୧୦ ବର୍ଷ ପରେ ଜେଲରୁ ବାହାରିବ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ! ହାଇକୋର୍ଟରୁ ମିଳିଲା ସର୍ତମୂଳକ ଜାମିନ

38

କନକ ବ୍ୟୁରୋ : ୧୦ ବର୍ଷ ପରେ ଜେଲରୁ ବାହାରିବ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ । ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଓ ହତ୍ୟା ଧମକ ମାମଲାରେ ହାଇକୋର୍ଟ ଆଜି ରାଜାକୁ ଜାମିନ୍ ପ୍ରଦାନ କରିଛନ୍ତି । ବହୁ ଚର୍ଚ୍ଚିତ ଜୁଡୋ କୋଚ୍ ବିରଂଚି ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ରାଜା ଆଚାର୍ଯ୍ୟ ଜେଲରୁ ମୁକୁଳିଲେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସୁରକ୍ଷା ଦାବି କରିଛନ୍ତି ମୃତ ଜୁଡୋ କୋଚ୍ ବିରଚିଂଙ୍କ ପତ୍ନୀ ଗୀତାଜଂଳୀ ।

ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଜୁଡୋ କୋଚ୍ ବିରଂଚି ଦାସ ହତ୍ୟା ମାମଲାର ଅଭିଯୁକ୍ତ ରାଜା ଆଚାର୍ଯ୍ୟ ଜେଲ ଚାରିକାନ୍ଥରୁ ମୁକୁଳିବା ନେଇ ବାଟ ଫିଟିଛି । ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଓ ହତ୍ୟା ଧମକ ମାମଲାରେ ହାଇକୋର୍ଟ ରାଜାକୁ ଜାମିନ ପ୍ରଦାନ କରିଛନ୍ତି । ଏନେଇ କୋର୍ଟଙ୍କ ନିର୍ଦ୍ଦେଶ କପି ପୋଲିସ ପାଖରେ ପହଁଚିବା ପରେ ରାଜାଙ୍କୁ ଜେଲରୁ ମୁକ୍ତି ମିଳିବ । ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ବାହାରକୁ ଆସିପାରେ ରାଜା ଆଚାର୍ଯ୍ୟ ।

୨୦୧୦ ମସିହା, ଭୁବନେଶ୍ୱର । ଅଭିଯୋଗ ଅନୁସାରେ ଦାଦାବଟି ପାଇଁ ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଓ ପରେ ହତ୍ୟା ଧମକ ଦେଇଥିଲା ରାଜା ଆଚାର୍ଯ୍ୟ । ୨୦୧୭ରେ ହାଇକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ମାମଲା ପହଁଚଥିଲା ସୁପ୍ରିମକୋର୍ଟରେ । ମାମଲାର ପୁନର୍ବିଚାର କରିବାକୁ ହାଇକୋର୍ଟଙ୍କୁ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏବେ କୋର୍ଟ ରାଜା ଆଚାର୍ଯ୍ୟକୁ ଜାମିନ ଦେଇଛନ୍ତି ।

ମେ ୨୮, ୨୦୦୮ । ଗୋଆରୁ ରାଜାକୁ ଗିରଫ କରିଥିଲା ପୋଲିସ । ମାମଲା ଥିଲା ହାଇପ୍ରୋଫାଇଲ୍ ମର୍ଡର । ଜୁଡୋ କୋଚ୍ ବିରଂଚି ଦାସ ହତ୍ୟା ମାମଲାର ଅଭିଯୁକ୍ତ ଥିଲା ରାଜା ଆଚାର୍ଯ୍ୟ । ତେବେ ସେହି ମାମଲାରେ କୋର୍ଟ ତାଙ୍କୁ ଜାମିନ ଦେଇସାରିଛନ୍ତି । ଏବେ ଜେଲରୁ ମୁକୁଳିବାକୁ ଯାଉଛି ଏହି ଗ୍ୟାଙ୍ଗଷ୍ଟାର । ରାଜାଙ୍କ ମୁକୁଳିବା ଖବରରେ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି ମୃତ ବିରଂଚିଙ୍କ ପତ୍ନୀ ଗୀତାଂଜଳି ।ହତ୍ୟା, ଅପହରଣ, ଦାଦାବଟି ଓ ଟେଣ୍ଡର ଫିକ୍ସିଂ ଭଳି ପ୍ରାୟ ୮ଟି ମାମଲା ରହିଥିଲା ରାଜା ନାଁରେ । ହେଲେ ସବୁ ମାମଲାରେ ତାକୁ ଜାମିନ ମିଳିସାରିଛି । ଏବେ ୧୦ ବର୍ଷ ପରେ ଜେଲରୁ ମୁକୁଳିବାକୁ ଯାଉଛି ଏହି ଗ୍ୟାଙ୍ଗଷ୍ଟର ।