ଆଜି ଗଣେଶ ଚତୁର୍ଥୀ ! ବିଘ୍ନରାଜଙ୍କ ପୂଜା ପାଇଁ ସାରା ଦେଶ ଚଳଚଂଚଳ

411

କନକ ବ୍ୟୁରୋ : ଆଜି ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ଗଣେଶ ଆଜି ପୂଜା ପାଇବେ । ଏଥିପାଇଁ ଦେଶର ପଲ୍ଲୀଠାରୁ ଦିଲୀ ଯାଏଁ ଚଳଚଂଚଳ । ଅନେକ ସ୍ଥାନରେ ସକାଳୁ ସକାଳୁ ପୂଜା ଆରମ୍ଭ ହୋଇସାରିଲାଣି । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ହୋଇଛି । ପୂଜା ପେଣ୍ଡାଲରେ ଗଜାନନଙ୍କ ହୋମ ଯଜ୍ଞ ଚାଲିଛି । ମନ୍ଦିରରେ ବି ଗଣେଶଙ୍କ ସ୍ୱତନ୍ତ୍ର ପୂଜା ନୀତି ହେଉଛି । ସବୁ ଶିକ୍ଷାନୁଷ୍ଠାନରେ ଗଣେଶଙ୍କ ପୂଜା ହେଉଛି । ଘରେ ଘରେ ବି ପୂଜା ଆରମ୍ଭ ହେଲାଣି । ମୁମ୍ବାଇ ଓ ହାଇଦ୍ରାବାଦରେ ବିରାଟ ଆକାରରେ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଉଛି ।

ତେବେ ଗଣେଶ ଚତୁର୍ଥୀ ଉପଲକ୍ଷେ ରଙ୍ଗୀନ ଆଲୋକମାଳାରେ ଝଲସୁଛି ରାଜଧାନୀ । ଫୁଲ, ଫଳଠାରୁ ଆରମ୍ଭ କରି ଗଣପତି ମୂର୍ତ୍ତି ଦେକାନ ବଜାରର ଶୋଭା ବଢ଼ାଉଛି । ଗଳିକନ୍ଦିରେ ସୁସଜ୍ଜିତ ତୋରଣରେ ସଜେଇ ହୋଇଛି ରାଜଧାନୀ । ବିଘ୍ନ ବିନାଶକଙ୍କ ଆବାହନ ପାଇଁ ଧୂପ, ଦୀପ, ଅଗରୁ, ଚନ୍ଦନ, ସିନ୍ଦୂରଠାରୁ ଆରମ୍ଭ କରି ସରା, ଘଡ଼ି, ଧାନ, ପଞ୍ଚଶସ୍ୟ, ରାଶି, ହୋମକାଠ ଏସବୁ ସଂଗ୍ରହରେ ଲାଗି ପଡ଼ିଛନ୍ତି ସମସ୍ତେ । ଏପରିକି କଦଳୀ ବାହୁଙ୍ଗୀ, ଆମ୍ବ ଡାଳ, ଦୁବଘାସ, ବରକୋଳି ପତ୍ର ଓ କଇଁଫୁଲର ପସରା ବି ୟୁନିଟ୍-୧ ହାଟରେ ଦେଖିବାକୁ ମିଳିଥିଲା । ସେହିପରି ପୂଜାରେ ଫୁଲର ଚାହିଦା ବି ଢେର ବଢ଼ିଯାଇଛି ।

ଗତ ୨ ମାସ ହେଲା ଫୁଲ ଦର ଆକାଶଛୁଁଆ ଥିଲେ ମଧ୍ୟ ପାର୍ବଣ ଋତୁକୁ ନଜରରେ ରଖି ଫୁଲ ଦର ଚଢ଼ା ରହିଛି । ଏହାକୁ ନଜରରେ ରଖି ଫୁଲମାଳ ପିଛା ୫ଟଙ୍କା ଲେଖାଏଁ ବୃଦ୍ଧି ପାଇଥିବା ବେଳେ ଗେଣ୍ଡୁ ମାଳ ୪୫-୫୦ ଟଙ୍କା ରହିଛି। ଏହା ବ୍ୟତୀତ ପାର୍ବଣ ଋତୁ ଆସି ଯାଇଥିବାରୁ ଫଳ ଦାମ୍ ମଧ୍ୟ ବଢ଼ିଯାଇଛି । ସେଓ କିଲେପିଛା ୨୦ରୁ ୩୦ ଟଙ୍କା ଲେଖାଏଁ ବଢ଼ି ୧୨୦-୧୩୦ ଟଙ୍କାରେ ପହଞ୍ଚିଛି । କଦଳୀ ଡଜନକୁ ୬୦-୭୦ ଟଙ୍କା, ଅଙ୍ଗୁର ୩ ଶହ ଟଙ୍କା ରହିଛି । ପୂଜାରେ କଳସରେ ସ୍ଥାପନ କରିବା ପାଇଁ ଆବଶ୍ୟକ ପଇଡ଼ର ଦାମ୍ ୧୫ରୁ ୨୦ଟଙ୍କା ରହିଛି । ସେହିପରି ନଡ଼ିଆ ୧୫ରୁ ଆରମ୍ଭ କରି ୩୦ଟଙ୍କା ପର୍ଯ୍ୟନ୍ତ ରହିଛି ।