ପୋଲିସ ଚାହୁଁଛି ଜେଲରେ ରହୁ ଗ୍ୟାଙ୍ଗଷ୍ଟାର ! ରାଜା ଆଚାର୍ଯ୍ୟର ଜାମିନ ଖାରଜ କରିବାକୁ ଅଣ୍ଟା ଭିଡ଼ିଛି ରାଜ୍ୟ ପୋଲିସ

26

କନକ ବ୍ୟୁରୋ : ଜେଲରୁ ବାହାରିବ କି ଗ୍ୟାଙ୍ଗଷ୍ଟର? ନା ଜେଲ ଚାରିକାନ୍ଥ ଭିତରେ ବନ୍ଦୀ ରହିବ? ବହୁ ଚର୍ଚ୍ଚିତ ଜୁଡୋ କୋଚ୍ ବିରଂଚି ଦାସ ହତ୍ୟା ମାମଲାର ଅଭିଯୁକ୍ତ ରାଜା ଆଚାର୍ଯ୍ୟକୁ ଗତକାଲି ଏକ ମାମଲାରେ ଜାମିନ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ସବୁ ମାମଲାରେ ବେଲ୍ ମିଳିସାରିଥିବାରୁ ରାଜା ଜେଗରୁ ମୁକୁଳିବା ନେଇ ବାଟ ଫିଟିଛି । ତେବେ ରାଜାର ଜାମିନ ଖାରଜ କରିବାକୁ ଏବେ ଅଂଟା ଭିଡିଛି ପୋଲିସ ।

ଜାମିନ ମିଳିବାର ୨୪ ଘଂଟା ବିତିନି ହେଲେ ଜେଲରୁ ବାହାରିବା ନେଇ ସସପେନ୍ସ ବଢିଛି ଏହି ଗ୍ୟାଙ୍ଗଷ୍ଟର ପାଇଁ । ବର୍ତମାନ ସ୍ଥିତିରେ ରାଜା ଆଚାର୍ଯ୍ୟକୁ ଜେଲ ଭିତରେ ହିଁ ରଖିବାକୁ ଯୋଜନା କରୁଛି କମିଶନରେଟ୍ ପୋଲିସ । ରାଜାର ଜାମିନ ଖାରଜ ପାଇଁ ହାଇକୋର୍ଟରେ ଆବେଦନ କରିବ ପୋଲିସ । ଏନେଇ ଆଇନ୍ ବିଶାରଦଙ୍କ ପରାମର୍ଶ ଲୋଡାଯାଇଛି । ହାଇକୋର୍ଟରୁ ଜାମିନ ସମ୍ବନ୍ଧୀୟ ପତ୍ର ମିଳିବା ପରେ ପୋଲିସ ତାର ପରବର୍ତୀ ପଦକ୍ଷେପ ନେବ ।

ହତ୍ୟା, ଅପହରଣ, ଦାଦାବଟି ଓ ଟେଣ୍ଡର ଫିକ୍ସିଂ ଭଳି ସଂଗୀନ ମାମଲା ରହିଛି ରାଜା ଆଚାର୍ଯ୍ୟଙ୍କ ଭଳି କୁଖ୍ୟାତ ଗ୍ୟାଙ୍ଗଷ୍ଟାରଙ୍କ ନାଁରେ । ପାଖାପାଖି ୫୬ ଟି ମାମଲା । କଟକରୁ କେନ୍ଦ୍ରାପଡା, ଭୁବନେଶ୍ୱରରୁ ଭଦ୍ରକ । ବର୍ଷ ବର୍ଷ ଧରି ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟରର ଇଂଗିତରେ ଚାଲିଥିଲା ଅପରାଧର ସାମ୍ରାଜ୍ୟ । ତେବେ ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିଲା ଜୁଡୋ କୋଚ୍ ବିରଂଚି ଦାସ ହତ୍ୟା ମାମଲା । ଯେଉଁଥିରେ ଅଭିଯୁକ୍ତ ଥିଲା ରାଜା ଆଚାର୍ଯ୍ୟ । ଆଉ ଏହାପରେ ଜେଲର ଚାରିକାନ୍ଥ ଭିତରକୁ ଚାଲିଯାଇଥିଲା ରାଜା ଆଚାର୍ଯ୍ୟ ।

ମେ ୨୮, ୨୦୦୮ । ଜୁଡୋ କୋଚ୍ ବିରଂଚି ଦାସ ହତ୍ୟା ମାମଲାରେ ପ୍ରାୟ ୧୦ ବର୍ଷ ତଳେ ଗୋଆରୁ ରାଜାକୁ ଗିରଫ କରିଥିଲା ପୋଲିସ । ସେବେଠାରୁ ଜେଲରେ ରହିଛି ଏହି ଗ୍ୟାଙ୍ଗଷ୍ଟର । ୨୦୧୦ରେ ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଓ ହତ୍ୟା ଧମକ ମାମଲାରେ ଶୁକ୍ରବାର ରାଜାକୁ ବେଲ୍ ଦେଇଥିଲେ ହାଇକୋର୍ଟ । ହେଲେ ଏବେ ରାଜାର ଜାମିନ୍ ଖାରଜ ପାଇଁ ଅବେଦନ କରିବ କମିଶନରେଟ୍ ପୋଲିସ ।