ଆସନ୍ତା ଗାନ୍ଧୀ ଜୟନ୍ତୀରେ ମୁକ୍ତି ପାଇବେ କଏଦୀ : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଗଠନ କଲେ ୩ ଜଣିଆ କମିଟି

28

କନକ ବ୍ୟୁରୋ: ଗାନ୍ଧୀ ଜୟନ୍ତୀରେ ମୁକ୍ତି ହେବେ କଏଦୀ । ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପ୍ରତ୍ୟେକ ରାଜ୍ୟକୁ ନିର୍ଦ୍ଦେଶ ଜାରି କରାଯାଇଛି । ଜେଲରେ ସଜା ଭୋଗୁଥିବା ବୃଦ୍ଧ ଓ ବୃଦ୍ଧାଙ୍କୁ ମୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମହିଳା କଏଦୀଙ୍କ ପାଇଁ ବୟସସୀମା ରହିଛି ୫୫ ବର୍ଷ ଓ ପୁରୁଷ କଏଦୀଙ୍କ ପାଇଁ ବୟସ ସୀମା ରହିଛି ୬୦ । ଯେଉଁ କଏଦୀ ୫୦ ପ୍ରତିଶତ ଜେଲ ଦଣ୍ଡ ବା ସଜା ଭୋଗି ସାରିଛନ୍ତି ସେମାନଙ୍କୁ ମୁକ୍ତି ପାଇଁ ଯୋଜନା କରାଯାଉଛି । ଆସନ୍ତା ଅକ୍ଟୋବର ୨ ତାରିଖ ଅର୍ଥାତ ଗାନ୍ଧୀ ଜୟନ୍ତୀ ପାଖରୁ ଏହି ନିୟମକୁ ଲାଗୁ କରାଯିବ । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏକ ୩ ଜଣିଆ ଟିମ ଗଠନ କରାଯାଇଛି । ଏହି ଟିମରେ ଗୃହ ବିଭାଗ ସଚିବ, ଆଇନ ବିଭାଗର ପ୍ରମୁଖ ସଚିବ ଓ ଜେଲ ଏଡିଜି ଅଛନ୍ତି । ଖୁବଶୀଘ୍ର ଜେଲ ଦଣ୍ଡ ଭୋଗୁଥିବା ବୃଦ୍ଧ ଓ ବୃଦ୍ଧାଙ୍କ ତାଲିକା ପ୍ରକାଶ କରିବ ରାଜ୍ୟ ଗୃହ ବିଭାଗ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଗତ ଜୁଲାଇ ୧୯ ତାରିଖରେ ଅନୁଷ୍ଟିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଥିଲା । ସ୍ଵତନ୍ତ୍ର କ୍ଷମା ପ୍ରଦାନ କରାଯିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲେ । ତେବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପ୍ରତ୍ୟେକ ରାଜ୍ୟକୁ ନିର୍ଦ୍ଦେଶ ଜାରି କରାଯାଇଛି । ଯେଉଁଥିରେ ଅଧା କାରାଦଣ୍ଡ ଭୋଗିଥିବା କଏଦୀଙ୍କୁ ଗାନ୍ଧୀ ଜୟନ୍ତୀ ଅବସରରେ ଜେଲ୍ରୁ ମୁକ୍ତି ଦିଆଯିବ । ୫୫ ବର୍ଷରୁ ଅଧିକ ବୟସ୍କ ମହିଳା ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ପୁରୁଷ କଏଦୀଙ୍କୁ ସ୍ବତନ୍ତ୍ର ଦଣ୍ଡ କ୍ଷମା ଯୋଜନା ଅର୍ନ୍ତଗତ ଜେଲ୍ରୁ ମୁକ୍ତ କରାଯିବ। ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏହା ହେବ ବୋଲି କେନ୍ଦ୍ର ସରକାର ସୂଚିତ କରିଥିଲେ। ତେବେ ଯୌତୁକ ହତ୍ୟା, ବଳାତ୍କାର, ମାନବ ଚାଲାଣ, ପୋଟା, ଟାଡ଼ା, ୟୁଏପିଏ ଆଦି ମାମଲାରେ କାରାଦଣ୍ଡ ଭୋଗୁଥିବା କଏଦୀ ଏହି ଯୋଜନା ପରିସରଭୁକ୍ତ ହେବେ ନାହିଁ ବୋଲି ସରକାର କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିଷ୍ପତି କରିଥିଲେ ।