ରାତି ଅଧରେ ମଝି ରାସ୍ତାରେ ସ୍ତ୍ରୀଙ୍କୁ ଛାଡି କାରରେ ପଳାଇ ଆସିଲେ ସ୍ୱାମୀ ! ତିନିଦିନ ପରେ ବି ମିଳୁନି ପତା । ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

41

କନକ ବ୍ୟୁରୋ: ସ୍ୱାମୀଙ୍କ ସହ କାରରେ ଯାଉଥିବା ସ୍ତ୍ରୀ, ମଝି ରାସ୍ତାରୁ ଗାଏବ ହୋଇଯିବା ଘଟଣା ଯେତିକି ରହସ୍ୟମୟ ସେତିକି ସମ୍ବେଦନଶୀଳ । କାରଣ ରାତି ଅଧରେ ଏକୁଟିଆ ମହିଳାଙ୍କ ସହ କିଛି ବି ଅଘଟଣ ଘଟିଥାଇପାରେ । ତିନିଦିନ ହେଲାଣି ମହିଳାଙ୍କ ପତା ମିଳୁନଥିବାରୁ, ତାଙ୍କ ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ ବଢୁଛି । ଆଉ ସୂଚନା ଅନୁସାରେ ଘଟଣାରେ ପୋଲିସ ୪ଜଣଙ୍କୁ ଅଟକ ରଖିଛି । ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିବା ସ୍ୱୀକାର ବି କରିଛନ୍ତି ବୋଲି ଏକ ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି । ହେଲେ ମହିଳା ଜଣକ ଗଲେ କୁଆଡେ । ସମ୍ବଲପୁରରୁ କଟକ ଆସୁଥିବା ବାଟରେ ଅନୁଗୁଳ ନାକଚିରୁ କେଉଁଆଡେ ଅନ୍ତର୍ଦ୍ଧନ ହୋଇଗଲେ ତାହା ହିଁ ବଡ ପ୍ରଶ୍ନ ହୋଇ ରହିଛି ।

ତାରିଖ- ୩ ମେ’ ୨୦୧୮ । ସମୟ- ରାତି ପ୍ରାୟ ୧୦ଟା । ସ୍ଥାନ- ଅନୁଗୁଳ ଜିଲ୍ଲା ନାକଚି । ସ୍ୱାମୀ ଓ ଝିଅ ସହ ସମ୍ବଲପୁରରୁ କାରରେ କଟକ ଅଭିମୁଖେ ଆସୁଥିବା ସ୍ତ୍ରୀ ଅନୁଗୁଳ ନାକଚି ନିକଟରେ ପରିସ୍ରା କରିବାକୁ ଓହ୍ଲାଇଥିଲେ । ହେଲେ ଶୌଚ ହେବାପାଇଁ କାରରୁ ପାଣି ବୋତଲ ନେବାକୁ ଭୁଲି ଯାଇଥିବାରୁ ପୁଣି କାର ନିକଟକୁ ଆସି ପାଣି ବୋତଲ ନେବା ସହ କାରଡୋର ପକାଇଲେ । କାରଡୋର ପଡିବା ଶୁଣି ସ୍ତ୍ରୀ କାର ଭିତରେ ବସିଯାଇଥିବା ମନେକରି କାର ଚଳାଇଥିଲେ ସ୍ୱାମୀ ହେଲେ ସେହିଠାରେ ରହିଯାଇଥିଲେ ସ୍ତ୍ରୀ । ଆଗକୁ ବଢିଚାଲିଥିବା ସ୍ୱାମୀ ବଇଣ୍ଡା ଛକରେ ସ୍ତ୍ରୀ ପଛ ସିଟରେ ନଥିବା ଅନୁଭବ କଲାବେଳକୁ ଢେର ପଛରେ ରହିଯାଇଥିଲେ ସ୍ତ୍ରୀ । ତେଣୁ ନାକଚି ଆଡକୁ ଫେରିଥିଲେ ସ୍ୱାମୀ ଓ ଝିଅ । ହେଲେ ଛାଡିଯାଇଥିବା ସ୍ଥାନରେ ପହଂଚିଲା ବେଳକୁ ସେଠାରେ ଆଉ ସ୍ତ୍ରୀଙ୍କୁ ପାଇନଥିଲେ ।

ଅନେକ ଖୋଜାଖୋଜି ପରେ ସ୍ତ୍ରୀଙ୍କୁ ନପାଇବାରୁ ନାକଚିରେ ଲୋକଙ୍କୁ ପଚରାଉଚରା କରିଥିଲେ । କିଛି ସମୟ ତଳେ ଜଣେ ମହିଳା ଏକୁଟିଆ ବୁଲୁଥିଲେ ହେଲେ କୁଆଡେ ଗଲେ ସେନେଇ କେହି କିଛି ସୂଚନା ଦେଇପାରି ନଥିଲେ । ବ୍ୟତିବସ୍ତ ହୋଇ ନାକଚିରୁ ବଇଣ୍ଡା ମଧ୍ୟରେ ବରମ୍ବାର ଖୋଜିଥିଲେ ସ୍ୱାମୀ । ଶେଷରେ ନିରାଶ ହୋଇ ପରଦିନ ଅର୍ଥାତ ଶୁକ୍ରବାର ହଣ୍ଡପା ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ । ମିଳିଥିବା ସୂଚନା ଅନୁସାରେ ପୋଲିସ ସ୍ଥାନୀୟ ଅଂଚଳରେ ପଚରାଉଚରା କରି ୪ଜଣଙ୍କୁ ଥାନାକୁ ଉଠାଇ ଆଣିଥିଲା । ଏବଂ ସଂପୃକ୍ତ ମହିଳାଙ୍କ ସହ ସେମାନେ ଦୁଷ୍କର୍ମ କରିଥିବା ସ୍ୱୀକାର କରିଛନ୍ତି ।

 

ହେଲେ ଏହି ଘଟଣାରେ ଏବେ ବି ଅନେକ ଦିଗ ରହସ୍ୟମୟ ହୋଇ ରହିଛି ।

– ରାତିରେ ରାସ୍ତାରୁ ନିଖୋଜ ହୋଇଯାଇଥିବା ମହିଳା ଜଣକ ଗଲେ କୁଆଡେ?

– ଗଣ ଦୁଷ୍କର୍ମ ପରେ ହତ୍ୟା କରି ଅନ୍ତର୍ଦ୍ଧାନ କରିଦେଇ ନାହାନ୍ତି ତ ଦୁଷ୍କର୍ମକାରୀ?