ମାର୍ଚ୍ଚ ୧ରୁ ନିୟମିତ ହେବେ ଗଣଶିକ୍ଷକ

52

କନକ ବ୍ୟୁରୋ: ଗଣଶିକ୍ଷକଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶେଷରେ ନିଜ ଛେପ ନିଜେ ଢୋକିଛି । ୨୦୧୬-୧୭ ଆର୍ଥିକ ବର୍ଷରେ ଗଣଶିକ୍ଷକଙ୍କୁ ନିୟମିତ କରିବାକୁ ୨୦୧୬ ଜୁଲାଇ ୨୫ର ସଂକଳ୍ପନାମା ଓ ଡିସେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । କିନ୍ତୁ ନିୟମିତ କରିବା ପରିବର୍ତ୍ତେ ଦିନ ଗଡ଼ାଇ ଚାଲିଥିଲେ । ଏପରିକି ଭୁଆଁ ବୁଲାଇଥିଲେ ଗଣଶିକ୍ଷା ବିଭାଗର ଅଧିକାରୀ ।

୨୦୧୬-୧୭ରେ ନିୟମିତ କରିବାକୁ କୁହାଯାଇଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷର ସେପ୍ଟେମ୍ବର ୨୫ରୁ ନିୟମିତ କରିବାକୁ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ବିଭାଗର ଏହି କାଳକ୍ଷେପଣ ନୀତି ପ୍ରତିବାଦରେ ଗତ ୧୪ ତାରିଖରେ ଭୁବନେଶ୍ୱରରେ ୨୦ ହଜାର ଗଣଶିକ୍ଷକ ଶକ୍ତି ପ୍ରଦର୍ଶନ କରିଥିଲେ। ବିଧାନସଭା ଘେରିବା ସହ ଲୋୟର ପିଏମଜିରେ ଧାରଣାରେ ବସିଥିଲେ । ଏନେଇ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସହ ଆଲୋଚନା କରିବା ପରେ ବିଭାଗ ନିଷ୍ପତ୍ତି ବଦଳାଇଛି । ୨୦୧୭ ସେପ୍ଟେମ୍ବର ୨୫ ବଦଳରେ ମାର୍ଚ୍ଚ ୧ରୁ ପିଛିଲା ଭାବେ ନିୟମିତ କରି ଦରମା ଦେବାକୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ସପ୍ତମ ବେତନ କିମସନ ଅନୁଯାୟୀ ବକେୟା ଦରମା ପାଇବେ ।

ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପରେ ଓଡ଼ିଶା ଗଣଶିକ୍ଷକ ମହାସଂଘ ଆନ୍ଦୋଳନ ସ୍ଥଗିତ ହୋଇଛି । ମହାସଂଘ ସଭାପତି ଶରତ ଚନ୍ଦ୍ର ନାୟକ, ସମ୍ପାଦକ ହାନେଶ ପାତ୍ର ବାଗ୍, କାର୍ଯ୍ୟକାରୀ ସଭାପତି ଜୟନ୍ତୀଲାଲ ସାହୁ, ଉପସଭାପତି ବିଶ୍ୱରଞ୍ଜନ ଦାଶ, ମିନତି ମିଶ୍ର, କୋଷାଧ୍ୟକ୍ଷ ବିଜୟ ମିଶ୍ର, ସହ ସମ୍ପାଦକ ପ୍ରଶାନ୍ତ ଖମାରୀ, ସାଙ୍ଗଠନିକ ସମ୍ପାଦକ ରାଜୀବଲୋଚନ ପ୍ରଧାନ, ଗଙ୍ଗାନାରାୟଣ ପାଢ଼ୀ, ଅଲେଖ ସାହୁ ପ୍ରମୁଖ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।