ସୁନ୍ଦରଗଡ ଜିଲ୍ଲାରେ ଶିଶୁ କନ୍ୟାକୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ! ୪୮ଘଂଟା ପରେ ବି ପୋଲିସର ହାତ ଖାଲି

64

କନକ ବ୍ୟୁରୋ : ରାଉରକେଲା ତୁରୀଟୋଲା ଜଙ୍ଗଲରେ ସାଢ଼େ ଚାରି ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ ଗଣଦୁଷ୍କର୍ମ ପରେ ନିର୍ମମ ହତ୍ୟା । ଘଟଣା ଘଟିବାର ୪୮ ଘଂଟା ହୋଇଥିଲେ ମଧ୍ୟ ପୋଲିସର ହାତ ଖାଲି । ଏପର୍ଯ୍ୟନ୍ତ ଅଭିଯୁକ୍ତ ଧରା ନପଡ଼ିଥିବାରୁ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଜଘନ୍ୟ ହତ୍ୟାକାଣ୍ଡର ଖୋଳତାଡ କରୁଛି ସୁନ୍ଦରଗଡ ଜିଲ୍ଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ।

ରାଉରକେଲା ନିକଟ ଖଇରବନ୍ଧ ଅଂଚଳର ତୁରୀଟୋଲା ଜଙ୍ଗଲରୁ ୪ ବର୍ଷ ବୟସ୍କ ନାବାଳିକାର ମୃତଦେହ ଉଦ୍ଧାର ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଛାନଭିନ ଆରମ୍ଭ କରିଛି । ଗତ ସୋମବାର ରାତିରେ ରାଉରକେଲା ନିକଟ ଖଇରବନ୍ଧ ତୁରୀଟୋଲାରେ ବଡ଼ପାହାଡ଼ି ଯାତ୍ରା ଚାଲିଥିଲା । ଭୋଜି ଖାଇବା ପରେ ତୁରୀଟୋଲାର ଜୈନିକ ବ୍ୟକ୍ତିଙ୍କ ସାଢ଼େ ଚାରିବର୍ଷ ଶିଶୁ କନ୍ୟା କୁଆଡେ ଗାଏବ ହୋଇଯାଇଥିଲେ ।

ପରିବାର ଓ ସ୍ଥାନୀୟ ଲୋକେ ରାତି ସାରା ଖୋଜାଖୋଜି କରି ନାବାଳିକାର ସନ୍ଧାନ ପାଇନଥିଲେ । ମଙ୍ଗଳବାର ପୂର୍ବାହ୍ନରେ ପାହାଡ଼ ଉପରେ ଏକ ପଥର ତଳୁ କ୍ଷତାକ୍ତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଥିଲା । ପାରିପାପାର୍ଶ୍ୱିକ ସ୍ଥିତିରୁ ଏହା ଗଣଦୁଷ୍କର୍ମ ଓ ହତ୍ୟା ବୋଲି ସ୍ପଷ୍ଟ ହେଉଥିବା ବେଳେ ପୋଲିସ ଏଦିଗରେ ତଦନ୍ତ ଜାରି ରଖିଛି ।