରେ ଏହା ପାଳନ କରାଯାଇନଥିଲା । ଘଟଣାକୁ ଶିଶୁଭବନ କର୍ତ୍ତୃପକ୍ଷ ଗୁରୁତର ସହ ନେଇଛନ୍ତି । ଘଟଣାର ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତ ୧ ତାରିଖ ବିଳମ୍ବିତ ରାତିରେ ନୟାଗଡର ଗଙ୍ଗା ଓ ଯମୁନା ଶିଶୁଭବନରେ ଭର୍ତ୍ତି ହୋଇଥିଲେ ।

ଅନ୍ୟପଟେ ଶିଶୁଭବନରେ ଚିକିତ୍ସିତ ହେଉଥିବା ଗଙ୍ଗାଯମୁନାଙ୍କ କଟକ ବଡ ମେଡିକାଲରେ ଏମଆରଆଇ ହେବ । ଏହି ଶିଶୁଙ୍କ ଶରୀରରେ କେଉଁ ଆଭ୍ୟନ୍ତରୀଣ ଅଙ୍ଗ ଯୋଡି ହୋଇରହିଛି ତାହା ଜାଣିବା ପାଇଁ ଏହି ଟେଷ୍ଟ କରାଯିବ । ନୟାଗଡରେ ଏହି ଶିଶୁ ଗତ ପହିଲାରେ ଗୁରୁତର ଅବସ୍ଥାରେ ଶିଶୁଭବନରେ ଭର୍ତ୍ତି ହୋଇଥିଲେ । ଏହି ଦୁଇ କନ୍ୟାଶିଶୁଙ୍କ ପେଟ ଓ ଛାତି ଯୋଡି ହେଇ ରହିଛି । ଏମାନଙ୍କର ଗୋଟିଏ ହାର୍ଟ ଥିବା ମେଡିକାଲ ରିପୋର୍ଟରେ ଜଣାପଡିବାରେ ଅପରେସନ ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି ।