ଆଫ୍ରିଦିଙ୍କ କାଶ୍ମୀର ଗୁଗଲିକୁ ବାଉଣ୍ଡ୍ରୀ ପାର କରାଇଲେ ଗମ୍ଭୀର ।

34
ଆତଙ୍କବାଦୀ ପ୍ରେମରେ ଆଫ୍ରିଦି । ଆତଙ୍କବାଦୀଙ୍କୁ ସମର୍ଥନ କରି ବିବାଦରେ ଫସିଛନ୍ତି ଏହି ବୁମବୁମ୍ ଖେଳାଳୀ  । ପାକିସ୍ତାନର ତାରକା ଖେଳାଳି ଶାହିଦ ଆଫ୍ରିଦି ଏବେ ଆତଙ୍କବାଦୀଙ୍କ ସମର୍ଥନରେ ବାହାରିଛନ୍ତି  । କଥାଟା ଆପଣଙ୍କୁ ହୁଏତ ଟିକେ ଅଡୁଆ ଲାଗୁଥିବ  । ହେଲେ ଏହା ସତ ଯେ, ଗତ କିଛି ଦିନ ତଳେ ଜମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ୧୩ ଜଣ ଆତଙ୍କବାଦୀଙ୍କୁ ଗୁଳିକରି ମାରି ଦିଆଯାଇଥିଲା  । ଏହା ପାକିସ୍ତାନ ସରକାରଙ୍କ ସହ ପାକିସ୍ତାନ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କୁ ମଧ୍ୟ ବେଶ ଦୁଃଖିତ କରିଥିଲା  ।
ନିଜ ଟ୍ୱିଟର ପେଜରେ ଆଫ୍ରିଦି ଲେଖିଛନ୍ତି “ ଭାରତ ସରକାର କାଶ୍ମୀରରେ  ଦମନଲୀଲା ଚଳାଇଛନ୍ତି ଓ ଏହା ତାଙ୍କୁ ବିଚଳିତ କରିଛି  । ଏହା ସହ ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ମିଳିତ ଜାତିସଂଘ ସହ ଅନ୍ୟାନ୍ୟ ଅନ୍ତର୍ଜାତିକ ସଂଘକୁ ଆହ୍ୱାନ କରିଛନ୍ତି  । ଭାରତ ଅଧିକୃତ କାଶ୍ମୀରରେ ସାଂପ୍ରତିକ ସ୍ଥିତି ଏବେ ଚିନ୍ତାଜନକ  । ସେଠାରେ ନିରିହ  ଓ ନିର୍ଦ୍ଦୋଷଙ୍କୁ ହତ୍ୟା କରାଯାଉଛି  । ଏହା ଥିଲା ଆଫ୍ରିଦୀଙ୍କ ଭାରତୀୟ ଅଧିକୃତ କାଶ୍ମୀର ପାଇଁ ଦରଦ  । ତେବେ ଏଠି ଆଫ୍ରିଦି ଭୁଲିଯାଉଛନ୍ତି ଯେ ବାଲୁଚିସ୍ତାନରେ ବାଲୁଚଙ୍କୁ ଯେଉଁ ପ୍ରକାର ହତ୍ୟା ଓ ଅପହରଣ କରାଯାଉଛି ତା ଉପରେ ସେ କେବେ ଚିନ୍ତା କରିବେ  । ଆଫ୍ରିଦି ପୂର୍ବରୁ ମଧ୍ୟ କାଶ୍ମୀର ମାମଲାରେ ଏକାଧିକବାର ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।
ଆଫ୍ରିଦିଙ୍କ ଏହି ଟ୍ୱିଟକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ଆଫ୍ରିଦି ରଖିଥିବା ପ୍ରତ୍ରିକିୟା ଉପରେ ପ୍ରଥମେ ମତ ଦେଇଛନ୍ତି ଭାରତୀୟ ଖେଳାଳି ଗୈାତମ ଗମ୍ଭୀର  । ଗମ୍ଭୀର ଲେଖିଛନ୍ତି ଯେ , ଗଣମାଧ୍ୟମ ମୋ ପ୍ରତିକ୍ରିୟା ମାଗିଥିଲା  । ଆଫ୍ରିଦି ଜାତିସଂଘର ହସ୍ତକ୍ଷେପ ମାଗିଛନ୍ତି  । ଏହା ଏକ ମାନସିକ ଅନଗ୍ରସର ପିଲା ତଥା ୧୯ବର୍ଷରୁ କମ୍ ବୟସର ପିଲାଙ୍କ ଭଳି କଥା  । ସେ କେବଳ ନୋ ବଲରେ ୱିକେଟ ପାଇଯିବା ଭଳି ଲାଗୁଛି  । ଗଣମାଧ୍ୟମ ବିରାମ ରହିଲେ ଭଲ ବୋଲି ଗମ୍ଭୀର କହିଛନ୍ତି । ତେବେ ଆଫ୍ରିଦି ଓ ଗମ୍ଭୀରଙ୍କ ଟ୍ୱିଟ ଯୁ୍ଦ୍ଧରେ ସାଥ ଦେଇଛନ୍ତି ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ବାମ ହାତୀ ବାଟ୍ସମ୍ୟାନ ସୁରେଶ ରାଇନା  । ଏହା ସହ ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ମଧ୍ୟ ଆଫ୍ରିଦିଙ୍କ ଟ୍ୱିଟ୍ କୁ ନେଇ ସମାଲୋଚନା କରିଛନ୍ତି । ଆଫ୍ରିଦିଙ୍କୁ ଗୁରୁତ୍ୱ ନଦେବା ପାଇଁ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ଗମ୍ଭୀର-ଆଫ୍ରିଦି ପରସ୍ପରକୁ ସମାଲୋଚନା କରିବା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଗୌତମ ଗମ୍ଭୀର ୨୦୧୧ ବିଶ୍ୱକପ ବିଜୟକୁ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ନିହତଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ସେତେବେଳେ ଆଫ୍ରିଦି ଏହାକୁ ସମାଲୋଚନା କରିବାରୁ ଗମ୍ଭୀର ତାଙ୍କୁ ଅପରିପକ୍ୱ ଅଭିହିତ କରିଥିଲେ ।