ଆଉ ମାତ୍ର ଦିନ କେଇଟା ପରେ ଗଣେଶ ପୂଜା : ପୁରପଲ୍ଲୀ ସବୁଠି ଚାଲିଛି ପ୍ରସ୍ତୁତି, କାରିଗରଙ୍କ ଶେଷ ସ୍ପର୍ଶ ଅପେକ୍ଷାରେ ବିଘ୍ନରାଜ

398

କନକ ବ୍ୟୁରୋ : ଆଉ ମାତ୍ର ଦିନ କେଇଟା ପରେ ଗଣେଶ ପୂଜା । ଏଥିପାଇଁ ଗାଁଠୁ ସହର ସବୁଠି ଚାଲିଛି ପ୍ରସ୍ତୁତି । ମୂର୍ତ୍ତି ତିଆରି କାମରେ ଲାଗିଛନ୍ତି କାରିଗର । ଏହା ସହ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ପୂଜା ପାଇଁ ପ୍ରସ୍ତୁତି ଯୋରଦାର କରିଛନ୍ତି । ଦେଖନ୍ତୁ ଝାରସୁଗୁଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲା କୋଦୁଆ ବେରେଣି ଗାଁରେ କେମିତି ଚାଲିଛି ଗଜାନନଙ୍କ ମୁର୍ତି ତିଆରି କାମ ।

ବିଘ୍ନରାଜ ପ୍ରଭୁ ଶ୍ରୀ ଗଣେଶଙ୍କ ମୁର୍ତ୍ତି ତିଆରିରେ ବ୍ୟସ୍ତ କାରିଗର । ଆସନ୍ତା ୨ ତାରିଖରେ ଧରାପୃଷ୍ଠକୁ ଅବତରଣ କରିବେ ବିଘ୍ନରାଜ ଗଜାନନ । ଏଥିପାଇଁ ଗାଁ ଠୁ ସହର ସବୁଠି ପ୍ରସ୍ତୁତି ଚାଲିଥିବା ବେଳେ ମୂର୍ତ୍ତି ଗଢା କାମରେ ଲାଗିଛନ୍ତି ଝାରସୁଗୁଡ଼ା ସହରରେ ରହୁଥିବା ପଣ୍ଡିତ ପରିବାର । ଅନ୍ୟବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପଣ୍ଡିତଙ୍କ ପରିବାର ମୂର୍ତ୍ତିର୍ ତିଆରି କାମ ଜାରି ରଖିଛନ୍ତି । ଆଉ ଏଥିରେ ସହଯୋଗ କରିଛନ୍ତି ବାହାରୁ ଆସିଥିବା କାରିଗର । ପୂଜାକୁ ଆଉ ଅଳ୍ପଦିନ ବାକି ଥିବା ବେଳେ ମୂର୍ତି କାରିଗରଙ୍କୁ ଫୁରସତ୍ ନାହିଁ । କେଉଁଠି ଗଜାନନଙ୍କ ମୁର୍ତି ଗଢା କାମ ଆଧା ହୋଇଛି ତ ଆଉ କେଉଁଠି ସରି ଯାଇଛି । ଏବେ କେବଳ କାରିଗରଙ୍କ ଶେଷ ସ୍ପର୍ଶ ପାଇଁ ଅପେକ୍ଷା ବିଘ୍ନରାଜଙ୍କ ମାଟି ମୂର୍ତ୍ତି ।

ଏଥର ପୂଜା ମଣ୍ଡପରେ ଦେଖିବାକୁ ମିଳିବ ଭିନ୍ନ ଭିନ୍ନ ପ୍ରକାରର ଗଜାନନଙ୍କ ମୁର୍ତ୍ତି । ପୂଜା ବଜାରରେ ବିଭିନ୍ନ କାରିଗରଙ୍କ ମୂର୍ତ୍ତିଗଢାକୁ ନେଇ ପ୍ରତିଯୋଗିତା ରହିଛି । ଲୋକଙ୍କ ଚାହିଦା ଅନୁସାରେ ମୁର୍ତିର ଦାମ୍ ୧୦୦ ଟଙ୍କାରୁ ଆରମ୍ଭ ହୋଇ ୧୦ ହଜାର ପର୍ଯ୍ୟନ୍ତ ଟଙ୍କା ରହିଛି । ଏହାକୁ ନଜରରେ ରଖି ମୂର୍ତି ତିଆରିରେ ଲାଗିଛନ୍ତି ଖୋର୍ଦ୍ଧା ଜିଲ୍ଲା କୋଦୁଆବେରେଣି ଗାଁର କାରିଗର । ଏଠାକାର କାରିଗରଙ୍କ ମୂର୍ତ୍ତି ତିଆରିର ରହିଛି ସ୍ୱତନ୍ତ୍ରତା । ପାର୍ବଣ ରୁତୁର ୨ରୁ ୩ ମାସ ପୂର୍ବରୁ କଂଚାମାଲ ଆଣି ମୁର୍ତ୍ତି ପ୍ରସ୍ତୁତି କରନ୍ତି କୋଦୁଆବେରେଣି ଗାଁର କାରିଗର । ମାଟି ଆଉ ରଙ୍ଗ ତୁଳୀରେ ସୁନ୍ଦର ସୁନ୍ଦର ମୁର୍ତି ପ୍ରସ୍ତୁତି କରନ୍ତି ମୁର୍ତି କାରିଗର ।

ଆଉ ଦିନ କେଇଟା ପରେ ପୂଜା ମଣ୍ଡପରେ ପୂଜା ପାଇବେ ବିଘ୍ନରାଜ ଗଜାନନ । ଏହି ଦିନକୁ ଅତି ଉତ୍ସାହର ସହ ଅପେକ୍ଷା କରିଛି ସାରା ଦେଶ । ଗାଁ ଠୁ ସହର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ଶ୍ରୀ ଗଣେଶ । ସ୍କୁଲ କଲେଜ ଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷନୁଷ୍ଠାନ ମାନଙ୍କରେ ପୂଜା ପାଇବେ ଅଗ୍ରପୂଜ୍ୟ ଶ୍ରୀ ଗଣେଶ ।