ବନ୍ଦ ହୋଇପଡିଛି ଗଜପତି ଜିଲ୍ଲାର ଏକମାତ୍ର ଶୀତଳ ଭଣ୍ଡାର : ଉପାର୍ଜିତ ପନିପରିବା ସାଇତି ନପାରି କ୍ଷତି ସହୁଛନ୍ତି ଚାଷୀ ଓ ବ୍ୟବସାୟୀ

67

କନକ ବ୍ୟୁରୋ : ବନ୍ଦ ହୋଇପଡିଛି ଜିଲ୍ଲାର ଏକମାତ୍ର ଶୀତଳ ଭଣ୍ଡାର । ଗଜପତି ଜିଲ୍ଲାରେ ୧୯୬୫ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଶୀତଳ ଭଣ୍ଡାର ୧୯୯୦ ପରଠାରୁ ବନ୍ଦ ହୋଇପଡିଛି । ଚାଷୀଙ୍କ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଏହି ଶୀତଳ ଭଣ୍ଡାର ରକ୍ଷଣାବେକ୍ଷଣ ଅଭାବରୁ ଅଚଳ ହେବାପରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନି । ଯାହାଦ୍ୱାରା କ୍ଷତି ସହୁଛନ୍ତି ଚାଷୀ ।

ଗଜପତି ଜିଲ୍ଲାରେ ଥିବା ଏକମାତ୍ର ଶୀତଳ ଭଣ୍ଡାର ରକ୍ଷଣାବେକ୍ଷଣ ଅଭାବରୁ ଏବେ ବନ୍ଦ ପଡିଛି । ଯନ୍ତ୍ରାଂଶରେ କଳଙ୍କି ଲାଗି ନଷ୍ଟ ହୋଇଯାଇଥିବାବେଳେ କୋଠା ଭୁଷୁଡି ପଡିବା ଅବସ୍ଥାରେ ରହିଛି । ଫଳରେ ପନିପରିବା ସାଇତି ରଖିବା ପାଇଁ ଚାଷୀଙ୍କ ପାଖରେ କୌଣସି ସୁବିଧା ନାହିଁ । ଜିଲ୍ଲାରେ ଅମଳ ହେଉଥିବା ସହ ବାହାର ଜିଲ୍ଲାରୁ ଆସୁଥିବା ବିଭିନ୍ନ ପନିପରିବା ସାଇତି ରଖିପାରୁନି ଚାଷୀ । ଜିଲ୍ଲାରେ ଗୋଟିଏ ବି ଶୀତଳ ଭଣ୍ଡାର ନଥିବାରୁ ଚାଷୀ ଓ ବ୍ୟବସାୟୀ କ୍ଷତି ସହୁଥିବାବେଳେ ଖାଉଟି ମଧ୍ୟ ପ୍ରଭାବିତ ହେଉଛନ୍ତି ।

ପୂର୍ବରୁ କୃଷି ବିଭାଗ ଅଧିନରେ ଥିବା ଏହି ଶୀତଳ ଭଣ୍ଡାରକୁ ୧୯୭୧ ମସିହାରେ ଉଦ୍ୟାନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ପରେ ୧୯୯୦ ମସିହାରେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଏହାକୁ ବନ୍ଦ କରି ଦିଆଯାଇଥିଲା । କିନ୍ତୁ ବହୁ ଦାବି ଓ ଆନ୍ଦୋଳନ ପରେ ୨୦୧୩ରେ କୋଲକାତାରୁ ଏକ ଟିମ୍ ପରିଦର୍ଶନ କରି ମରାମତି ପାଇଁ ପ୍ରାୟ ୧କୋଟି ଟଙ୍କା ଖର୍ଚ୍ଚ  ହେବ ବୋଲି କହିଥିଲେ । କିନ୍ତୁ ତାକୁ ମରାମତି ନକରି ନୂତନ ଜ୍ଞାନକୌଶଳରେ ଆଉ ଏକ ଶୀତଳ ଭଣ୍ଡାର ନିର୍ମାଣ କରାଯିବ ବୋଲି କହିଥିଲେ କିନ୍ତୁ ତାହା ଆଜି ଯାଏଁ ପୂରଣ ହୋଇପାରିନାହିଁ । ଅପରପକ୍ଷରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲା ପ୍ରଶାସନିକ ଅଧିକାରୀ ।

ଜିଲ୍ଲାରେ ଥିବା ଗୋଟିଏ ଶୀତଳ ଭଣ୍ଡାର ବନ୍ଦ ହୋଇ ପଡିଥିବା ଯୋଗୁଁ ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅପରପକ୍ଷରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ କେବେ ନୂଆ ଶୀତଳ ଭଣ୍ଡାର ନିର୍ମାଣ ହେଉଛି ତାରି ଉପରେ ରହିଛି ସମସ୍ତଙ୍କ ନଜର ।