କୋଣାର୍କରୁ ଆସିଲା ଲୋମଟାଙ୍କୁରା ଖବର ! ବନ୍ଦ କୋଠରୀରେ କୋଲକତାର ଜଣେ ଯୁବତୀଙ୍କୁ ୪ ଦିନ ଧରି ୧୦ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ

44

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ନିକଟରେ ଏକ ଏପରି ଘଟଣା ଯାହା ଶୁଣିଲେ ଛାତି ଥରି ଉଠିବ । କୋଣାର୍କ ନିକଟରେ ଜଣେ ବଙ୍ଗିୟ ଯୁବତୀଙ୍କୁ ଏକ ପରିତ୍ୟକ୍ତ ଘର ଭିତରେ ୧୦ଜଣ ଯୁବକ ୪ଦିନ ଧରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଯୁବତୀଙ୍କୁ ଉଦ୍ଧାର କରିଛି ସତ, ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ । ଯୁବତୀଙ୍କ ବୟାନ ରେକର୍ଡ ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ସାମନାକୁ ଆସିବ ବୋଲି ପୋଲିସ କହିଛି ।

ଅର୍କକ୍ଷେତ୍ରରେ ଏପରି ଅପରାଧ ଘଟିଛି ଯାହା ସମସ୍ତଙ୍କୁ ଭୟଭୀତ କରିଦେବ । ଜଣେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ୧୦ଜଣ ଯୁବକ । ପ୍ରାୟ ୪ଦିନ ଧରି ଚାଲିଥିଲା ଏହି ବନ୍ଦ ଘରେ ପାଶବିକ ଅତ୍ୟାଚାର । ନିଜ କାମନା ବାସନାର ନିଆଁରେ ଜଣେ ଯୁବତୀର ଜୀବନକୁ ନର୍କ କରିଦେଇଥିଲେ ସଇତାନ । ଘରେ ବନ୍ଦ କରି ଚାଲି ଯାଇଥିବା ବେଳେ କଳେବଳେ କୌଶଳେ ଘରର ଛାତ ଉପରକୁ ଆସି ସହାୟତା ପାଇଁ କାକୁତି ମିନତି ହୋଇଥିଲେ ପୀଡିତା । ଯୁବତୀଙ୍କ ଆକ୍ୁଳ ଚିତ୍କାର ଶୁଣି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଆଉ ତାପରେ ଏହି ପରିତ୍ୟକ୍ତ ଘରୁ ଉଦ୍ଧାର କରାଯାଇଥିଲା ଯୁବତୀଙ୍କୁ । ଯୁବତୀଙ୍କ ବିକଳ ନିବେଦନର ଚିତ୍ର କନକ ନ୍ୟୁଜର ହସ୍ତଗତ ହୋଇଥିଲେ ବି ତାଙ୍କ ସମ୍ମାନ ଓ ସୁପ୍ରିମକୋର୍ଟଙ୍କ କଟକଣା ଦୃଷ୍ଟିରୁ ଦେଖାଯାଉନାହିଁ । ହେଲେ ସେହି ଚିତ୍ର ଆପଣଙ୍କ ହୃଦୟକୁ ବିଦାରି ଦେବ ।

ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିବା ପରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଉଦ୍ଧାର କରିବା ସମୟରେ ପ୍ରବଳ ରକ୍ତସ୍ରାବ ଯୋଗୁଁ ଜୀବନ ସହ ସଂଘର୍ଷ କରୁଛନ୍ତି ଯୁବତୀ । ଖାଲି ସେତିକି ନୁହେଁ ପୀଡିତାଙ୍କ ଦେହରେ ଖଇ ଫୁଟୁଛି ତାତି । ତାଙ୍କ ଅବସ୍ଥା ହିଁ ବୟାନ କରୁଛି କିପରି ଭୟଙ୍କର ନିର୍ଯାତନାର ଶିକାର ହୋଇଛନ୍ତି ପୀଡ଼ିତା ।

ସୂର୍ଯ୍ୟମନ୍ଦିର ଠାରୁ ମାତ୍ର ୧ କିଲୋମିଟର ଏବଂ କୋଣାର୍କ ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ହୋଇଛି ଏଭଳି ସାଂଘାତିକ ଗଣଦୁଷ୍କର୍ମ । କୋଲକାତାରୁ ଆସିଥିବା ଏହି ଯୁବତୀଙ୍କୁ ଅର୍କକ୍ଷେତ୍ରରେ ଲଗାତାର ୪ଦିନ ଧରି ଚାଲିଥିଲା ନିର୍ଯାତନା । ଏହି ଘଟଣା ଏବେ ଚାଂଚଲ୍ୟ ଖେଳାଇ ଦେଇଛି ।