କୋଣାର୍କ ଗଣଦୁଷ୍କର୍ମ ମାମଲାରେ ଲାଗିଲା ରାଜନୀତିର ରଙ୍ଗ ! ଉଠିଲା ପ୍ରଶ୍ନ, ଦେହ ବ୍ୟବସାୟ ସନ୍ଦେହରେ କୋହଳ ପଡୁଛି କି ପୁଲିସ ?

34

କନକ ବ୍ୟୁରୋ : କୋଣାର୍କରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରିପାରିନାହିଁ ପୁଲିସ । ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଛି କି ନାହିଁ, ସେନେଇ ମଧ୍ୟ ପୁଲିସର ସନ୍ଦେହ ରହିଛି । ପୀଡିତାଙ୍କ ଡାକ୍ତରୀମାଇନା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ସେପଟେ ଏହି ମାମଲାରେ ଲାଗିଛି ରାଜନୀତିର ରଙ୍ଗ । ରାଜ୍ୟ କଂଗ୍ରେସର ମହିଳା ମୋର୍ଚ୍ଚା ଏବଂ ବିଜେପି ମହିଳା ମୋର୍ଚ୍ଚା ପୀଡିତାଙ୍କୁ ଭେଟିବା ପରେ, ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ପୁଲିସ ଟାଳଟୁଳ ନୀତି ଆପଣାଉଥିବା ଅଭିଯୋଗ ହୋଇଛି ।

ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଛି ନା’ ନାହିଁ? ଦେହଜୀବୀ ସନ୍ଦେହରେ କୋହଳ ପଡୁଛି କି ପୋଲିସ? ବୁଧବାର ଦିନ କୋଣାର୍କରେ ଗଣଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ସାରା ଅଂଚଳରେ ଚାଂଚଲ୍ୟ ଖେଳି ଯାଇଥିଲା । ଅଭିଯୋଗ ଏପରି ଥିଲା ତାହା ସମସ୍ତଙ୍କ ଛାତି ଥରାଇ ଦେଇଥିଲା । ହେଲେ ପୋଲିସ ଯେପରି ମାମଲାକୁ ଆଗକୁ ନେଉଛି ତାକୁ ନେଇ ଉଠୁଛି ପ୍ରଶ୍ନ । କାରଣ ପୀଡ଼ିତାଙ୍କ ସ୍ପଷ୍ଟ ବୟାନ ଓ ଘଟଣାସ୍ଥଳରୁ ୨ଟି ଆଧାରକାର୍ଡ ମିଳିଥିଲେ ବି ଅଭିଯୁକ୍ତମାନଙ୍କ ନିକଟରେ ପହଁଚି ପାରିନି ପୋଲିସ ।

ଏପଟେ ପୋଲିସ କହୁଛି, ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗର ସତ୍ୟତା ଯାଂଚ କରାଯାଉଛି । ଏକ ଯୁବତୀ ଚାଲାଣ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସମ୍ପୃକ୍ତ ଯୁବତୀଙ୍କ ଡାକ୍ତରୀ ମାଇନା ରିପୋର୍ଟ ଆସିବା ପରେ ଗଣବଳକ୍ରାର ହୋଇଛି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସଡିପିଓ । ଚାପ ବଢିବା ପରେ  ୪୮ ଘଂଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଏବଂ ସହଯୋଗୀମାନଙ୍କୁ ଗିରଫ କରାଯିବ ବୋଲି କହିଛି ପୋଲିସ ।

ସେପଟେ ଏହି ଘଟଣା ନେଇ ଆରମ୍ଭ ହୋଇଛି ରାଜନୀତି । ପୀଡିତାଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଏବଂ ରାଜ୍ୟ କଂଗ୍ରେସ ମହିଳା ମୋର୍ଚ୍ଚା ପ୍ରତିନିଧି ମଣ୍ଡଳୀ । କଂଗ୍ରେସ ମହିଳା ମୋର୍ଚ୍ଚାର ୭ ଜଣିଆ ଦଳ ଏସଡିପିଓଙ୍କୁ ଭେଟିବା ପରେ ଅତିରିକ୍ତ ଏସପିଙ୍କୁ ଦାବିପତ୍ର ଦେଇଛନ୍ତି । ବିଜେପି ମହିଳା ମୋର୍ଚ୍ଚା ପ୍ରଭାତି ପରିଡାଙ୍କ ନେତୃତ୍ୱରେ ୫ଜଣିଆ ଟିମ୍ ଘଟଣାର ଅନୁଧ୍ୟାନ କରିଛନ୍ତି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ କୋଣାର୍କ ଥାନା ଘେରାଉ କରିଛି ବିଜେପି  । ଗତକାଲି କୋଣାର୍କରେ କୋଲକାତାର ଏକ ଯୁବତୀଙ୍କୁ ବନ୍ଦ କୋଠରୀ ଭିତରୁ ଉଦ୍ଧାର କରାଯାଇଥିଲା । ପ୍ରାୟ ୧୦ଜଣ ଯୁବକ ୪ଦିନ ଧରି ଗଣଦୁଷ୍କର୍ମ କରିଥିବା ନିଜେ ପୀଡ଼ିତା କହିଥିଲେ । ଘର ମାଲିକ ଓ ଜଣେ ଦେହ ଦଲାଲକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।