ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନାଙ୍କୁ ହଟାଇଲେ ରାହୁଲ । ଆରମ୍ଭ ହେଲା କି ପକ୍ଷଛେଦନ ପ୍ରକ୍ରିୟା?

୨୦୧୯ ପାଇଁ ଏଆଇସିସି ପକ୍ଷରୁ ଗଠିତ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତ ଜେନାଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି ।

377

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ଲାଗିଛି ବଡ ଧରଣର ଝଟକା । ୨୦୧୯ ପାଇଁ ଏଆଇସିସି ପକ୍ଷରୁ ଗଠିତ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ତାଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି ।


ପିସିସିରେ ସାଂଗଠନିକ ପରିବର୍ତ୍ତନ ବେଳେ ଶ୍ରୀକାନ୍ତ ଜେନାଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଲଗାତର ଭାବେ ବିବାଦୀୟ ବୟାନ ଆଉ ସାଂଗଠନିକ ସ୍ଥିତିକୁ ନେଇ ସେ ମନ୍ତବ୍ୟ ରଖୁଥିଲେ । ଯାହା ଦଳବିରୋଧୀ ବୋଲି ବିବେଚନା କରାଯାଉଥିଲା ।
ଦଳ କ୍ଷମତାକୁ ଆସିଲେ କିଏ ମୁଖ୍ୟମନ୍ତ୍ରୀ ହେବେ, କେଉଁ ବର୍ଗର ନେତାଙ୍କୁ ଏହି ଦାୟିତ୍ୱ ମିଳିବା ଉଚିତ ତାକୁ ନେଇ ଖୋଲାମତ ରଖି ବିବାଦୀୟ ହୋଇଥିଲେ ଶ୍ରୀକାନ୍ତ ଜେନା । ଏପରିକି କୃଷ୍ଣ ଶଗରିଆ ଦଳରୁ ଇସ୍ତଫା ଦେବା ଏବଂ ରଖିଥିବା ବିତର୍କିତ ବୟାନ ପଛରେ ଶ୍ରୀକାନ୍ତ ଜେନାଙ୍କ ହାତ ଥିବା ଦଳ ଅନୁଭବ କରିଥିଲା ।


ଦଳରେ ଶ୍ରୀକାନ୍ତ ଜେନାଙ୍କୁ ନେଇ ଚାପା ଗୁଂଜରଣ ସୃଷ୍ଟି ହୋଇଥିଲା । ଦଳୀୟ ନେତା ଖୋଲା ମନ୍ତବ୍ୟ ରଖିଥିଲେ ତାଙ୍କୁ ବିରୋଧ କରି । ଏ ବାବଦରେ ଦଳର ପ୍ରଭାରୀଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ହାଇକମାଣ୍ଡ ଦଳ ବିରୋଧୀ କାମକୁ ବରଦାସ୍ତ କରିବା ମୁଡରେ ନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କଥା କୁହାଯାଉଛି ।

ନୂଆ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ଗଣେଶ୍ୱର ବେହାରଙ୍କୁ ଦାୟିତ୍ୱ ଦିଆଯାଇଛି । ସଦସ୍ୟ ଭାବେ ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମସୁନ୍ଦର ହାଁସଦା, ମେରି ସୁରିନ୍, ନଟବର ଖୁଂଟିଆ, ଲିଆକତ ଅଲ୍ଲୀ, ସତ୍ୟପ୍ରକାଶ ନାୟକ ଓ ଆବାହକ ଭାବେ ବିସ୍ମୟ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।

ଅଶୋକ ଗେହେଲୋଟଙ୍କ ଦସ୍ତଖତରେ ଆସିଥିବା ଏହି ରିଲିଜରୁ ସ୍ପଷ୍ଟ ଭାବେ ଜଣାପଡୁଛି, ଶ୍ରୀକାନ୍ତ ଜେନା ଦଳରେ ସଂପୂର୍ଣ୍ଣ ଭାବେ ଅଲୋଡା ହୋଇଛନ୍ତି । ଏପରିକି ତାଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକମାଣ୍ଡ ଚିନ୍ତା କରୁଥିବା ସୂଚନା ମିଳିଛି ।