ଖୋର୍ଦ୍ଧା ଜଟଣୀରେ ଜମୁଛି ଗଣେଶ ପୂଜା ! ସୁନ୍ଦର ମୂର୍ତ୍ତି ସାଙ୍ଗକୁ ମନମୋହୁଛି ଶ୍ରୀମନ୍ଦିର ସିଂହଦ୍ୱାର ଭଳି ତୋରଣ ।

352

କନକ ବ୍ୟୁରୋ : ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଛି ଖୋର୍ଦ୍ଧା ଜିଲ୍ଲାର ବାଣିଜ୍ୟ ସହର କୁହାଯାଉଥିବା ଜଟଣୀ ସହର । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍ବଣର ଆରମ୍ଭରୁ ସୁଉଚ୍ଚ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସୁଛି ଜଟଣୀ ସହର ।

ଚଳିତ ବର୍ଷ ଜଟଣୀ ସହରରେ ୧୮ଟି ବଡ ମେଢକୁ ମିଶାଇ ପ୍ରାୟ ୧୦୦ରୁ ଅଧିକ ଛୋଟ, ବଡ ଗଣେଶ ମୂର୍ତି ପୂଜା ପାଉଛନ୍ତି । ଗୋଲେଇ ମାର୍କେଟରେ ୧୨ ଫୁଟ ଉଚ୍ଚର ଗଜାନନଙ୍କ ମୂର୍ତି ପୁଜା ପାଉଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବାଣିଜ୍ୟ ସହର ଜଟଣୀରେ ୧୨ ଦିନ ବ୍ୟାପି ଗଣେଶ ପୂଜା ଉତ୍ସବ ଚାଲିବ । ଏଠାରେ ପାରମ୍ପରିକ ନିତିକାନ୍ତି ଅନୁସାରେ ପୂଜାପର୍ବ ଓ ଭୋଗରାଗ ଲାଗି କରାଯାଇଥାଏ ।

ମନ ମୋହୁଛି ସୁଉଚ୍ଚ ତୋରଣ । ଗଣେଷ ପୂଜାରେ ବାଲୁକା କଳା । ସୀତାରାମ ଛକ ମଣ୍ଡପରେ ଶ୍ରୀମନ୍ଦିରର ସିଂହଦ୍ୱାର ପରି ୪୫ ଫୁଟ ଉଚ୍ଚର ତୋରଣ ସାଙ୍ଗକୁ ଚତ୍ରୁର୍ଦ୍ଧା ମୂର୍ତିଙ୍କ ୧୦ ପ୍ରକାର ବେଶ ଦର୍ଶକଙ୍କ ମନ ମୋହୁଛି । ଏହାରି ଭିତରେ ଗୋଲେଇ ମାର୍କେଟର ଦୃଶ୍ୟ ରହିଛି ଟିକେ ନିଆରା । ବାଲୁକା ଶିଳ୍ପୀ ସୁବଳ ମହାରଣାଙ୍କ ଦ୍ୱାରା ବାଲିରେ ପ୍ରସ୍ତୁତ ଶାନ୍ତିସ୍ତୁପ, ଶିଶୁକନ୍ୟା ସୁରକ୍ଷା, ମତ୍ସ୍ୟକନ୍ୟା, କୋଣାର୍କ ମନ୍ଦିର ଓ ଖୋର୍ଦ୍ଧା ରୋଡ ଷ୍ଟେସନର ବାଲୁକା କଳା ପୂଜା ମାହୋଲକୁ ଅଧିକ ରଙ୍ଗୀନ କରିଛି । ଶ୍ରୀ ଗଣେଶ ପୂଜାର ଭିଡ ଭିତରେ ପାଇକରାୟ ଷ୍ଟାଡିୟମରେ ଚାଲିଥିବା ଗଣେଶ ମହୋତ୍ସବରେ ଲୋକଙ୍କ ପ୍ରବଳ ଭିଡ ଲାଗୁଛି । ବହୁଳ ମାତ୍ରରେ ଗଣେଶ ପୂଜା ପାଳନ କରାଯାଉ ଥିବାରୁ, ଏହି ପୂଜା ଜଟଣୀ ସହରରେ ଗଣପର୍ବ ପାଲଟି ଯାଇଛି ।