ଆଇପିଏଲ ୨୦୧୯ ପାଇଁ ସଜବାଜ ! ଯୁବରାଜଙ୍କୁ ବାଏ ବାଏ କଲା ପଞ୍ଜାବ ଓ ଗମ୍ଭୀରଙ୍କ ହାତ ଛାଡିଲା ଦିଲ୍ଲୀ

452

ଆଇପିଏଲର ୧୨ ତମ ସଂସ୍କରଣର ନିଲାମୀ ପୂର୍ବରୁ ପ୍ରତ୍ୟେକ ଟିମ କେଉଁ କେଉଁ ଖେଳାଳୀଙ୍କୁ ନିଜ ସାଥୀରେ ରଖିବାକୁ ଚାହୁଁଛନ୍ତି ଓ କାହାକୁ ଛାଡିବାକୁ ଚାହୁଁଛନ୍ତି ତାହାର ତାଲିକା ଦେବାକୁ କୁହାଯାଇଥିଲା । ଆଉ ଏହି କ୍ରମରେ କିଙ୍ଗସ ଏକାଦଶ ପଞ୍ଜାବ ୨ ପ୍ରମୁଖ ଖେଳାଳୀଙ୍କୁ ବାଦ୍ ଦେଇଛି । ଯେଉଁ ମାନଙ୍କ ମଧ୍ୟରେ ରହିଛନ୍ତି ଯୁବରାଜ ସିଂ ଓ ଆରୋନ ଫିଞ୍ଚ । ଯୁବରାଜଙ୍କୁ ପଞ୍ଜାବ ୨ କୋଟି ମୂଲ୍ୟରେ କିଣିଥିଲା । ସେହିଭଳି ରାଜସ୍ଥାନ ରୟାଲ୍ସ ମଧ୍ୟ ସବୁଠୁ ଅଧିକ ୧୧.୫ କୋଟି ଟଙ୍କା ଦେଇ କିଣିଥିବା ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କୁ ନିଲାମୀ ପାଇଁ ଛାଡିଛି ।

ଅନ୍ୟପଟେ ଦିଲ୍ଲୀ ଡେୟାର ଡେଭିଲ୍ସ ମଧ୍ୟ ପୂର୍ବ କ୍ୟାପଟେନ ଗୌତମ ଗମ୍ଭୀରଙ୍କ ହାତ ଛାଡି ଦେଇଛି । ୨୦୧୮ ଆଇପିଏଲରେ ଖରାପ ଫର୍ମ କାରଣରୁ ଅଧାରୁ ଗୌତମ ଗମ୍ଭୀର ଅଧିନାୟକ ପଦ ଛାଡିବା ସହ ମ୍ୟାଚ୍ ମଧ୍ୟ ଖେଳିନଥିଲେ । ଗମ୍ଭୀରଙ୍କ ବ୍ୟତୀତ ଦିଲ୍ଲୀ ଜେସନ ରୟ, ଜୁନିୟର ଡାଲା, ଲିୟାମ ପ୍ଲକେଟ, ମହମ୍ମଦ ସାମି, ଡାନିୟଲ କ୍ରିଷ୍ଟ୍ରିଆନ, ଗ୍ଲେନ ମ୍ୟାକ୍ସୱେଲ, ନମନ ଓଝାଙ୍କ ଭଳି ଷ୍ଟାର ପ୍ଲେୟାରଙ୍କୁ ନିଲାମୀ ପ୍ରକିୟାକୁ ଛାଡି ଦେଇଛି ।

ଦିଲ୍ଲୀ ଟିମ୍ ଯୁବ ଖେଳାଳୀଙ୍କୁ ନେଇ ୨୦୧୯ ଆଇପିଏଲରେ ଓହ୍ଲାଇବାକୁ ଚାହୁଁଛି । ସେହି ଦୃଷ୍ଟିରୁ ଶ୍ରେୟସ ଆୟାର, ଋଷଭ ପନ୍ତ, ପୃଥ୍ୱୀ ଶ୍ୱ ଓ ଅମିତ ମିଶ୍ରାଙ୍କୁ ଦଳରେ ରଖିଛି । ସନରାଇଜର୍ସ ହାଇଦ୍ରାବାଦ ଆହତ ଥିବା ରିଦ୍ଧିମାନ ଶାହାଙ୍କ ସକ୍ଷବଲ ୱେଷ୍ଟଇଣ୍ଡିଜର ଧୂଆଁଧାର ଅଲରାଉଣ୍ଡର କାଲର୍ସ ବ୍ରାର୍ଥୱେଟ, ଆଲେକ୍ସ ହେଲ୍ସ, କ୍ରିସ ଜୋର୍ଡାନଙ୍କୁ ନିଲାମୀ ପ୍ରକିୟା ପାଇଁ ରିଲିଜ କରିଛି ।

ସେହିଭଳି ଚଳିତ ଆଇପିଏଲରେ ଚାମ୍ପିୟନ ହୋଇଥିବା ଚେନ୍ନାଇ ସୁପର କିଙ୍ଗସ ମାର୍କ ଉଡ, କନିଷ୍କ ସେଠ୍ ଓ କେ ଶର୍ମାଙ୍କୁ ନିଲାମୀ ପ୍ରକିୟାକୁ ଛାଡିବା ସହ ଅନ୍ୟ ମାନଙ୍କୁ ରିଟେନ କରି ରଖିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ରେଣ୍ଡନ ମ୍ୟାକକୁଲମ, କୋରି ଆଣ୍ଡରସନ, କ୍ୱିଣ୍ଟନ ଡି କକ୍, କ୍ରିସ ୱକ୍ସ, ସର୍ଫରାଜ ଖାନ ଓ ମନଦୀପ ସିଂଙ୍କୁ ନିଲାମୀ ପ୍ରକିୟାକୁ ଛାଡିଥିବା ବେଳେ ଅନ୍ୟ ଖେଳାଳୀଙ୍କୁ ନିଜ ଟିମରେ ରଖିଛି ।

ମୁମ୍ବାଇ ଇଣ୍ଡିଆନ୍ସ ସବୁଠୁ ଅଧିକ ସଂଖ୍ୟକ ଖେଳାଳୀଙ୍କୁ ନିଲାମୀ ପ୍ରକ୍ରିୟାକୁ ଛାଡିଛି । ସୌରଭ ତିୱାରୀ, ପ୍ରଦୀପ ସଙ୍ଗୱନ, ମୋହସିନ ଖାନ, ଏମଡି ନିଦେଶ, ସାହରଦ ଲୁମ୍ବା, ତଜୀନ୍ଦର ସିଂ ଢିଲୋଁ, ଜେପି ଡ୍ୟୁମିନି, ପାଟ କମିନସ୍, ମୁସ୍ତାଫିଜୁର ରେହମାନ, ଅକିଲା ଧନଞ୍ଜୟଙ୍କୁ ନିଲାମୀ ପ୍ରକିୟାକୁ ଛାଡିଥିବା ବେଳେ ଅନ୍ୟ ଖେଳାଳୀଙ୍କୁ ଟିମରେ ରଖିଛି । କୋଲକାତା ନାଇଟ ରାଇଡର୍ସ ମିସେଲ ଷ୍ଟାର୍କ, ମିସେଲ ଜନସନ, ଟମ୍ କୁରାନଙ୍କ ଭଳି ଷ୍ଟାର ପ୍ଲେୟାରଙ୍କ ହାତ ଛାଡିଛି । ତେବେ ଷ୍ଟିଭ ସ୍ମିଥଙ୍କୁ ରାଜସ୍ଥାନ ରୟାଲ୍ସ ରଖିଥିବା ବେଳେ ୱାର୍ଣ୍ଣରଙ୍କୁ ସନ ରାଇଜର୍ସ ହାଇଦ୍ରାବାଦ ଦଳ ନିଜ ସହ ରଖିଛି ।